ପୃଷ୍ଠା:Aama Gangadhara.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧର୍ମଶୀଳ ଜ୍ଞାନୀ ରାଜ ଚୂଡ଼ାମଣି
କୃଷ୍ଣଚନ୍ଦ୍ର ନାମେ ଖ୍ୟାତ,
ତାହାଙ୍କ ପବିତ୍ର ସୁନ୍ଦର ମନ୍ଦିରେ
ମୁହିଁ ଯାଇ ହେବି ଜାତ ।
ରାମ ବଂଶେ ମୋର ଜନମ ହେବାରୁ
ରାମଚନ୍ଦ୍ର ହେବ ନାମ,
ମନୋହର ରୂପ ଦେଖି ମୋତେ ଲୋକେ
ବୋଲିବେ ଦ୍ୱିତୀୟ କାମ ।
ନୟନ ପାର୍ଶ୍ୱରେ ଅଳପ ଅଳପ
ଆଭା ଥିବ କଳଙ୍କର,
'ପ୍ରଭା' ଛଳେ ମୋର ପ୍ରଭା ପରକାଶି
ଯିବ ଦିଗ ଦିଗନ୍ତର ।"

ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଉଦ୍ଦେଶ୍ୟରେ ଗଙ୍ଗାଧର ତାଙ୍କ ନବୋଦ୍ୟମ ପ୍ରସୂତ କ୍ଷୁଦ୍ରକାବ୍ୟ 'ଇନ୍ଦୁମତୀ'କୁ ଉତ୍ସର୍ଗ କରିଛନ୍ତି । ସେହି ସମୟରେ ନୃପରାଜ ସିଂହଙ୍କ ପୌତ୍ର ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଭଣଜାଙ୍କ ଜନ୍ମୋତ୍ସବ ଉପଲକ୍ଷେ ଗଙ୍ଗାଧର 'କୁମାର ଜନ୍ମୋତ୍ସବ' କବିତା ଲେଖିଛନ୍ତି । କବିତାଟି 'ସମ୍ବଲପୁର ହିତୈଷିଣୀ' (୪-୪-୧୮୯୪ ସଂଖ୍ୟା)ରେ ପ୍ରକାଶ ପାଇଛି । ଏହି କବିତାରେ କୁମାର ଜନ୍ମୋତ୍ସବ ବାର୍ତ୍ତାପାଇ ମୟୂରଭଞ୍ଜର ରାଜନଅର କିପରି ଆନନ୍ଦ ମୁଖର ହେଉଥିବ ତାହା କଳ୍ପନାରେ ଦର୍ଶାଯାଇଛି । 'ବଳଗଡ଼ିଆ' 'ରାଜଭବନ', 'ମଧୁବନ', ଉଚ୍ଚକୋଠା ବିଶିଷ୍ଟ ରାଜନଅରର ଯେଉଁ ଚିତ୍ର ଏ କବିତାରେ ଦିଆଯାଇଛି, ତାହା ଗଙ୍ଗାଧରଙ୍କ ପ୍ରତ୍ୟକ୍ଷ ବାରିପଦା ଦର୍ଶନର ଫଳଶ୍ରୁତି ।

ଭ୍ରମଣବାଞ୍ଛା ବ୍ୟକ୍ତିର ଏକ ସହଜାତ ପ୍ରବୃତ୍ତି । ଭିନ୍ନ ଭିନ୍ନ ସ୍ଥାନ ଓ ପରିବେଶ ଭ୍ରମଣକାରୀର ପ୍ରବୃତ୍ତିକୁ ଦୀପ୍ତ କରେ । ଅନେକ ଚିତ୍ର ଓ ମନଛୁଆଁ ରୂପ ତାର ସ୍ମୃତିରେ ସଞ୍ଚିତ ହୋଇ ରହେ । କୌଣସି କୌଣସି ବସ୍ତୁ ବା ଘଟଣା ସଂପର୍କିତ ଅବବୋଧ ଅଥବା ଚରିତ୍ରପ୍ରତି ପ୍ରତିକ୍ରିୟା ମଧ୍ୟ ତାକୁ ଆନ୍ଦୋଳିତ କରେ । କବିମାନେ ଗ୍ରନ୍ଥାଧ୍ୟୟ ଅପେକ୍ଷା ଭ୍ରମଣ ମାଧ୍ୟମରେ ଜୀବନର ଓ ନିସର୍ଗର ପ୍ରତ୍ୟକ୍ଷ ଅନୁଭବରୁ ଦୁର୍ଲଭ କାବ୍ୟପ୍ରେରଣା ପାଇଥାନ୍ତି । ଗଙ୍ଗାଧରଙ୍କ ଭ୍ରମଣାନୁଭବ

ସ୍ୱଳ୍ପ ହେଲେ ବି ଗୁରୁତ୍ୱପୂର୍ଣ୍ଣ । 'ଉତ୍କଳ ଲକ୍ଷ୍ମୀ' (୧୮୯୪)ରେ ବାମଣ୍ଡା, ଦେବଗଡ଼ ଓ ବାସୁଦେବ ସୁଢ଼ଳଦେବଙ୍କ ପ୍ରସଙ୍ଗ ବର୍ଣ୍ଣିିତ । ବରପାଲି ରାଜାଙ୍କର ବାମଣ୍ଡା ରାଜ୍ୟ ସହିତ ସଂପର୍କ ୧୯୮୯ରୁ । ନୃପରାଜ ସିଂହଙ୍କ ପ୍ରଥମା କନ୍ୟା ବାମଣ୍ଡା ରାଜାଙ୍କ ପିତୃବ୍ୟ-ପୁତ୍ର କେଶବ ଚନ୍ଦ୍ର ଦେବଙ୍କୁ ବିବାହ କରିଥିଲେ । ୧୯୦୫ ମସିହାରେ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଜ୍ୟେଷ୍ଠପୁତ୍ର ଦିବ୍ୟ କୁମାରଙ୍କ ବ୍ରତୋପନୟନ ଉତ୍ସବରେ ଯୋଗଦେବାକୁ ନୃପରାଜଙ୍କ ସହିତ ଗଙ୍ଗାଧର ବାମଣ୍ଡା ଯାଇଥିଲେ । ନୃପରାଜ ବରପାଲିରୁ ସବାରିରେ ଯିବାବେଳେ ଗଙ୍ଗାଧର ଶଗଡ଼ରେ ବସି ତାଙ୍କର ଅନୁଗାମୀ

ଆମ ଗଙ୍ଗାଧର.୧୭