ପୃଷ୍ଠା:Aama Gangadhara.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଉଥିଲା । କିନ୍ତୁ ସୁନ୍ଦରୀ ପତ୍ନୀ, ଉତ୍ତମ ଶାଢ଼ି ବୁଣାକାରର ଖ୍ୟାତି, ସୁନ୍ଦର ହସ୍ତାକ୍ଷର ପାଇଁ ପ୍ରଶଂସା, ପୂର୍ବତୁଳନାରେ ଅଧିକ ଉପାର୍ଜନ - ଏସବୁ ଗଙ୍ଗାଧରଙ୍କୁ ବୋଧହୁଏ ସୁଖୀ କରିପାରୁ ନଥିଲା । ସେଥିପାଇଁ ଏକାକୀ ଲୁଗା ବୁଣିବା ବେଳେ ସେ ବିରକ୍ତ ହେଉଥିଲେ । ମନ ତାଙ୍କର ପଢ଼ିବା ପାଇଁ, ଅଧିକ ଜାଣିବା ପାଇଁ ବ୍ୟାକୁଳ ଥିବାରୁ ତାଙ୍କୁ ବିରକ୍ତ ଲାଗୁଥିଲା । ଠିକ୍‍ ଏତିକି ବେଳକୁ ଘରପୋଡ଼ି ଭଳି ବିପତ୍ତିର ସାମ୍ନା ତାଙ୍କୁ କରିବାକୁ ପଡ଼ିଲା । ଘରପୋଡ଼ିରେ ତନ୍ତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ପୋଡ଼ିଗଲା । ପରେ ଗଙ୍ଗାଧର ସେଗୁଡ଼ିକୁ ପଡ଼ୋଶୀମାନଙ୍କ ପାଖରୁ ଯୋଗାଡ଼ କରିଥିଲେ ।

ପଣ୍ଡିତ ଘନଶ୍ୟାମ ମିଶ୍ର ବରପାଲି ଛାଡ଼ିବା ପରେ ୧୮୭୯ ଖ୍ରୀଷ୍ଟାବ୍ଦରେ ବନମାଳୀ ଆଚାର୍ଯ୍ୟ ଶିକ୍ଷକ ରୂପେ ଯୋଗ ଦେଇଥିଲେ । ସେ ଛୁଟିନେଇ ଚାଲିଯିବା ପରେ ପଣ୍ଡିତ ଲକ୍ଷ୍ମଣ ମିଶ୍ର ଯୋଗଦେଲେ । ପଣ୍ଡିତ ମିଶ୍ରଙ୍କ ସହଯୋଗରେ ଗଙ୍ଗାଧର ସେତେବେଳର ନିୟମାନୁଯାୟୀ 'ଭିଲେଜ୍‍ସ୍କୁଲ' ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଲେ । ୧୮୮୨ ଖ୍ରୀ.ଅ.ରେ ସମ୍ବଲପୁର ଯାଇ ପରୀକ୍ଷା ଦେଲେ । ଗଣିତରେ ଭଲ ନମ୍ବର ରଖି ନପାରିବାରୁ ଏବଂ ମଧ୍ୟପ୍ରଦେଶ ଲୋକଙ୍କ ଉଚ୍ଚାରଣକୁ ଠିକ୍‍ଭାବେ ବୁଝି ନ ପାରିବାରୁ ସେ ଭିଲେଜ୍‍ସ୍କୁଲ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ । ଦେଶୀୟ ପାଠଶାଳାର ସାର୍ଟିଫିକେଟ ପାଇଲେ ।

