ପୃଷ୍ଠା:Aama Gangadhara.pdf/୨୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଙ୍ଗାଧର ଉତ୍କଳ ସମ୍ମିଳନୀରେ ଯୋଗଦେବାପାଇଁ ବିଜେପୁର, ସମ୍ୱଲପୁର, ପଦ୍ମପୁର ଓ ବରପାଲିରୁ ଯଥାକ୍ରମେ କଟକ, ପାରଳାଖେମୁଣ୍ଡି, ସମ୍ୱଲପୁର ଓ ବାଲେଶ୍ୱର ଏବଂ କଟକ ଯାଇଥିଲେ । ଏହାଦ୍ୱାରା ସେ ପରିଚିତ ବନ୍ଧୁ ରାଧାନାଥ ରାୟ, ବିଶ୍ୱନାଥ କର, ଫକୀରମୋହନ ସେନାପତି, ନୀଳମଣି ବିଦ୍ୟାରତ୍ନ, ମଧୁସୂଦନ ରାଓ ଆଦିଙ୍କୁ ଭେଟି ପାରିଥିଲେ । ମୋଗଲବନ୍ଦୀ ଅଞ୍ଚଳର ସାଂସ୍କୃତିକ କେନ୍ଦ୍ର ରୂପେ ପରିଚିତ କଟକର ସାହିତ୍ୟ-ପାଣିପାଗ ସଂପର୍କରେ ଅବଗତ ହୋଇପାରୁଥିଲେ । ଏଇଥିପାଇଁ ସେ ଆସୁଥିଲେ କହିବା ଠିକ୍‍ ହେବ ନାହିଁ । ଓଡ଼ିଆ ଭାଷାଭାଷୀଙ୍କୁ ଗୋଟିଏ ପ୍ରଦେଶଭୁକ୍ତ କରିବା ପାଇଁ ଉତ୍କଳ ସମ୍ମିଳନୀ ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିଲା, ସେଥିପ୍ରତି ଆନ୍ତରିକ ସମର୍ଥ ଥିଲା ଗଙ୍ଗାଧରଙ୍କର । ଭଲ କାମ ପାଇଁ ଆଗୁସାର ହେବା ଗଙ୍ଗାଧରଙ୍କର ମହତ୍‍ ପ୍ରକୃତି । ଭଲ କାମରେ ଆଗେଇଥିବା ଲୋକଙ୍କୁ ପ୍ରଶଂସା କରିବାରେ ସେ କାର୍ପଣ୍ୟ କରୁ ନଥିଲେ । ପାରଳାଖେମଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସହିତ ତାଙ୍କର କି' ବା ସମ୍ପର୍କ ! ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମଣ୍ଡିରେ ସଫଳ ଭାବେ କରାଇବାରେ ତାଙ୍କର ଉଦ୍‍ଯୋଗ ପ୍ରତ୍ୟକ୍ଷ କରିଥିଲେ ଗଙ୍ଗାଧର । ଅର୍ଘ୍ୟଥାଳି (୧୯୧୮) ପୁସ୍ତକର ଆରମ୍ଭରେ ସେ ପାରଳା ମହାରାଜାଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଛନ୍ତି । ପାରଳାର ନବର ସୁପରିଣ୍ଟେଣ୍ଡେଣ୍ଟ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ଠାରୁ ରାଜାଙ୍କ ଶୁଭଦୃଷ୍ଟି ତାଙ୍କ ପ୍ରତି ଥିବା କଥା ଜାଣିଛନ୍ତି । ଏସବୁ ସମ୍ଭବ ହୋଇଛି ଭ୍ରମଣ ହେତୁ । ଗଙ୍ଗାଧର ତାଙ୍କ ଭ୍ରମଣ ପର୍ଯ୍ୟାୟରେ ଉତ୍କଳ ସମ୍ମିଳନୀର ଅଧିବେଶନଗୁଡ଼ିକରେ ଯୋଗ ଦେବା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ସୂଚାଏ । ଜାତି, ଭାଷା, ମାଟି, ସଂସ୍କୃତିପ୍ରୀତିର ମଣିଷ ନହୋଇଥିଲେ ସେ ବାରମ୍ୱାର ପଥଶ୍ରମ ଓ ଅର୍ଥବ୍ୟୟ କରି ଉତ୍କଳ ସମ୍ମିଳନୀର ଭିନ୍ନ ଭିନ୍ନ ଅଧିବେଶନରେ ଯୋଗ ଦେଇ ନଥାନ୍ତେ । ସେ ବୁଝିଥିଲେ, ବାଳକଟିଏ ନିଜ ଘର ଛାଡ଼ି ପଡେ଼ାଶୀମାନଙ୍କ ଘର ବୁଲିଗଲେ ଜାଣିପାରେ, ଅନ୍ୟ ଘରସବୁ ତା ସଙ୍ଗୀ ବାଳକଙ୍କର । ଯେତେବେଳେ ନିଜ ପଡ଼ାରୁ ଅନ୍ୟ ପଡ଼ାକୁ ସେ ବୁଲିଯାଏ, ସେତେବେଳେ ପରପଡ଼ାକୁ ନିଜପଡ଼ା ଭଳି ଭାବିଥାଏ । ସେହିପରି ନିଜ ଗାଆଁରୁ ଅନ୍ୟ ଗାଆଁକୁ, ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ, ନିଜ ଦେଶରୁ ଅନ୍ୟ ଦେଶକୁ ଗଲେ ତାର ସଂକୀର୍ଣ୍ଣ ଅବବୋଧ ହଟିଯାଏ । ଜ୍ଞାନ ହେତୁ ସେ ଯେଉଁଦିନ ଜାଣେ ସମସ୍ତଙ୍କର ପିତା ହେଉଛନ୍ତି ଜଗତ୍‍ପତି, ସେହିଦିନ ସେ ବିଶ୍ୱମାନବଙ୍କୁ ସହୋଦର ଜ୍ଞାନ କରେ । ଏହି କବିତାର ଶେଷରେ ଗଙ୍ଗାଧର ଦର୍ଶାଇଛନ୍ତି, ଯେ ଯେତେ ମଣିଷଙ୍କର ଉପକାର କରେ, ସେ ବିଶ୍ୱପତିଙ୍କର ଗୃହବାସୀ ହେବାପାଇଁ ସେତିକି ଯୋଗ୍ୟ । ତେଣୁ ମଣିଷମାନଙ୍କ ଜୀବନରେ ତୋର-ମୋର ଭାବ ହଟିଯାଇ ବିଶ୍ୱପ୍ରାଣତା ସେତିକିବେଳେ ଆସିପାରିବ, ଯେତେବେଳେ ଯିବା ଆସିବା ବଢ଼ିବ । କୂଅରେ ଥିବା ବେଙ୍ଗ ସେହି ଅନ୍ଧଗଳିକୁ ବିରାଟ ସାମ୍ରାଜ୍ୟ ଭାବୁଥାଏ, କାହିଁକି ନା ତହିଁରୁ ବାହାରି ବାହାରର ବିସ୍ତୀର୍ଣ୍ଣ ଭୂଖଣ୍ଡ, ଉଜ୍ୱଳ ଆଲୋକ ସେ ଦେଖିନଥାଏ । ଦୁଇଟି ପ୍ରସଙ୍ଗରେ ଅନୁରକ୍ତ ହେଲେ ବ୍ୟକ୍ତି ପ୍ରଶସ୍ତତା ଆଡ଼କୁ ଯାଏ । ଗୋଟିଏ ହେଉଛି ମାତୃଭୂମି ଓ ଅପରଟି ମାତୃଭାଷା । ଦେଶପ୍ରେମ ହିଁ ମାତୃଭାଷା ପ୍ରୀତିର ନାମାନ୍ତର । ଅନ୍ତତଃ ଗଙ୍ଗାଧର ମେହେର ଏତିକି ବୁଝିଥିଲେ ଯେ ଭ୍ରମଣ ହେତୁ ବ୍ୟକ୍ତି ଭିତରେ