ପୃଷ୍ଠା:Aama Debadebi.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତା’ପରେ ଶିବ ଓ ପାର୍ବତୀ ବାଦଲ ଉପରକୁ ଚାଲିଗଲେ । ବାଦଲର ଆଉ ଗୋଟିଏ ନାଆଁ ଜୀମୂତ । କେତୁ ଅର୍ଥାତ୍ କେତନ ବା ପତାକା- ଯାହା ଉପରେ ଉଡେ । ତେଣୁ, ସେଇ ଦିନଠୁ ଶିବଙ୍କର ନାଆଁ ହେଲା ଜୀମୂତକେତୁ ।

ଏହିପରି ଶିବଙ୍କର ସରଳତା ଓ ଉଦାରତାର ବହୁ କାହାଣୀ ପୁରାଣମାନଙ୍କରେ ରହିଛି । ସେ ଭାରି ଦୟାଳୁ । କେହି ତାଙ୍କୁ ନିଷ୍ଠାର ସହ ପ୍ରାର୍ଥନା କଲେ ସେ ନିଶ୍ଚୟ ସନ୍ତୁଷ୍ଟ ହୁଅନ୍ତି । ମାତ୍ର ସେ ଅନ୍ୟାୟ ସହନ୍ତି ନାହିଁ । ସେ ରାଗିଲେ ମୁହୂର୍ତ୍ତକରେ ସମଗ୍ର ଚରାଚରକୁ ଧ୍ୱଂସ କରିଦେଇ ପାରନ୍ତି । ଶ୍ୱଶୁର ଦକ୍ଷ ତାଙ୍କର ପତ୍ନୀ ସତୀ (ପାର୍ବତୀ)ଙ୍କୁ ଅପମାନିତ କରିବାରୁ ସତୀ ଦକ୍ଷଙ୍କ ଯଜ୍ଞ କୁଣ୍ଡରେ ଝାସ ଦେଇଥିଲେ । ସେହି ଘଟଣାରେ ଶିବ ରାଗିଯାଇ ଦକ୍ଷଙ୍କ ଯଜ୍ଞକୁ ଧ୍ୱଂସ କରି ଦେଇଥିଲେ । ସତୀଙ୍କ ଶବକୁ ଧରି ତାଣ୍ଡବ ନୃତ୍ୟ କରିଥିଲେ ।

ମାଘ କୃଷ୍ଣ ଚତୁର୍ଦ୍ଧଶୀ ଦିନଟି ଶିବ ଚତୁର୍ଦ୍ଧଶୀ ନାମରେ ପ୍ରସିଦ୍ଧ । ଏହିଦିନ ଭାରତରେ ଚାରିଆଡେ଼ ଶିବ ପୂଜା କରାଯାଏ । ସେଦିନ ସାରାରାତି ଉଜାଗର ରହି ଲୋକମାନେ ଦୀପ ଜାଳି ଶିବଙ୍କୁ ପୂଜା କରନ୍ତି । ଶିବଙ୍କୁ ପୂଜା କଲେ ବହୁ ଶୁଭ ଫଳ ମିଳିଥାଏ । ଶିବ ମଧ୍ୟ ପରମ ଶାନ୍ତ ଓ ଯୋଗୀରାଜ । ତେଣୁ ମନର ଶାନ୍ତି ଓ ଚରିତ୍ରର ସଂଯମ ପାଇଁ ଶିବଙ୍କୁ ପୂଜା କରାଯାଏ ।

ଶିବଙ୍କର ବିଭିନ୍ନ ସ୍ୱରୂପ ପାଇଁ ଭିନ୍ନ ଭିନ୍ନ ଧ୍ୟାନ ଅଛି । ମହାଦେବ ବା ମହେଶ ଭାବରେ ଶିବଙ୍କୁ ଯେଉଁ ଧ୍ୟାନ କରାଯାଇଛି, ତାହା ଖୁବ୍ ଚମତ୍କାର । ସେହି ଧ୍ୟାନଟି ହେଉଛି-

ଧ୍ୟାୟେନ୍ନିତ୍ୟଂ ମହେଶଂ ରଜତଗିରିନିଭଂ ଚାରୁଚନ୍ଦ୍ରାବତଂସଂ
ରତ୍ନକଳ୍ପୋଜ୍ଜ୍ୱଳାଙ୍ଗ ପରଶୁମୃଗବରା ଭୀତିହସ୍ତଂ ପ୍ରସନ୍ନମ୍
ପଦ୍ମାସୀନଂ ସମନ୍ତାତ୍ ସ୍ତୁତମମରଗଣୈ ର୍ବ୍ୟାଘ୍ରକୃତ୍ତିଂ ବସନଂ
ବିଶ୍ୱାଦ୍ୟଂ ବିଶ୍ୱବୀଜଂ ନିଖିଳଭୟହରଂ ପଞ୍ଚବକ୍ତ୍ରଂ ତ୍ରିନେତ୍ରମ୍ ॥

ଅର୍ଥାତ୍- ରୂପା ପର୍ବତ ପରି ଯାହାଙ୍କର ଶରୀରର କାନ୍ତି; ଯେ ସୁନ୍ଦର ଚନ୍ଦ୍ରମାଙ୍କୁ ଅଳଙ୍କାର ରୂପେ ଧାରଣ କରିଥାନ୍ତି; ରତ୍ନାଦି ଆଭରଣରେ ଯାହାଙ୍କର ଶରୀର ଉଜ୍ଜ୍ୱଳ; ଯାହାଙ୍କର ହାତରେ ପରଶୁମୃଗ, ବର ଓ ଅଭୟ ଆଦି ଶୋଭିତ; ଯେ ଚିର ପ୍ରସନ୍ନ, ଶାନ୍ତ ଓ ପଦ୍ମାସନରେ ଆସୀନ; ଦେବତାମାନେ ଯାହାଙ୍କୁ ଚତୁର୍ଦ୍ଦିଗରେ ରହି ସ୍ତୁତି କରୁଥାଆନ୍ତି; ଯେ ବ୍ୟାଘ୍ର ଚର୍ମ ପରିଧାନ କରିଥାନ୍ତି ଏବଂ ଏହି ବିଶ୍ୱର ଆଦି ଓ ସଂସାରସୃଷ୍ଟିର ବୀଜ; ଯେ ସମସ୍ତ ଭୟର ବିନାଶକାରୀ; ଯାହାଙ୍କର ପଞ୍ଚମୁଖ ଓ ତ୍ରିନେତ୍ର- ସେହି ଦେବାଧିଦେବ ମହାଦେବ ଶିବଙ୍କୁ ନିତ୍ୟ ଧ୍ୟାନ କରିବା ଉଚିତ ।

୬୦ . ଆମ ଦେବଦେବୀ