ପୃଷ୍ଠା:Aama Gangadhara.pdf/୨୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦାୟିତ୍ୱ ଅଧିକ । ଗଙ୍ଗାଧରଙ୍କର ଅନେକ ସାହିତ୍ୟିକଙ୍କ ସହିତ ସଂପର୍କ ରହିଥିଲା । ଏହି ସଂପର୍କରୁ ସେ ଅନେକ କିଛି ଶିଖିଛନ୍ତି, ଶିଖା କଥାକୁ ନିଜ ସାହିତ୍ୟ ମାଧ୍ୟମରେ ବାଣ୍ଟିଛନ୍ତି ।

ସାରସ୍ୱତ ସମ୍ପର୍କ :

ଗଙ୍ଗାଧର ମେହେର ଅମିନ ଚାକିରି କରିବା (୧୮୮୫) ପୂର୍ବରୁ ବୋଧହୁଏ 'ରସ-ରତ୍ନାକର' ଲେଖିଥିଲେ । ଚାକିରି କରିବା ପରେ ବରପାଲି ଯୁବରାଜଙ୍କ ଇଂରାଜି ଶିକ୍ଷକ ଅକ୍ଷୟ ବାବୁ ଓ ସୂର୍ଯ୍ୟକୁମାର ମିତ୍ରଙ୍କ ଠାରୁ ସେ ଚଳିବା ଭଳି ଇଂରାଜି ଶିଖିଥିଲେ । 'ଶାର୍ଦ୍ଦୂଳ ବିକ୍ରୀଡ଼ିତ' ବୃତ୍ତରେ ଲେଖାଯାଇଥିବା 'ଅହଲ୍ୟାସ୍ତବ' ବରପାଲି ବାଳିକା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମଦନ ମୋହନ ପ୍ରଧାନଙ୍କ ଆର୍ଥିକ ସାହାଯ୍ୟରେ ଛପା ଯାଇଥିଲା । ବହିଖଣ୍ଡିଏ ସ୍କୁଲ ବିଭାଗର ପଦସ୍ଥ କର୍ତ୍ତା ରାଧାନାଥ ରାୟଙ୍କ ନିକଟକୁ ପଠାଯାଇଥିଲା । ରାଧାନାଥ ବହିଟି ସମ୍ୱନ୍ଧରେ ୩୧.୧.୧୮୯୩ ତାରିଖରେ ଦେଇଥିବା ଚିଠିରେ ଲେଖିଥିଲେ- 'ଶାର୍ଦ୍ଦୂଳ ବିକ୍ରୀଡ଼ିତ ଛନ୍ଦ ଉତ୍କଳଭାଷାର ଉପଯୋଗୀ କି ନା ଏ ବିଷୟରେ ମତଭେଦ ହୋଇପାରେ । ମାତ୍ର ସେହି କଠିନ ଛନ୍ଦ ଅବଲମ୍ୱ କରି ସୁଦ୍ଧା ଆପଣ ଆଶାତୀତ କୃତକାର୍ଯ୍ୟତା ଲାଭ କରିଅଛନ୍ତି; ଏହା ମୁଁ ମୁକ୍ତକଣ୍ଠରେ ବୋଲିବାକୁ ପ୍ରସ୍ତୁତ । ଏକ ଏକ ସ୍ଥାନରେ ଛନ୍ଦ ପତନ ହୋଇଅଛି ସତ୍ୟ, ମାତ୍ର ସେଥି ସକାଶେ ଆପଣଙ୍କୁ ଦାୟୀ କରିବାର ଉଚିତ ନୁହେଁ ।" 