ଆଜିର ପିଲାଏ, ଆମ ପୁରାଣ ପରଂପରା ସହିତ ପ୍ରାୟ ପରିଚିତ ନୁହନ୍ତି । ସେମାନେ ହୁଏତ ସ୍କୁଲ୍, କଲେଜରେ ଗଣେଶ ଓ ସରସ୍ୱତୀ ପୂଜା ଏବଂ ସାମାଜିକ ପର୍ବ, ଉତ୍ସବରେ ଦୁର୍ଗା, ଲକ୍ଷ୍ମୀ, ଶିବ ଓ ହନୁମାନ ଆଦିଙ୍କୁ ପୂଜା, ଭକ୍ତି କରନ୍ତି; ମାତ୍ର ସେମାନଙ୍କର ସ୍ୱରୂପ ଓ ବିଶେଷତ୍ୱ ସଂପର୍କରେ ବେଶି କିଛି ଜାଣନ୍ତି ନାହିଁ । ଗପ ଛଳରେ ସେମାନଙ୍କୁ ସେସବୁ ସହ ଯୋଡ଼ିବାର ଚେଷ୍ଟା ଏଥିରେ ମୁଁ କରିଛି । ପୁଣି ଗୋଟିଏ ଗୋଟିଏ ଗପ ଭିତରେ ଗୁନ୍ଥା ଗୁନ୍ଥି ହୋଇ ରହିଛି ଅନେକ ଗୁଡ଼ିଏ ଗପ । ଏହା ଯେ ସେମାନଙ୍କୁ ଆନନ୍ଦ ଦେବ, ସେମାନଙ୍କ ଜ୍ଞାନ ବଢ଼ାଇବ, ଆମ ପୁରାଣ ପରଂପରା ସହ ସେମାନଙ୍କୁ ଯୋଡ଼ିବ, ଏଥିରେ ମୁଁ ନିଃସନ୍ଦେହ ।
ଆଜି 'ହ୍ୟାରି ପୋଟର' ପରି ଉପନ୍ୟାସମାଳା ଇଂଲିଶ୍ ପଢ଼ୁଆ ପିଲାଙ୍କ ଭିତରେ ଖୁବ୍ ଆଦର ପାଉଛି । କିନ୍ତୁ ଆମ ପୁରାଣ କାହାଣୀ ଭିତରେ ଯେ ସେପରି ବହୁ ରୋମାଞ୍ଚକର ଉପାଦାନ ଭରି ରହିଛି, ସେ ସଂର୍ପକରେ ହୁଏତ ଆମେ ନିଜେ ବି ସଚେତନ ନୋହୁ । ଆମ ପୁରାଣ କାହାଣୀ କହେ, ଦିନେ ସବୁ ପର୍ବତଙ୍କର ଡେଣା ଥିଲା । ସେମାନେ ମନଇଚ୍ଛା ଆକାଶରେ ଉଡ଼ି ବୁଲୁଥିଲେ । ବଜ୍ର ମାରି ଇନ୍ଦ୍ର ସେମାନଙ୍କର ପକ୍ଷ ଚ୍ଛେଦିଦେଲେ । କାର୍ତ୍ତିକଙ୍କୁ ଛଅଜଣ ମାଆ ଏକାବେଳକେ କ୍ଷୀର ପିଆଇବାକୁ ଚାହିଁବାରୁ ସେ ଛଅ ମୁହଁ ହୋଇଗଲେ । ସେମିତି ଶିବଙ୍କ କଣ୍ଠ କାହିଁକି ନୀଳ, ନାଲି ପିଆଜ କାହିଁକି ନାଲି ଓ ଧଳା ପିଆଜ କାହିଁକି ଧଳା, ସାପଙ୍କ ଜିଭ କାହିଁକି କଟା- ଏମିତି ଶହ ଶହ କାହାଣୀ ସେମାନେ ଏ ବହିରୁ ପାଇବେ । ପୁଣି ସୂର୍ଯ୍ୟଙ୍କର ସାତ ଘୋଡ଼ା ଓ ଚନ୍ଦ୍ରଙ୍କର ସତେଇଶ ସ୍ତ୍ରୀ ପରି ଗପର ଯେ ବୈଜ୍ଞାନିକ ଭିତ୍ତି ରହିଛି, ତାହା ମଧ୍ୟ ସେମାନେ ଜାଣି ପାରିବେ ।
ଏଣୁ ଏ ବହି ପଢ଼ି, ଆମ ପୁରାଣ ପରଂପରା ଓ ଆମ ପାରଂପରିକ ମୂଲ୍ୟବୋଧ ସହ ଆମ ପିଲାଏ ଯଦି କିଛି ପରିମାଣରେ ଯୋଡ଼ି ହେବେ, ତେବେ ଏହାର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମୁଁ ଭାବିବି । ଏସବୁ କିଛି ନ ହୋଇ, ଗପଗୁଡ଼ିକ ପଢ଼ି ସେମାନେ ଯଦି କେବଳ ଖୁସି ହେବେ; ତେବେ ବି ମୁଁ ଆହୁରି ବେଶି ଖୁସି ହେବି ।
ଅସିତ ମହାନ୍ତି