ପୃଷ୍ଠା:Aama Gangadhara.pdf/୧୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ହୋଇଥିଲେ । ଏହି ଯାତ୍ରାକାଳରେ ବଣ୍ୟ-ପ୍ରକୃତିର ମନୋରମ ରୂପ ଗଙ୍ଗାଧରଙ୍କୁ ମୁଗ୍ଧ କରିଥିଲା । ସ୍ମୃତିରେ ସଞ୍ଚିତ ଥିବା ସେହି ଦୃଶ୍ୟର ଅନୁଭବ 'ତପସ୍ୱିନୀ' (୧୯୧୫) କାବ୍ୟର ଆଶ୍ରମ ପ୍ରକୃତି ବର୍ଣ୍ଣନାରେ ସଂଯୋଜିତ ହୋଇଛି । ଯେପରି }}

କେଉଁଦିଗେ ଘନ ପନସ ବନ,
କାହିଁ ଚୂତ ବନ ଚୁମ୍ୱେ ଗଗନ
ଚୂତବନ ତଳ-ପ୍ରାନ୍ତେ ଆକାଶ

ତରୁସ୍କନ୍ଧ ଶତ ଶତ
ଦିଶନ୍ତି ଯେସନ ତୋଳିଛନ୍ତି ବନ
ସର୍ବେ ହୋଇ ଏକମତ । (ପଞ୍ଚମସର୍ଗ)

ଗଙ୍ଗାଧରଙ୍କ କଳ୍ପନାରେ ସ୍ୱର୍ଗର ଦେବଗୁରୁ ମର୍ତ୍ତ୍ୟରେ ବାସୁଦେବ ସୁଢ଼ଳଦେବ ରୂପରେ ଜନ୍ମଗ୍ରହଣ କରିଥିଲେ । (ଉତ୍କଳ-ଲକ୍ଷ୍ମୀ) ୧୯୦୫ରେ ଗଙ୍ଗାଧର ବାମଣ୍ଡା ଯିବାର ପ୍ରାୟ ଦୁଇବର୍ଷ ପୂର୍ବରୁ, ୧୯୦୩ ନଭେମ୍ୱର ୧୯ ତାରିଖରେ ସୁଢ଼ଳଦେବଙ୍କର ଦେହାନ୍ତ ହୋଇ ସାରିଥିଲା । ତେଣୁ ଗଙ୍ଗାଧରଙ୍କ ସହିତ ସାକ୍ଷାତ୍‍ ହୋଇଥିଲା ତତ୍‍କାଳୀନ ବାମଣ୍ଡାଧିପତି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କର । ସଦାଶୟ ତ୍ରିଭୁବନଦେବ ଗଙ୍ଗାଧରଙ୍କୁ ତାଙ୍କ ବିଜ୍ଞାନ ଉପକରଣର ସଂଗ୍ରହଶାଳା ଦେଖାଇଥିଲେ । ଏପରିକି ଏକ୍ସରେ ଯନ୍ତ୍ର ଆଗରେ ଗଙ୍ଗାଧରଙ୍କୁ ଛିଡ଼ା କରାଇ ତହିଁରେ ପ୍ରତିଫଳିତ ରୂପ ଦେଖାଇଥିଲେ ସଚ୍ଚିଦାନନ୍ଦ । ସଚ୍ଚିଦାନନ୍ଦ କବିଙ୍କୁ ସମ୍ମାନ ଜଣାଇଥିଲେ । ପରେ ୧୯୧୩ ମସିହା ନଭେମ୍ୱର ମାସରେ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ସହିତ ସମ୍ୱଲପୁରରୁ କଟକ ମଧ୍ୟରେ କୌଣସି ଏକ ରେଳ ଷ୍ଟେସନରେ ଗଙ୍ଗାଧରଙ୍କର ଦେଖାହେଲା । ଗଙ୍ଗାଧର ବିଜେପୁର ଜମିଦାର ସଙ୍କର୍ଷଣ ଗଡ଼ତିଆଙ୍କ ସହିତ କଟକ ଯାଉଥିଲେ ଲର୍ଡ ହାର୍ଡିଞ୍ଜଙ୍କ ଦରବାରରେ ଯୋଗଦେବା ପାଇଁ । ସଚ୍ଚିଦାନନ୍ଦ ମଧ୍ୟ ସେହି ଉପଲକ୍ଷେ କଟକ ଯାତ୍ରା କରୁଥିଲେ । ସେ ଗଙ୍ଗାଧରଙ୍କୁ ଦେବଗଡ଼ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ଗଙ୍ଗାଧର ଆଉ ଦେବଗଡ଼ ଯାଇପାରି ନଥିଲେ । ତଥାପି ୧୯୦୫ର ଭ୍ରମଣକାଳୀନ ସ୍ମୃତିରେ ଦେବଗଡ଼ର ପ୍ରକୃତି, ପ୍ରଧାନପାଟ ଓ ବିଜ୍ଞାନୀ ସଚ୍ଚିଦାନନ୍ଦ ସଂଜୀବିତ ଥିଲେ । ସଚ୍ଚିଦାନନ୍ଦଙ୍କ ସଂପର୍କରେ ତାଙ୍କର ଉଚ୍ଚକୋଟିର ଧାରଣା ତାଙ୍କ କବିତା ପଙ୍‍କ୍ତିରେ ପରିସ୍ଫୁଟ-

ବିଜ୍ଞାନବିନୋଦ ବିଜ୍ଞ ବିଜ୍ଞପ୍ରିୟ,
ବିଜ୍ଞ ଦେଖି ବାଣୀ-ସୁଧା ଢ଼ାଳିଦିଅ ।
ହେ ସଚ୍ଚିଦାନନ୍ଦ ତ୍ରିଭୁବନ ରାଜା,
ଶୁଭିଲାଣି ତୁମ ବାଣୀ-ବୀଣା ବଜା ।
ତୁମ୍ଭ ଅନୁରୂପ ଅବରଜ ଗଣ,
ଭାରତ ଭାରତୀ ଭାବେ ବିଚକ୍ଷଣ ।

୧୮ . ଆମ ଗଙ୍ଗାଧର