'ଅହଲ୍ୟାସ୍ତବ' ସଂପର୍କରେ ରାଧାନାଥଙ୍କର ଅଭିମତ ଗଙ୍ଗାଧରଙ୍କୁ ନିଜ ସାହିତ୍ୟ ରଚନା ସମ୍ପର୍କରେ ବାରମ୍ୱାର ଚିନ୍ତା କରିବାର ଅବକାଶ ଦେଇଥିଲା । ଫଳରେ ସେ ପରେ 'ଅହଲ୍ୟାସ୍ତବ'କୁ ବଙ୍ଗଳାଶ୍ରୀ ରାଗରେ ପୁନର୍ଲିଖନ କରିଥିଲେ । ବଙ୍ଗଳାଶ୍ରୀ ରାଗରେ ଲିଖିତ 'ଅହଲ୍ୟାସ୍ତବ' ୧୯୧୪ରେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା । ଗଙ୍ଗାଧର 'ଇନ୍ଦୁମତୀ'କୁ ମଧ୍ୟ ପାଣ୍ଡୁଲିପି ଆକାରରେ ରାଧାନାଥଙ୍କ ନିକଟକୁ ପଠାଇଥିଲେ । ରାଧାନାଥ ରାୟ 'ଇନ୍ଦୁମତୀ' କାବ୍ୟ ପଢ଼ି ନିଜର ମନ୍ତବ୍ୟ ସହ ଫେରାଇଥିଲେ । ପୁସ୍ତକ ଆକାରରେ 'ଇନ୍ଦୁମତୀ' ପ୍ରକାଶ ପାଇଲା ପରେ ରାଧାନାଥ ରାୟ ପୁନର୍ବାର ଏକ ଲିଖିତ ମନ୍ତବ୍ୟ ପଠାଇଥିଲେ । ଦୁଇଟିଯାକ ମନ୍ତବ୍ୟ ଇନ୍ଦୁମତୀ କାବ୍ୟର ପ୍ରାରମ୍ଭରେ ଛାପାଯାଇଛି । 'ଇନ୍ଦୁମତୀ' କାବ୍ୟର ପ୍ରଣେତା ଗଙ୍ଗାଧରଙ୍କ ସଂପର୍କରେ ରାଧାନାଥ ମନ୍ତବ୍ୟ ଦେଇଥିଲେ- "ଏ କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହନ୍ତି । ଏହାର ଭାଷା ସରଳ, ଅକ୍ଳିଷ୍ଟ ଏବଂ ଶ୍ରୁତିମଧୁର ହୋଇଅଛି । 'ଇନ୍ଦୁମତୀ'ର ଆଉ ଗୋଟିଏ ପ୍ରଧାନ ଗୁଣ ଏହି ଯେ, ଏଥିରେ ଏପରି କୌଣସି ଭାବ ବା ଶବ୍ଦ ନାହିଁ, ଯାହା ଆଧୁନିକ ରୁଚି ଅନୁସାରେ ବର୍ଜନୀୟ ହେବ ।" ସେକାଳର ଶିକ୍ଷା ବିଭାଗର ପଦସ୍ଥ କର୍ମକର୍ତ୍ତାଙ୍କ ଏପରି ମନ୍ତବ୍ୟ ଗଙ୍ଗାଧରଙ୍କୁ ସାହିତ୍ୟ ସୃଷ୍ଟି ଓ ପୁସ୍ତକ ପ୍ରକାଶ ନିମିତ୍ତ କିଭଳି ପ୍ରେରଣା ଦେଇଥିବ ତାହା ଅନୁମାନ କରାଯାଇପାରେ ।

ରାଧାନାଥ ରାୟ ଗଙ୍ଗାଧରଙ୍କ 'କୀଚକବଧ' କାବ୍ୟର ପାଣ୍ଡୁଲିପି ଅଧ୍ୟୟନ କରି ତହିଁ ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ । ୧୨.୮.୧୯୦୩ରେ ସେହି ମନ୍ତବ୍ୟରେ ସେ ଲେଖିଥିଲେ, "ଗଙ୍ଗାଧର ଉଚ୍ଚଶ୍ରେଣୀର କବି । କି ବହିଃପ୍ରକୃତି, କି ଅନ୍ତଃପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ । ଗ୍ରନ୍ଥାଧ୍ୟୟନ କରି ଲୋକେ ପଣ୍ଡିତ ହୋଇ ପାରନ୍ତି; ମାତ୍ର କବି ହେବାକୁ