ପୃଷ୍ଠା:Aama Gangadhara.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି
କରିବ ପରା ରାଜତ୍ୱ
ମୋ ଆଶା କାନନ ଭସ୍ମରାଶି ହେବ
ତା ନବ ଉଦ୍ୟାନେ ଖତ ।
ଉପମାତା ଆସି ଗର୍ଭଧାରିଣୀର
ମସ୍ତକେ ଚରଣ ଦେବ,
ଏ ଦଶା ଦେଖିଲେ କେଉଁ ସନ୍ତାନର
ମନରେ ଦୁଃଖ ନହେବ ?

ଭାଷା ପାଇଁ କବିଙ୍କ ବୁକୁଫଟା ଉଚ୍ଛ୍ୱାସ 'ଉତ୍କଳ ଭାରତୀଙ୍କ ନିବେଦନ' (୧୮୯୫) କବିତାରେ ମଧ୍ୟ ପ୍ରକାଶ ପାଇଥିଲା । 'ଘର ଭାତ ହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ' ପଙ୍‍କ୍ତି ସେ କାଳରେ ଅନେକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ସମ୍ବଲପୁରର ସରକାରୀ କାର୍ଯ୍ୟାଳୟ ଓ ଅଦାଲତମାନଙ୍କରେ ଓଡ଼ିଆ ଭାଷା ଚଳିବା ପାଇଁ ଗଙ୍ଗାଧର ବ୍ରତନିଷ୍ଠ ମନୋଭାବରେ କବିତା ଲେଖୁଥିଲେ । ସରକାରୀ ନିର୍ଦ୍ଦେଶକୁ ବିରୋଧ କରିବା ପାଇଁ କବିତା ଜରିଆରେ ଆହ୍ୱାନ ଜଣାଉଥିଲେ । ଗଙ୍ଗାଧର ମେହେର ଉତ୍କଳ ସମ୍ମିଳନୀ ଜରିଆରେ ସମ୍ବଲପୁରର କଚେରିରେ ରହିତ ହୋଇଥିବା ଓଡ଼ିଆ ଭାଷାର ପୁନଃ ପ୍ରଚଳନ ସମ୍ଭବପର ବୋଲି ବୋଧହୁଏ ଭାବୁଥିଲେ । ସମ୍ବଲପୁର ମଧ୍ୟପ୍ରଦେଶରୁ ଆସି ବେଙ୍ଗଲ ଡିଭିଜନରେ ମିଶିବା ପରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପୂର୍ବରୁ ସେହି ସମସ୍ୟାର ସମାଧାନ ହୋଇଯାଇଥିଲା । ଯେତେଦୂର ମନେହୁଏ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଗାନହେବା ପାଇଁ ଗଙ୍ଗାଧର ରଚନା କରିଥିଲେ 'ନିଜ ଘରେ ବସି ନିର୍ବାସନ ଦୁଃଖ ଆମ୍ଭ କି ଲଲାଟ ଲିଖନ' ଗୀତ । ତାହା ଏହିପରି-

ନିଜ ଘରେ ବସି ନିର୍ବାସନଦୁଃଖ
ଆମ୍ଭ କି ଲଲାଟ ଲିଖନ
ମାତୃଭାଷା ମନା ଭାଇ ସଙ୍ଗ ବିନା
ବିକଳ ହେଉଛି ଜୀବନ ।

କିନ୍ତୁ ୧୯୦୩, ଡିସେମ୍ବର ମାସ ବେଳକୁ ସମ୍ବଲପୁର ବେଙ୍ଗଲ ଡିଭିଜନର ଶାସନକୁ ଆସିଯାଇଥିଲା । ଫଳରେ କଚେରିମାନଙ୍କରେ ଓଡ଼ିଆ ଭାଷା ନଚଳି ହିନ୍ଦୀ ଚଳିବ ବୋଲି ମଧ୍ୟପ୍ରଦେଶ ଡିଭିଜନର କମିଶନର ଦେଇଥିବା ନିର୍ଦ୍ଦେଶ ସ୍ୱତଃ ଅକାମି ହୋଇଯାଇଥିଲା । ତେଣୁ ସମ୍ବଲପୁରବାସୀଙ୍କ ପାଇଁ ନିଜ ଘରେ ବସି ନିର୍ବାସନ ଦୁଃଖ ଭୋଗିବା ଅବସ୍ଥା ୧୯୦୩ ଡିସେମ୍ବର ବେଳକୁ ନଥିଲା ।