ଶୀଳ, ବିଦ୍ୟା, ବିନୟ, ଔଦାର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ କାନ୍ତି ଆଦି ସମସ୍ତ ସଦ୍ଗୁଣ ଜାତ ହୁଏ । ତାହା ଫଳରେ ମନୁଷ୍ୟ ମଧ୍ୟରେ ବିଶ୍ୱପ୍ରେମ ଜାଗ୍ରତ ହୁଏ । ତାହାର ସମସ୍ତ ସମୃଦ୍ଧି ହୁଏ । ସମସ୍ତେ ତାହାକୁ ଆଦର କରନ୍ତି ।
ତା'ପରେ ଦେବଗଣ କ୍ଷୀରସାଗର ସଂଭୂତା ଲକ୍ଷ୍ମୀଦେବୀଙ୍କର ଅଭିଷେକ କରାଇଲେ । ଲକ୍ଷ୍ମୀଦେବୀ ପ୍ରସନ୍ନା ହୋଇ ପୁନର୍ବାର ରାଜଲକ୍ଷ୍ମୀ ଭାବରେ ସ୍ୱର୍ଗରାଜ୍ୟରେ ଅବସ୍ଥାନ କଲେ । ଏହା ଫଳରେ ସ୍ୱର୍ଗଲୋକର ଶ୍ରୀ ଓ ଐଶ୍ୱର୍ଯ୍ୟ ପୁଣି ଫେରିଆସିଲା । ଦେବତାମାନେ ମଧ୍ୟ ସେମାନଙ୍କର ହୃତ ତେଜ ଓ ଶକ୍ତି ଫେରିପାଇଲେ ।
ମହାଲକ୍ଷ୍ମୀଙ୍କ ମୂଳ ସତ୍ତାର ଅଂଶରୁ ସୃଷ୍ଟି ହୋଇଥିବାରୁ ବିଷ୍ଣୁ ତାଙ୍କୁ ନିଜର ପତ୍ନୀ ରୂପେ ଗ୍ରହଣ କଲେ ।
ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ ଲକ୍ଷ୍ମୀଙ୍କୁ ପୁଣି ଫେରିପାଇବା ପାଇଁ ଇନ୍ଦ୍ରାଦି ଦେବଗଣ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ଲକ୍ଷ୍ମୀ କେଉଁ ସବୁ ସ୍ଥାନରେ ଅବସ୍ଥାନ କରନ୍ତି, ସେ ସମ୍ପର୍କରେ ବିଷ୍ଣୁ ସେମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ । ସେତେବେଳେ ସେ କହିଥିଲେ, ଯେଉଁ ସ୍ଥାନ ଅପରିଷ୍କାର ବା ଅପବିତ୍ର ହୋଇଥାଏ, ସେ ସ୍ଥାନକୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି । ଯେଉଁ ସ୍ଥାନ ରୁଚିବନ୍ତ ଓ ଶୁଚିମନ୍ତ, ସେହି ସ୍ଥାନରେ ହିଁ ଲକ୍ଷ୍ମୀ ଅବସ୍ଥାନ କରନ୍ତି ।
ଏ ସମ୍ପର୍କରେ ଆମ ଓଡ଼ିଶାର ପୁରାଣମାନଙ୍କରେ ଏକ ଚମତ୍କାର କାହାଣୀ ଅଛି । ବଳରାମ ଦାସଙ୍କ 'ଲକ୍ଷ୍ମୀପୁରାଣ'ରେ ହିଁ ଅଧିକ ବିଶଦ ଭାବରେ ସେହି କାହାଣୀ ବର୍ଣ୍ଣିତ ହୋଇଛି । କାହାଣୀଟି ଏହପରି :
ଶ୍ରୀୟା ନାମରେ ଏକ ଚଣ୍ଡାଳୁଣୀ ଥିଲା । ସେ ପ୍ରତି ଗୁରୁବାର ଦିନ, ବିଶେଷକରି ମାର୍ଗଶିର ମାସ ଗୁରୁବାର ଦିନ ଅତ୍ୟନ୍ତ ଶୁଚିମନ୍ତ ହୋଇ ଲକ୍ଷ୍ମୀଙ୍କୁ ପୂଜା କରେ । ଥରେ ଲକ୍ଷ୍ମୀ ତା’ର ଭକ୍ତିରେ ଓ ତା’ ଘରର ଶୁଚିମନ୍ତ ପରିବେଶରେ ମୁଗ୍ଧ ହୋଇ ତା’ ଘରକୁ ଯାଇ ତା’ଠାରୁ ପୂଜା ଗ୍ରହଣ କଲେ । ମାତ୍ର ତାହା ତାଙ୍କର ଦେଢ଼ଶୁର ବଳରାମଙ୍କର ପସନ୍ଦ ହେଲା ନାହିଁ । ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ବାହାର କରିଦେବା ପାଇଁ ସେ ଜଗନ୍ନାଥଙ୍କୁ କହିଲେ । ଜଗନ୍ନାଥ ଯେତେ ବୁଝାଇଲେ ମଧ୍ୟ ଶୁଣିଲେ ନାହିଁ । ଫଳରେ ବାଧ୍ୟ ହୋଇ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ରହିବାକୁ ଜଗନ୍ନାଥ ଅନୁମତି ଦେଲେ ନାହିଁ । ଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ଚାଲିଯିବାରୁ ଶ୍ରୀମନ୍ଦିର ହତଶ୍ରୀ ହୋଇଗଲା । ଜଗନ୍ନାଥ ଓ ବଳଭଦ୍ର, ଖାଇବା ପିନ୍ଧିବା ପାଇଁ କିଛି ପାଇଲେ ନାହିଁ । ଖୁବ୍ ହଇରାଣ ହରକତ ହେଲେ । ସବା ଶେଷରେ ଲକ୍ଷ୍ମୀ ରାନ୍ଧି ଖାଇବାକୁ ଦେବାରୁ ଖାଇଲେ । ସେମାନଙ୍କର ଭ୍ରମ ଦୂର ହେଲା ।
ଆମ ଦେବଦେବୀ . ୩୫