ପୃଷ୍ଠା:Aama Gangadhara.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନୀର ଚାହିଁ ଚାହିଁ ଶୋଷେ ଥିବା ରହି
ଦଶା ହୋଇଥିବ ହୀନ ।
ଈଶ୍ୱରଙ୍କ ଶୁଭ ଆଶୀର୍ବାଦକୁ ଯେ
ଜାଣି ଜାଣି କରେ ହେଳା,
ଦୁରାଶା କୁହୁଡ଼ି ଗରଭେ ସେ ପଡ଼ି
ଭାଙ୍ଗଇ ଜୀବନ-ଭେଳା ।
(ଉଦ୍‍ବୋଧନ-ଅର୍ଘ୍ୟଥାଳୀ)

ଉତ୍କଳ ସମ୍ମିଳନୀର ଦ୍ୱାଦଶ ଅଧିବେଶନ ବାଲେଶ୍ୱର ସହରରେ ଅନୁଷ୍ଠିତ ହୋଇଥିଲା ୧୯୧୬ ମସିହା ଡିସେମ୍ବର ୨୯ ଓ ୩୦ ତାରିଖରେ । ଗଙ୍ଗାଧର ମେହେର ସେହି ଅଧିବେଶନରେ ଯୋଗ ଦେଇଥିଲେ । ଆସି ଫକୀର ମୋହନ ସେନାପତିଙ୍କ ଘରେ ରହିଥିଲେ । ଶାନ୍ତିକାନନରେ ଫକୀର ମୋହନଙ୍କ ପ୍ରିୟତମା ପତ୍ନୀ କୃଷ୍ଣକୁମାରୀଙ୍କ ସମାଧିସ୍ଥଳ ପରିଦର୍ଶନ କରିଥିଲେ । ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ ଯୋଗଦେବାକୁ ଗଙ୍ଗାଧର କଟକ ଆସି ବିଶ୍ୱନାଥ କରଙ୍କ 'ଉତ୍କଳ ସାହିତ୍ୟ ପ୍ରେସ୍‍' ଘରେ ଅବସ୍ଥାନ କରିଥିଲେ । ଏହି ଅଧିବେଶନ ୧୯୧୮ ମସିହା ମାର୍ଚ୍ଚ ୩୦ ଓ ୩୧ ତାରିଖରେ କଟକର ଇଦ୍‍ଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ।

ଗଙ୍ଗାଧର ମେହେର ଉତ୍କଳ ସମ୍ମିଳନୀରେ ମଞ୍ଚମଣ୍ଡନ କଲାଭଳି କୌଣସି ପଦବୀ ପାଇ ନଥିଲେ । କିନ୍ତୁ ଭାଷା ଓ ଜାତିପ୍ରେମ ଯୋଗୁଁ ସେ ନିଜ ଉଦ୍ୟମରେ ପାରଳାଖେମଣ୍ଡି, ବାଲେଶ୍ୱର, କଟକ ଆଦି ଯାଉଥିଲେ । ଏଭଳି ଭ୍ରମଣ ଅଭୀପ୍‍ସା ପଛରେ ମଧୁସୂଦନ ଦାସଙ୍କ ନେତୃତ୍ୱ ପ୍ରତି ତାଙ୍କର ଆନୁଗତ୍ୟ ମଧ୍ୟ ଥିଲା ଏବଂ ତାଙ୍କ ପ୍ରତି ସେ ବାରମ୍ବାର କୃତଜ୍ଞତା ଜଣାଇବା ପାଇଁ ହୁଏତ ଆସୁଥିଲେ । ଏଠାରେ ସ୍ମରଣ କରାଯାଇପାରେ ଯେ ଗଙ୍ଗାଧର ମେହେରଙ୍କ 'କୀଚକବଧ' (୧୯୦୪) କାବ୍ୟର ମୁଦ୍ରଣ ବ୍ୟୟ ବହନ କରିଥିଲେ ଉତ୍କଳ ସମ୍ମିଳନୀର ସଭାପତି ମଧୁସୂଦନ ଦାସ । ପୁସ୍ତକର ଭୂମିକାରେ ଗଙ୍ଗାଧର ମେହେର ତାଙ୍କ ପ୍ରତି 'ଆନ୍ତରିକ ଗଭୀର କୃତଜ୍ଞତା' ଜ୍ଞାପନ କରିଛନ୍ତି । ସମ୍ବଲପୁର ଜିଲ୍ଲାର ଅଦାଲତରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀଭାଷା ଚଳିବା ପାଇଁ ମଧ୍ୟପ୍ରଦେଶ ଚିଫ୍‍ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପ୍ରକାଶ ପାଇଥିଲା । ନିର୍ଦ୍ଦେଶ ଅନୁଯାୟୀ ୧, ଜାନୁଆରୀ ୧୮୯୬ରୁ ତାହା କାର୍ଯ୍ୟକାରୀ ହେବାର ଥିଲା । କିନ୍ତୁ ତାହା ପୂର୍ବରୁ ବାମଣ୍ଡାରୁ ପ୍ରକାଶିତ 'ସମ୍ବଲପୁର ହିତୈଷିଣୀ' (୧୮୮୯) ଜରିଆରେ ବିରୋଧର ସ୍ୱର ଉଠିଲା । 'ହିତୈଷିଣୀ'ର ୩୦.୧୦.୧୮୯୪ ତାରିଖ ସଂଖ୍ୟାରେ ଗଙ୍ଗାଧର ଲେଖିଥିଲେ 'ଭାରତୀ ରୋଦନ' କବିତା । କବିତାଟି ସେତେବେଳେ ଜନମାନସରେ ବେଶ୍‍ ସ୍ପନ୍ଦନ ସୃଷ୍ଟି କରିଥିଲା । କବିତାଟିର ଆରମ୍ଭରୁ 'ଉତ୍କଳ ଭାରତୀ ରୋଦନ କରୁଛି କାତରେ ସମ୍ବଲପୁରେ' ପଢ଼ୁ ପଢ଼ୁ ପାଠକ ଯେତିକି ସମ୍ବେଦନଶୀଳ ହୁଏ, ତତୋଽଧିକ ମର୍ମାହତ ହୁଏ ନିମ୍ନୋକ୍ତ ପଙ୍‍କ୍ତି ପଢ଼ି -