ଏହାପରେ ଗଙ୍ଗାଧର ପାଠ ପଢ଼ିବାପାଇଁ ଆଉ ସ୍କୁଲ୍‍କୁ ଗଲେ ନାହିଁ । କିନ୍ତୁ ପଢ଼ାପଢ଼ି ଚାଲୁରଖିଲେ । ତାଙ୍କ ପାଇଁ ଜୀବନ ଥିଲା ଏକ ବିଦ୍ୟାଳୟ । ଜୀବନ ଓ ପ୍ରକୃତିର ଚିରକାଳର ମୁଗ୍ଧ ପାଠକ ଥିଲେ ଗଙ୍ଗାଧର । ଏହାସହିତ ଶିକ୍ଷାୟତନ ଛାଡ଼ିବା ପରେ ବି ବଙ୍ଗଳା, ହିନ୍ଦୀ ଓ ଓଡ଼ିଆ ଭାଷାର ଅନେକ ଗ୍ରନ୍ଥ ସେ ଅଧ୍ୟୟନ କରିଥିଲେ । କାମ ଚଳାଇବା ଭଳି ଇଂରାଜିଶିକ୍ଷା ସେ ଲାଭ କରିଥିଲେ ବରପାଲିର ଯୁବରାଜଙ୍କ ଗୃହଶିକ୍ଷକ ଅକ୍ଷୟବାବୁ ଓ ପରେ ସୂର୍ଯ୍ୟ କୁମାର ମିତ୍ରଙ୍କ ଠାରୁ । ଏହା ୧୮୮୭-୮୮ ମସିହାର କଥା ।

ସ୍କୁଲ୍‍ ଛାଡ଼ିବା ପରେ ଗଙ୍ଗାଧର ଅନ୍ୟାନ୍ୟ ଗ୍ରନ୍ଥ ପଢ଼ିଥିଲେ । ସେ ବଳରାମ ଦାସଙ୍କ 'ରାମାୟଣ', ଉପେନ୍ଦ୍ରଭଞ୍ଜଙ୍କ 'ଲାବଣ୍ୟବତୀ', 'ରସିକ ହାରାବଳୀ', 'ସୁଭଦ୍ରା ପରିଣୟ','ବୈଦେହୀଶ ବିଳାସ', ଦୀନକୃଷ୍ଣ ଦାସଙ୍କ 'ରସକଲ୍ଲୋଳ' ଆଦି ପଢ଼ିଥିଲେ । ତାଙ୍କ କାବ୍ୟ-କବିତା କୃତିରୁ ଜଣାଯାଏ ଯେ ସେ ସିଦ୍ଧେଶ୍ୱର ଦାସଙ୍କ 'ବିଚିତ୍ର ରାମାୟଣ', ବିଶ୍ୱନାଥ ଖୁଣ୍ଟିଆଙ୍କ 'ରାମାୟଣ', ସାରଳା ଦାସଙ୍କ 'ମହାଭାରତ', ଜଗନ୍ନାଥ ଦାସଙ୍କ 'ଭାଗବତ', ଉପେନ୍ଦ୍ର ଭଞ୍ଜଙ୍କ 'ରସଲେଖା' ସମେତ ସଂସ୍କୃତ ସାହିତ୍ୟର ଅନୁପମ କୃତି, ବ୍ୟାସକୃତ 'ମହାଭାରତ', ବାଲ୍ମୀକିଙ୍କ 'ରାମାୟଣ', ଭବଭୂତିଙ୍କ 'ଉତ୍ତର ରାମଚରିତ', କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ୍‍' ଓ 'ରଘୁବଂଶମ୍‍' ଆଦି ଅଧ୍ୟୟନ କରିଥିଲେ । ଅଓ୍ୱଧିଭାଷାରେ ଲିଖିତ 'ରାମଚରିତ ମାନସ' ମଧ୍ୟ ସେ ପଢ଼ିଥିଲେ । 'ନୈଷଧ' କାବ୍ୟରେ ଶ୍ରୀହର୍ଷ ନଳଙ୍କ ପାଠପଢ଼ା ସମ୍ବନ୍ଧରେ କହିଥିବା ଉକ୍ତି- 'ଅଧିତି ବୋଧା ଆଚରଣ ପ୍ରଚାରଣୈ' ଗଙ୍ଗାଧରଙ୍କ ପ୍ରତି ପ୍ରଯୁଜ୍ୟ । ଯାହା ଯେତିକି ସେ ପଢ଼ିଥିଲେ ତାହା ଭଲ ଭାବେ ବୁଝିଥିଲେ, ଆଚରଣ ମାଧ୍ୟମରେ ତହିଁର ତାତ୍ପର୍ଯ୍ୟ କଳନା କରିଥିଲେ;