ପୃଷ୍ଠା:Aama Gangadhara.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯେପରି ସଂକୁଚିତ ହୁଅନ୍ତି, ପର-ପ୍ରଶଂସାରେ ସେହିପରି ପ୍ରଫୁଲ୍ଲ ହୁଅନ୍ତି । ତାଙ୍କର ଚକ୍ଷୁ ଅବିକୃତ ଜ୍ଞାନାଞ୍ଜନରେ ପରିଷ୍କୃତ । ସେ ଗୋଟିଏ ପୁଷ୍ପର ସୌନ୍ଦର୍ଯ୍ୟ ଓ ସୌରଭରେ ଯେପରି ସଂପ୍ରୀତ ହୁଅନ୍ତି, ଜଣେ ରତ୍ନାଳଙ୍କାରମଣ୍ଡିତ ଅତର-ସୁବାସିତ ରାଜାଙ୍କର ସୌନ୍ଦର୍ଯ୍ୟରେ ତହିଁର ଶତାଂଶ ପ୍ରୀତିଲାଭ କରିପାରନ୍ତି ନାହିଁ । ଅଥୈକ ଦୃକ୍‍ପଦୈକ ଦୃକ୍‍ସ୍ୱାର୍ଥପର ସଂସାରକୁ ସେ ବଡ଼ ବିଷମବୋଧ କରନ୍ତି ।

ଅଶିକ୍ଷିତ ବ୍ୟକ୍ତି ପଶୁତୁଲ୍ୟ ନିକୃଷ୍ଟ କାର୍ଯ୍ୟରେ, ନିକୃଷ୍ଟ ସଙ୍ଗରେ, ନିକୃଷ୍ଟ ଭାବରେ କାଳହରଣ କରେ । ସେ ବର୍ତ୍ତମାନକାଳର ସ୍ୱଦେଶର ରୀତିନୀତି ସୁଦ୍ଧା ଅବଗତ ହେବାକୁ ଅକ୍ଷମ । ଶାରୀରିକ ପରିଶ୍ରମ, ଭୋଜନ ଓ ନିଦ୍ରା ତାହାର ପ୍ରଧାନ କାର୍ଯ୍ୟ । ତାହାର ଦୃଷ୍ଟି ଯେତିକି ଦୂର ଯାଏ, ସେ ତାହା ଜଗତର ଶେଷସୀମା ବୋଲି ବିଚାର କରେ । ସେ ନିନ୍ଦା-ପ୍ରଶଂସାଜ୍ଞାନବର୍ଜିତ ହୋଇ ନିଜର ସୁବିଧା ଅନୁସାରେ କାର୍ଯ୍ୟ କରିବାରେ ଅକୁଣ୍ଠିତ । କୁତ୍ସିତ ଅଶ୍ଳୀଳ ଗାନ ତାହାର ପ୍ରାଣହର ସଂଗୀତ । ଗ୍ରାମ୍ୟ ଗୀତାବଳୀ ତାହାର ପ୍ରଧାନ ସାହିତ୍ୟ । ଅତି ଜଘନ୍ୟ ବେଶ୍ୟାନୃତ୍ୟାଦି ତାହାର ପ୍ରଧାନ ଦର୍ଶନୀୟ, ଦ୍ୟୁତକ୍ରୀଡ଼ା ପ୍ରଧାନ ଆମୋଦ । ତାହାର ହୃଦୟ ଅରଣ୍ୟ ତୁଲ୍ୟ ଦୁର୍ଗମ, କାମକ୍ରୋଧାଦି ଶ୍ୱାପଦସଂକୁଳ । ତାହାର ଚକ୍ଷୁ ଚିରବିକୃତ । ସେହି ଚକ୍ଷୁରେ ହୀରା ଜିରା ସମାନ ପ୍ରତୀୟମାନ ହୁଏ ।

