କାର୍ତ୍ତିକଙ୍କର ସ୍ପର୍ଦ୍ଧା ଶୁଣି ତାରକାସୁର କ୍ରୁଦ୍ଧ ହେଲା । ମୁଦ୍ଗର ଉଠାଇ ତାଙ୍କୁ ପ୍ରହାର କଲା । ମାତ୍ର କାର୍ତ୍ତିକ ତାହାକୁ ନିଜ ବଜ୍ର ଦ୍ୱାରା ତତ୍କ୍ଷଣାତ୍ ଖଣ୍ଡନ କରିଦେଲେ । ଏଥର ପୁଣି ଅନେକ ଶକ୍ତିଶାଳୀ ଅସ୍ତ୍ରରେ ସେ କାର୍ତ୍ତିକେୟଙ୍କୁ ପ୍ରହାର କଲା । ମାତ୍ର କାର୍ତ୍ତିକେୟ ସେହିସବୁ ଅସ୍ତ୍ରକୁ ଧରି ନେଇ ଗୁଣ୍ଡ କରିଦେଲେ । ତା'ପରେ ନିଜର ଗଦାକୁ ଟେକି ସେ ତାରକାସୁର ଉପରକୁ ନିକ୍ଷେପ କଲେ । ଶେଷରେ ସେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର ଅସୁର ଉପରକୁ ନିକ୍ଷେପ କଲେ । ତାହା ତୀବ୍ର ଗତିରେ ଯାଇ ତାରକାସୁରର ବଜ୍ରପରି ହୃଦୟରେ ବିଦ୍ଧ ହେଲା । ତାହାର ମୁଣ୍ଡ, ମୁକୁଟ, କୁଣ୍ଡଳ ଓ କବଚ ଛିନ୍ନଭିନ୍ନ ହୋଇଲା । ଭୟଙ୍କର ଗର୍ଜନ କରି ତା'ର ମୃତ୍ୟୁ ହେଲା ।
ତାରକାସୁରର ମୃତ୍ୟୁ ହେବାରୁ ଦେବତା, ମୁନି, ଋଷି ଆଦିଙ୍କର ଆନନ୍ଦର ସୀମା ରହିଲା ନାହିଁ । ପ୍ରସନ୍ନ ଚିତ୍ତରେ ସମସ୍ତେ କାର୍ତ୍ତିକଙ୍କର ସ୍ତୁତି କରିବାକୁ ଲାଗିଲେ ।
କାର୍ତ୍ତିକ ବୀର ଓ ତାଙ୍କର ରୂପ ଖୁବ୍ ସୁନ୍ଦର । ତାମିଲ ଭାଷାରେ 'ମୁରୁଗୁ'ର ଅର୍ଥ ସୌନ୍ଦର୍ଯ୍ୟ । ତେଣୁ ସେହି ଭାଷାରେ କାର୍ତ୍ତିକଙ୍କୁ 'ମୁରୁଗାନ୍' କୁହାଯାଏ । ତେଣୁ କାର୍ତ୍ତିକଙ୍କ ପରି ବୀର ଓ ସୁନ୍ଦର ବର ମିଳୁ ବୋଲି ସାଧାରଣତଃ ଝିଅମାନଙ୍କୁ ଆଶୀର୍ବାଦ କରାଯାଇଥାଏ ।
ଦକ୍ଷିଣ ଭାରତରେ କାର୍ତ୍ତିକଙ୍କ ଉପାସନା ଖୁବ୍ ଲୋକପ୍ରିୟ । ମାତ୍ର ଆମ ରାଜ୍ୟରେ ତାଙ୍କର ଉପାସନା ପ୍ରାୟ ନାହିଁ । କେବଳ କାର୍ତ୍ତିକ ପୂର୍ଣ୍ଣମୀ ସମୟରେ କଟକ ସହର ଓ ଅନ୍ୟ କେତେକ ସ୍ଥାନରେ କାର୍ତ୍ତିକେଶ୍ୱରଙ୍କର ମେଢ଼ ଓ ମୂର୍ତ୍ତି ହୁଏ । ତେବେ ରାଜ୍ୟର ଶିବ ମନ୍ଦିରଗୁଡ଼ିକରେ ପାଶ୍ୱର୍ଦେବତା ରୂପେ କାର୍ତ୍ତିକଙ୍କର ମୂର୍ତ୍ତି ଥିବା ଦେଖାଯାଏ ।
କେତେକ ଗବେଷକଙ୍କ ମତରେ ଭୁବନେଶ୍ୱରର 'ଖଣ୍ଡଗିରି'ର ନାମ ପ୍ରଥମେ 'କୁମାରଗିରି' ଥିଲା । 'କୁମାର' ଓ 'ସ୍କନ୍ଦ' କାର୍ତ୍ତିକଙ୍କର ଦୁଇଟି ନାମ । ତେଣୁ 'କୁମାରଗିରି' ପରେ 'ସ୍କନ୍ଦଗିରି' ହୋଇ ପରେ 'ଖଣ୍ଡଗିରି' ହୋଇଛି । ଓଡ଼ିଶାରେ ଯେ ଦିନେ କାର୍ତ୍ତିକେୟଙ୍କର ଉପାସନା ଥିଲା, ଏହି ଖଣ୍ଡଗିରି ତାହାର ପ୍ରମାଣ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାର ବିମଳା ମନ୍ଦିରର ପ୍ରବେଶ ପଥର ଡାହାଣ ପଟେ କାର୍ତ୍ତିକେୟଙ୍କର ଛଅମୁଖ ଓ ବାରହାତର ଏକ ସୁନ୍ଦର ମୂର୍ତ୍ତି ଅଛି । ସଂସ୍କୃତ ଶାସ୍ତ୍ର, ଗ୍ରନ୍ଥମାନଙ୍କରେ କାର୍ତ୍ତିକଙ୍କର ବହୁ ଧ୍ୟାନଶ୍ଳୋକ ଅଛି । ସେଥିରୁ ଗୋଟିଏରେ କୁହାଯାଇଛି-
ନମାମି ନିତ୍ୟଂ ଶିଖିପୃଷ୍ଠସଂସ୍ଥିତଂ ଗୌରୀସୁତଂ ସ୍କନ୍ଦଷଡ଼ାନନଂ ବିଭୁଂ ।
ତଂ ରୁଦ୍ରପୁତ୍ରଂ ସୁରଲୋକବନ୍ଦ୍ୟଂ ଭଜାମି ଦେବାଗ୍ରସେନାଗ୍ରଗଣ୍ୟମ୍ ॥
୩୦ . ଆମ ଦେବଦେବୀ