ବେଦ ରହିବ ନାହିଁ; ତେବେ ଯଜ୍ଞ ମଧ୍ୟ ହେବ ନାହିଁ । ଯଜ୍ଞ ନହେଲେ ଦେବଗଣ ହବିଭାଗ ପାଇବେ ନାହିଁ । ହବିଭାଗ ନ ପାଇଲେ ସେମାନଙ୍କର ଶକ୍ତି କମିଯିବ ଏବଂ କ୍ଷମତା ଆଉ ରହିବ ନାହିଁ । ଏଣୁ ଦେବତାମାନଙ୍କୁ ଶାସ୍ତି ଦେବା ପାଇଁ କୌଣସିମତେ ବେଦମାନଙ୍କୁ ଧ୍ୱଂସ କରିଦେବା ବା ଅପହରଣ କରିନେବା ପାଇଁ ସେ ଚାହିଁଲା ।
ମାତ୍ର ବେଦମାନଙ୍କୁ ଧ୍ୱଂସ ବା ଅପହରଣ କରିବା କିଛି ସହଜସାଧ୍ୟ କଥା ନୁହେଁ । ଚତୁର୍ବେଦର ଅଧିପତି ତ ସ୍ୱୟଂ ପିତାମହ ବ୍ରହ୍ମା । ତେଣୁ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଯାଇ ହିମାଳୟରେ ଘୋର ତପସ୍ୟା ଆରମ୍ଭ କଲା ।
ସେହି ତପସ୍ୟା ଅତ୍ୟନ୍ତ କଠୋର । ସହସ୍ର ବର୍ଷ ଧରି ସେ ଅନ୍ନ, ଜଳ ସ୍ପର୍ଶ କଲା ନାହିଁ । ଯଜ୍ଞଅଗ୍ନି ଜଳାଇ ସେଥିରେ ନିଜର ଗୋଟିଏ ଗୋଟିଏ ଅଙ୍ଗ କାଟି ଆହୁତି ଦେଲା । ତାହାର ସେହି ଘୋର ତପରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ତିନି ଲୋକ ଥରହର ହେଲା । ଯଜ୍ଞ ଅଗ୍ନିରେ ଗୋଟିଏ ଗୋଟିଏ ଅଙ୍ଗ ଆହୁତି ଦେବାରୁ ତାହା ପୋଡ଼ି ହୋଇ ଯେଉଁ ତୀବ୍ର ଦୁର୍ଗନ୍ଧ ଜାତ ହେଲା, ସେଥିରେ ଦେବତାମାନେ ସ୍ଥିର ହୋଇ ରହିପାରିଲେ ନାହିଁ । ଫଳରେ ବ୍ରହ୍ମା ବାଧ୍ୟ ହୋଇ ଆସି ଦୁର୍ଗମ ଆଗରେ ଉଭା ହେଲେ । କହିଲେ, ତୋର ଘୋର ତପସ୍ୟାରେ ମୁଁ ମୁଗ୍ଧ ହୋଇଛି । କି ବର ମାଗୁଛୁ ମାଗ । ପୂର୍ବରୁ ମଧ୍ୟ ଥରେ ତପସ୍ୟା କରି ଦୁର୍ଗମ ବ୍ରହ୍ମାଙ୍କ ଠାରୁ ଗୋଟିଏ ବର ପାଇଥିଲା ଯେ ସଂସାରରେ ପୁରୁଷ ବା ଅନ୍ୟ କୌଣସି ପ୍ରାଣୀ ହାତରେ ତାର ମୃତ୍ୟୁ ହେବ ନାହିଁ । ତା’ ଛଡ଼ା ମର୍ତ୍ତ୍ୟ ଓ ପାତାଳ ତ ସାମାନ୍ୟ କଥା, ସେ ବ୍ରହ୍ମଲୋକ ଠାରୁ ବୈକୁଣ୍ଠ ଲୋକ ପର୍ଯ୍ୟନ୍ତ ମଧ୍ୟ ଅନାୟାସରେ ଯାତାୟାତ କରି ପାରିବ । ବ୍ରହ୍ମାଙ୍କ ଠାରୁ ଆଉ କି ବର ବା ସେ ମାଗନ୍ତା ! ତେଣୁ, ଯେଉଁ ଚାରିବେଦ ଯୋଗୁଁ ଦେବତାମାନେ ଶକ୍ତିଶାଳୀ ଓ ବହୁ କ୍ଷମତାର ଅଧିକାରୀ ହୋଇପାରିଛନ୍ତି, ବ୍ରହ୍ମାଙ୍କ ଠାରୁ ସେହି ଚାରି ବେଦଙ୍କୁ ହିଁ ସେ ମାଗିଲା ।
ଦୁର୍ଗମ ଅସୁରର ମନ୍ଦ ଉଦ୍ଦେଶ୍ୟ ବୁଝିପାରି ବ୍ରହ୍ମା ତାକୁ ବୁଝାଇବାକୁ ଚେଷ୍ଟା କଲେ । କହିଲେ, ଚାରିବେଦ ନେଇ ତୋର କି ଲାଭ ହେବ ? ବରଂ ତୁ ଚାହିଁଲେ ତୋ’ର ଅଜା ହିରଣ୍ୟକଶିପୁ ପରି ତିନିଲୋକର ଶାସନ ଅଧିକାର ମୁଁ ତୋତେ ଦେଇପାରେ । ମାତ୍ର ଦୁର୍ଗମ କୌଣସି କଥାରେ ରାଜି ହେଲା ନାହିଁ ।
ବ୍ରହ୍ମା ଜାଣିଥିଲେ, ଦୁର୍ଗମକୁ ଯଦି ସେ ଚାରିବେଦ ଦେଇଦେବେ, ତେବେ ଦୁର୍ଗମ ଦେବତାମାନଙ୍କ ଠାରୁ ମଧ୍ୟ ଶକ୍ତିଶାଳୀ ହୋଇଯିବ । ସେମାନଙ୍କୁ ଦାସ ପରି ଖଟାଇବ । ତେଣୁ ସେ ଦୁର୍ଗମକୁ ମାୟା ରୂପ ଧାରଣ କରି ପାରିବାର ଶକ୍ତି ଦେଲେ । କହିଲେ, ଯଦି ପାରିବୁ, ମାୟାରୂପ ଧରି ଯାଇ ସ୍ୱର୍ଗଲୋକରୁ ବେଦକୁ ଅପହରଣ କରି ନେ । ତାହା ଶୁଣି,
୧୬ . ଆମ ଦେବଦେବୀ