ଶିକ୍ଷାଭିମାନୀ ସତ୍‍ସଙ୍ଗ ଓ ସତ୍‍କାର୍ଯ୍ୟର ଛଳମାତ୍ର କରି, ଅସତ୍‍ ସଙ୍ଗ ଓ ଅସତ୍‍ କାର୍ଯ୍ୟରେ ଆସକ୍ତ ଥାଇ ଜୀବିକା ନିର୍ବାହ କରେ । ବିଷ୍ଣୁନାମ ଜପଛଳରେ କୂଟ ମନ୍ତ୍ରଣା କରେ । ଦୁଇ-ଚାରିଟା ଶ୍ଳୋକ କଣ୍ଠସ୍ଥ କରି ଖଣ୍ଡିଏ ବୃହଦାକାର ପୁସ୍ତକ ଧରି ଜଗତକୁ ପ୍ରତାରଣା କରିବା ତାହାର ଜୀବନ ବ୍ରତ । ତିିନି-ଚାରିଟା ଦୁର୍ବୋଧ୍ୟ ଶ୍ଳୋକରେ ସେ ଜଗଜ୍ଜୟ କରିବାକୁ ବସିଥାଏ । ଧନୀମାନଙ୍କର ଅଯଥା ପ୍ରଶଂସାଗାନରେ ସେ ଚିରାଭ୍ୟସ୍ତ । ସେ ପର-ପ୍ରଶଂସାରେ ଯେପରି କ୍ଷୁବ୍ଧ, ନିଜ ପ୍ରଶଂସାରେ ସେପରି ପ୍ରଫୁଲ୍ଲ ହୋଇଥାଏ । ଅନ୍ୟଦ୍ୱାରା ପ୍ରଶଂସିତ ହେବାକୁ ଅପେକ୍ଷା ନ କରି ନିଜେ ନିଜର ପ୍ରଶଂସା କରି ସୁଖୀ ହେଉଥାଏ; ଅନ୍ୟକୁ ନାନା ଧର୍ମପଥ ଦେଖାଇ ନିଜେ ଘୋର ପାପାଚରଣରେ ପ୍ରବୃତ୍ତ ଥାଏ । ତାହାର ହୃଦୟ ମିଥ୍ୟା, କପଟତା, କୁଟିଳତାଦି ରାକ୍ଷସଗଣର ପ୍ରିୟ ନିବାସ । ତାହା ମତରେ ତାହାରି ଗୃହରେ ଜଗତର ଦୁର୍ଲ୍ଲଭ ଗ୍ରନ୍ଥ ସୁରକ୍ଷିତ, ତ୍ରିକାଳଘଟନାବଳୀ ତାହାର କରପଦ୍ମରେ, ତାହାର ପିତା ପୃଥିବୀର ଅଦ୍ୱିତୀୟ ପଣ୍ଡିତ, ତାହାର ପିତାମହର କଣ୍ଠରେ ସରସ୍ୱତୀ ନୃତ୍ୟ କରୁଥିଲେ । ଆଉ ଏକ ଶ୍ରେଣୀର ଶିକ୍ଷାଭିମାନୀଙ୍କ ମତରେ କୌଣସି ପ୍ରକାର ବିଦ୍ୟାଳୟର ସାର୍ଟିଫିକେଟ ଖଣ୍ଡିଏ ପାଇପାରିଲେ ଶିକ୍ଷା ଶେଷ, ପରିଚ୍ଛଦାଡ଼ମ୍ବର ଶିକ୍ଷାର ନିଦର୍ଶନ, ତିିନି-ଚାରି ଭାଷାର ମିଶ୍ରଣରେ କଥା କହିବି, ମଦ୍ୟ-ମାଂସାଦିଯୁକ୍ତ ସାହେବୀ ଭୋଜି ପ୍ରଧାନ ସଭ୍ୟତା । ଏମାନେ ଆପଣାକୁ ଜଗତ୍‍ ଅପେକ୍ଷା ମୂଲ୍ୟବାନ ବୋଧ କରନ୍ତି, ନିମିଷେ ମଧ୍ୟରେ ସର୍ବସଂସାର ଗ୍ରାସ କରିବାକୁ ସାହସ କରିଥାନ୍ତି । ଏମାନଙ୍କ ହୃଦୟ ଖର୍ଜୁର ପାଦପ ତୁଲ୍ୟ ପ୍ରାଶସ୍ତ୍ୟହୀନ ଉଚ୍ଚ, ଆପାଦମସ୍ତକ ବିଷମ, ଜ୍ଞାନ ଖର୍ଜୁର ଫଳ ତୁଲ୍ୟ ବାହ୍ୟଭାଗ ସୁନ୍ଦର, ଅଭ୍ୟନ୍ତର ପାଷାଣବତ୍‍ କଠିନ । ସ୍ୱାର୍ଥ ସାଧନ ଏମାନଙ୍କର ପ୍ରଧାନ ଦୀକ୍ଷା । ସ୍ୱାର୍ଥସାଧନ ବନ୍ଧୁତାର ଉଦ୍ଦେଶ୍ୟ ।