ନିଜ କଥା
ସବୁ ମଣିଷଙ୍କ ପରି ସବୁ ବହିର ବି ବୋଧହୁଏ ଗୋଟିଏ ଭାଗ୍ୟ ଥାଏ । ତା' ନହେଲେ ଦୀର୍ଘ ପ୍ରାୟ କୋଡ଼ିଏ ବର୍ଷ ତଳେ ଲେଖିଥିବା ଲେଖାଗୁଡ଼ିକୁ ନେଇ ଆଜି ଏ ବହି ପ୍ରକାଶ ପାଉ ନଥାନ୍ତା ।
ଆମର ଖୁବ୍ ପରିଚିତ ଷୋହଳ ଜଣ ଦେବଦେବୀଙ୍କୁ ନେଇ ଏ ବହି । ସେମାନଙ୍କ ମଧ୍ୟରେ ଯେମିତି ଗଣେଶ ଓ ସରସ୍ୱତୀଙ୍କ ପରି ବିଦ୍ୟାଦାତା ଓ ବିଦ୍ୟାଦାତ୍ରୀ ଅଛନ୍ତି, ସେମିତି ବି ଅଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; ଇନ୍ଦ୍ର, ଚନ୍ଦ୍ର ଓ ସୂର୍ଯ୍ୟ; ଦୁର୍ଗା, ଲକ୍ଷ୍ମୀ ଓ କାର୍ତ୍ତିକ । ପୁଣି ଗୋ-ମାତା କାମଧେନୁ, ପକ୍ଷୀରାଜ ଗରୁଡ଼ ଓ ସର୍ପରାଜ ବାସୁକୀ ଏବଂ ଆମ ଆଦିକବି ସାରଳା ଦାସଙ୍କ କଳ୍ପନାର ଅଦ୍ଭୁତ ଅବତାର ନବଗୁଞ୍ଜର ଓ ସଂକଟମୋଚନ ହନୁମାନ ବି ଅଛନ୍ତି ।
ମଝିରେ ମାତ୍ର ଗୋଟିଏ ମାସକୁ ଛାଡ଼ି,୧୯୯୦ ଅଗଷ୍ଟରୁ ୧୯୯୧ ନଭେମ୍ବର ପର୍ଯ୍ୟନ୍ତ ଏହି ଷୋହଳଟି ଲେଖାରୁ ପନ୍ଦରଟି, ମାସିକ 'ମୀନାବଜାର' ପତ୍ରିକାର ପ୍ରଚ୍ଛଦ କାହାଣୀ ଭାବରେ ପ୍ରକାଶ ପାଇଥିଲା । ସେତେବେଳେ ମୁଁ ଥିଲି ତା'ର ସହ-ସଂପାଦକ । କେବଳ ହନୁମାନ ଲେଖାଟି ପ୍ରକାଶ ପାଇଥିଲା ପ୍ରାୟ ଦେଢ଼ବର୍ଷ ପରେ, ୧୯୯୩ ଏପ୍ରିଲ୍ର ପ୍ରଚ୍ଛଦ କାହାଣୀ ଭାବରେ ।
ଆଜି ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ପରେ, ଲେଖାଗୁଡ଼ିକୁ ସାଉଁଟି ବହିଟିଏ କରିବାକୁ ଇଚ୍ଛା କଲାବେଳେ, କେତୋଟି ଲେଖାର କିଛି କିଛି ପୃଷ୍ଠା ହଜି ଯାଇଥିବା ଦେଖାଗଲା । ପୁଣି ହନୁମାନ ପରି ଗୋଟିଏ, ଦୁଇଟି ଲେଖା ବହୁ ଖୋଜିବା ପରେ ବି ମିଳିଲା ନାହିଁ । ତେଣୁ ସେସବୁକୁ ସଜାଡ଼ି ଓ ସ୍ଥଳ ବିଶେଷରେ ପୁନର୍ଲିଖିତ କରି, ପୁଣି ମିଳୁନଥିବା କେତୋଟିକୁ ନୂଆ କରି ଲେଖି ଏ ବହିଟି ହେଲା । ଗୋଟିଏ ଦୃଷ୍ଟିରୁ ଭଲ ହେଲା ଯେ ପ୍ରାୟ ସବୁ ଲେଖା ନୂଆ ହୋଇଗଲା ।