ଅର୍ଜୁନଙ୍କ ବନବାସ ପଛରେ ଥିବା ଏହି କାହାଣୀ ଶୁଣି ଶ୍ରୀକୃଷ୍ଣ ଚିନ୍ତିତ ହେଲେ । କହିଲେ, ମୋର ପ୍ରିୟସଖା ଅର୍ଜୁନ ନାହିଁ, ତେଣୁ ମତେ ଏଠାରେ ଭଲ ଲାଗୁନାହିଁ । ମୁଁ ଏବେ ଚାଲିଲି । ଏହା କହି ସେ ଯିବାକୁ ବାହାରିଲେ । ତାହା ଦେଖି ଯୁଧିଷ୍ଠିର ତାଙ୍କୁ କହିଲେ, ଆପଣଙ୍କ ସଖା ଏଠାରେ ନାହିଁ, ତେଣୁ ଆପଣଙ୍କୁ ଏଠାରେ ଭଲ ଲାଗୁ ନାହିଁ । ଆମକୁ ମଧ୍ୟ ଅର୍ଜୁନ ବିନା ଭଲ ଲାଗୁନାହିଁ । ତେଣୁ ଆପଣ ଦ୍ୱାରକା ନ ଯାଇ ଅର୍ଜୁନଙ୍କ ପାଖକୁ ଯାଆନ୍ତୁ ଓ ତାଙ୍କୁ ବୁଝାଇ ଶୁଝାଇ ଏଠାକୁ ନେଇ ଆସନ୍ତୁ ।
ତା’ ପରେ ଶ୍ରୀକୃଷ୍ଣ ଯାଇ ଗରୁଡ଼ ପିଠିରେ ବସିଲେ । ସହଦେବଙ୍କ ଠାରୁ ସେ ବୁଝିଲେ ଯେ ଅର୍ଜୁନ ଏବେ ମଣିଭଦ୍ରା ପର୍ବତରେ ଅଛନ୍ତି । ମଣିଭଦ୍ରା ପର୍ବତ ସେଠାରୁ ସତୁରୀ ଯୋଜନ ଦୂର । ସେହି ସତୁରୀ ଯୋଜନ ଦୂରତାକୁ ମାତ୍ର ତିନିଟି ନିଃଶ୍ୱାସରେ ଗରୁଡ଼ ପାରିହୋଇ ଗଲେ । ମଣିଭଦ୍ରାରେ ପହଞ୍ଚିବା ପୂର୍ବରୁ ଶ୍ରୀକୃଷ୍ଣ ଭାବିଲେ, ଏତେକାଳ ପରେ ପ୍ରିୟସଖା ଅର୍ଜୁନ ସହିତ ଦେଖାହେବ । ପୁଣି ସେ ବନରେ ଅଛନ୍ତି । ତାଙ୍କୁ କ’ଣ ଏପରି ରାଜକୀୟ ବେଶରେ ଯାଇ ଦେଖା କରିବା ଉଚିତ ହେବ ! ତେଣୁ ମଣିଭଦ୍ରା ପର୍ବତ ଅଳ୍ପ ଦୂରରେ ଅଛି, ଗରୁଡଙ୍କୁ ସେ ଶୂନ୍ୟରେ ଅଟକାଇ ଏକ ଅଭିନବ ବେଶ ଧରିଲେ ।
ସେହି ବେଶ ଯେପରି ବିଚିତ୍ର, ସେପରି ସୁନ୍ଦର ଓ କୌତୂହଳପୂର୍ଣ୍ଣ । ତାଙ୍କର ଗୋଟିଏ ଶରୀରରେ ନଅଟି ଶରୀରର ସମାହାର ଘଟିଥିଲା । କୁକ୍କୁଟର ମୁଣ୍ଡ, ବୃଷଭର ଚୂଳ, ମୟୂରର କଣ୍ଠ ସହିତ ଲାଞ୍ଜ ରୂପେ ଏକ ସର୍ପ ଶୋଭା ପାଉଥିଲା । ଅଣ୍ଟାଟି ଥିଲା ସିଂହର । ଚାରିପାଦରୁ ତିନିଟି ପାଦ ଥିଲା ବାଘ, ହାତୀ ଓ ଘୋଡାଙ୍କର ଏବଂ ଆଗ ପାଦଟି ଥିଲା ମନୁଷ୍ୟର ହାତ । ସେହି ହାତରେ ଏକ ପଦ୍ମଫୁଲ ଶୋଭା ପାଉଥିଲା ।
ଆଦିକବି ସାରଳା ଦାସ ତାଙ୍କ ମହାଭାରତର ମଧ୍ୟପର୍ବରେ ଶ୍ରୀକୃଷ୍ଣଙ୍କର ଏହି ଅଦ୍ଭୁତ ନବଗୁଞ୍ଜର ରୂପର ସୁନ୍ଦର ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି
ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ୟେକଇ ଶରୀରେ ଦେବ ଧଇଲେ ନବମୂର୍ତ୍ତି ।
କୁକୁଡ଼ାର ମୁଣ୍ଡ ଗୋଟି ଅତୀଅ ସୁନ୍ଦର ଦିଶଇ
ବୃଷଭର ଚୂଳ ଯେ ମୟୂରର କଣ୍ଠ ବିରାଜଇ ।
ଅହିବର ପୁଚ୍ଛା ମଝା ସିଂଘକଟି ପ୍ରାୟେ
ବ୍ୟାଘ୍ରର ଚରଣ ଗୋଟି ଅତୀଅ ଶୋଭା ପାୟେ ।
ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର
ଆବର ପାଦ ଗୋଟି ଅଟଇ କରିବର ।
୧୧୬ . ଆମ ଦେବଦେବୀ