Jump to content

ପୃଷ୍ଠା:Aama Gangadhara.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଣ୍ଡିଆରେ ଧକ୍କା ଖାଇ ଖୁବ୍‍ ଶବ୍ଦ କରୁଥିଲା । ବେଳେବଳେ ସେହି ଧକ୍କା ଫଳରେ ପାଖଦେଇ ଯାଉଥିବା ଡଙ୍ଗା ଭିତରକୁ ପାଣି ଡେଇଁ ଆସୁଥିଲା । ଡଙ୍ଗା ବୁଡ଼ିଯାଉଥିଲା । ସେହି ଭୟାବହ ଦୃଶ୍ୟଚିତ୍ର ଗଙ୍ଗାଧରଙ୍କ 'ତପସ୍ୱିନୀ' କାବ୍ୟରେ ବର୍ଣ୍ଣିତ ହୋଇଛି-

ମହାନାଦୀ ମହାନଦୀର ମହା ପ୍ରବାହ ଆସି
ରାମେଶ୍ୱର ଶିଳା ସବୁକୁ ଦେଲେ ସଶିରେ ଗ୍ରାସି;
ଟଳିବେ କି ଶିଳା-ସକଳ ସ୍ରୋତ କମ୍ପିବ ସିନା,
ବିଘୂର୍ଣ୍ଣିିତ ଶିରେ ପଡ଼ିବ ଗତି ପଦ୍ଧତି ବିନା । (ଦ୍ୱିତୀୟ ସର୍ଗ)

ମହାନଦୀର ଜଳ ପ୍ରବାହ ରାମେଶ୍ୱର ଶିଳାକୁ ବୁଡ଼ାଇ ଦେଇପାରେ । ଶିଳା କିନ୍ତୁ ଉପୁଡେ଼ ନାହିଁ । ଗଙ୍ଗାଧରଙ୍କ ଶିକ୍ଷା ପଥରେ ସେଦିନ ନଈର ଏଇ ଭୟଙ୍କର ରୂପ ତାଙ୍କ ବାପାଙ୍କ କଥା ରୂପେ ବାଧା ହୋଇ ଛିଡ଼ା ହୋଇଥିଲା । ଏଇ ଅବସୋସ ତାଙ୍କ ପରକାଳରେ ପରିଭ୍ରମଣପାଇଁ ପ୍ରୋତ୍ସାହିତ କରିଛି । ବେଳେବେଳେ କାବ୍ୟ କାନନରେ ମାନସିକ ଭ୍ରମଣ କରି ସେ ଆନନ୍ଦ ପାଇଛନ୍ତି । ନୂଆ କିଛି ସୃଷ୍ଟି ବି କରିଛନ୍ତି । ପୁଣି ଏହି ସଚେତନତା କାବ୍ୟିକ ଯାତ୍ରାରେ ତାଙ୍କୁ କରିଛି ସଂଯତ, ଶୃଙ୍ଖଳିତ, ସଚେତନ ଓ ଦୂରଦୃଷ୍ଟି ସମ୍ପନ୍ନ । 'ପ୍ରଣୟ ବଲ୍ଲରୀ' କାବ୍ୟ ପ୍ରଣେତା ଗଙ୍ଗାଧର ଜାଣନ୍ତି, ସେ ବ୍ୟାସ, କାଳିଦାସ ଭ୍ରମଣ କରିଥିବା ପଥରେ ଭ୍ରମଣ ଲାଳସା ଚରିତାର୍ଥ ପାଇଁ ଉତ୍କଣ୍ଠିତ ଯାତ୍ରୀ । ଯେପରି-

ଯେଉଁ ପଥେ ଗମି ଭ୍ରମିଛ ଗୁରୁ ହେ
            ଭାରତୀ-କୁସୁମ ବନେ,
ସେହି ପଥେ ଚାଲି ତୋଳିବି କୁସୁମ
                              ପଡ଼ିବ ଯେତେ ନୟନେ । ପ୍ରଥମ ସର୍ଗ)

କିନ୍ତୁ ଭ୍ରମଣର ରୀତି ସମ୍ପର୍କରେ ସଚେତନ ଗଙ୍ଗାଧର ଲେଖିଛନ୍ତି, "ଗୋଟିଏ ହସ୍ତୀ ସ୍ୱାଧୀନ ଭାବରେ ଚାଲିଗଲେ ତାହାର ଗତିର ଯେଉଁ ଶୋଭା ଥାଏ, ଅନ୍ୟ ଗୋଟିଏ ହସ୍ତୀ ତାହାର ଅନୁସରଣ କରି ତାର ପଦଚିହ୍ନ ଉପରେ ପଦକ୍ଷେପ କରି କରି ଚାଲିଲେ ସେ ଶୋଭା ରହିପାରେ ନାହିଁ; କିନ୍ତୁ ସେହି ମାର୍ଗରେ ହଂସର ନୈସର୍ଗିକ ଗତି ଦର୍ଶନୀୟ ହୋଇଥାଏ ।" (ଭୂମିକା-ପ୍ରଣୟ ବଲ୍ଲରୀ) ଗଙ୍ଗାଧର ପୁରୁଣା ସାହିତ୍ୟ ଆଡେ଼ କେବଳ ନୂଆ ଢ଼ାଞ୍ଚାରେ ପାଦ ପକାଇ ନାହାନ୍ତି, ଘରୁ ଗୋଡ଼କାଢ଼ିବା ପାଇଁ ସେ ବାଲ୍ୟାବସ୍ଥାରେ ଯେଉଁ ପ୍ରତିବନ୍ଧକର ସାମ୍ନା କରିଥିଲେ ତାକୁ ଅତିକ୍ରମ କରିବାରେ ଆହ୍ଲାଦ ଅନୁଭବ କରିଛନ୍ତି । ଘରୁ ଗୋଡ଼ ନ କାଢ଼ି କେହି କେବେ ଜୀବନ ଓ ଜଗତର ବୈଚିତ୍ର୍ୟ କିମ୍ବା ନିସର୍ଗର ମନଲୋଭା ଶୋଭାର ପସରା ଦେଖିପାରନ୍ତି ନାହିଁ । ଗଙ୍ଗାଧରଙ୍କ ପ୍ରପିତାମହ କେଶବ ମେହେର କୁଆଡ଼େ ବରପାଲିରେ ଏକ ବିରାଟ ଆମ୍ବତୋଟା କରିଥିଲେ । ଗଙ୍ଗାଧର ହୁଏତ ବାଲ୍ୟାବସ୍ଥାରେ ସେହି ଘଞ୍ଚ ସହକାର ବନ ଦେଖିଥିଲେ । ଅଥବା ଭ୍ରମଣକାଳରେ କେଉଁଠି ନା କେଉଁଠି ରମ୍ୟ ସହକାର ବନ ଦେଖିଛନ୍ତି, ଯାହା ଅପୂର୍ବ ରୀତିରେ ଚିତ୍ରିତ ହୋଇଛି ତାଙ୍କ 'କୀଚକବଧ' କାବ୍ୟରେ-

ଆମ ଗଙ୍ଗାଧର . ୧୫