ପୃଷ୍ଠା:Aama Gangadhara.pdf/୨୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଥିବା ସ୍ଥାନିକ ଅହଂ ହଟେ, ପରିବ୍ୟାପ୍ତ ଚେତନା ଭିତରେ ସେ ହୁଏ ସମଗ୍ରର ଓ ସମଗ୍ର ତା'ର । ଯେ ପର୍ଯ୍ୟନ୍ତ ଲୋକ ଘରୁ ପଦାକୁ ଗୋଡ଼ କାଢ଼ି ନଥାଏ, ସେତେକାଳ ପର୍ଯ୍ୟନ୍ତ ବାଡ଼ିଗୋବରେ ଗୋବେ ଢ଼ିଅକୁ ମେଦିନୀ ବୋଲି ଭାବୁଥାଏ । ଏ ଧାରଣା ବଦଳିଯାଏ କେବଳ ଭ୍ରମଣ ଅଥବା ଯିବା ଆସିବା ଦ୍ୱାରା । ଭ୍ରମଣ ଦ୍ୱାରା ଅହଂର ଘେର ଭାଙ୍ଗି ହୁଏ । ମାତୃଭୂମି ଓ ମାତୃଭାଷା ପ୍ରତି ପ୍ରୀତି ହେତୁ ଦେଶପ୍ରୀତି ଉଦ୍‍ବୋଧିତ ହୁଏ । ନାନା ସ୍ଥାନ ବୁଲି ଦେଖିବାଦ୍ୱାରା ଗଙ୍ଗାଧରଙ୍କ ଭାଷା ଓ ଜାତିପ୍ରୀତି ଟାଣ ହୋଇଛି । ସେଇଥିପାଇଁ ତାଙ୍କ କବିତାରେ ବର୍ଣ୍ଣିିତ ଭାଷା ଓ ଜାତିପ୍ରେମ ପାଠକମାନଙ୍କୁ ଛୁଇଁପାରିଛି ।

ଦେଶପ୍ରେମ :

ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି, ଗବେଷକମାନେ ତାଙ୍କ ସାହିତ୍ୟ ଭିତ୍ତିରେ ଜୀବନୀ ପ୍ରସ୍ତୁତ କରିହେବ ବୋଲି ସେହିପରି ଅଭିମତ ଦିଅନ୍ତି । ଗଙ୍ଗାଧରଙ୍କ କାବ୍ୟାବଳୀର ଉତ୍ସ ମହାଭାରତୀୟତା । ପୁରାଣ, କାବ୍ୟ, ଇତିହାସକୁ ଆଧାର କରି ସେ ରଚନା କରିଛନ୍ତି କାବ୍ୟ । ହେଲେ ଦେଶପ୍ରେମର ମୂଳ ରୂପେ ସେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ଗ୍ରହଣ କରିଛନ୍ତି । ତାଙ୍କ ସମୟରେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ନେଇ ବିଦେଶୀ ଶାସକମାନେ ଯେଉଁ ଖେଳ ଆରମ୍ଭ କରିଥିଲେ, ତହିଁର ବିରୋଧ ନିଜ କବିତା ମାଧ୍ୟମରେ କରିଛନ୍ତି ଗଙ୍ଗାଧର । ଏହା ହିଁ ତାଙ୍କର ଦେଶପ୍ରେମ । ସୁନାର ଦେଶପାଇଁ ଉପଯୁକ୍ତ ଲୋକ ଲୋଡ଼ା ବୋଲି ସେ କବିତାରେ ପ୍ରକାଶ କରିଛନ୍ତି । ଯେପରି-

ବାଛି ବାଛି ଲୋକ ଯଦି କରିବ ସଂଗ୍ରହ
ଦେଖାଇବ ତାଙ୍କ କଥା ପାଳନେ ଆଗ୍ରହ ।
ଦେଖିବ ଗୋଖଲେ କେତେ କେତେ ଦାଦାଭାଇ
ସହଜେ ପାରନ୍ତି ଯେହୁ ଭାରତ ଚଳାଇ ।
କେତେ ଗାନ୍ଧୀ ଉପଗତ ହେବେ ତୁମ୍ଭ ଆଗେ
ସ୍ନିଗ୍ଧ କରିଦେବେ ମହୀ ସ୍ୱଚ୍ଛ ଅନୁରାଗେ ।
ଲେଉଟି ଆସିବ ବେଗେ ପ୍ରାଚୀନ ଭାରତ
ହେବ ଶ୍ୱେତକେଶରୀଙ୍କ ଯଶ ସେବା ରତ । (ପଞ୍ଚାୟତ-ଅର୍ଘ୍ୟଥାଳୀ)

ଗୋପାଳକୃଷ୍ଣ ଗୋଖଲେ, ଦାଦାଭାଇ ନାରୋଜି ଓ ମହାତ୍ମାଗାନ୍ଧୀଙ୍କ ଭଳି ସଚ୍ଚୋଟ ଜାତୀୟତାବାଦୀ ସୃଷ୍ଟି ହୋଇପାରିବେ । ବାଛିବାଛି କରିି ଲୋକଙ୍କୁ ଯଦି ନେତୃତ୍ୱ ଦିଆଯିବ ତେବେ ପ୍ରାଚୀନ ଭାରତ ଫେରି ଆସିବ । ସେ 'ଉଦ୍‍ବୋଧନ' କବିତାରେ ପ୍ରାଚୀନ ଭାରତର ବୈଶିଷ୍ଟ୍ୟ ଉପସ୍ଥାପନ କରିଛନ୍ତି-