ପୃଷ୍ଠା:Aama Gangadhara.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲେ କେବଳ ଗ୍ରନ୍ଥାଧ୍ୟୟନ ପର୍ଯ୍ୟାପ୍ତ ନୁହେଁ, ପ୍ରକୃତି-ଗ୍ରନ୍ଥାଧ୍ୟୟ ମଧ୍ୟ ଅପରିହାର୍ଯ୍ୟ ରୂପେ ଆବଶ୍ୟକ । ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି, ପ୍ରକୃତିକୁ ସ୍ୱଚକ୍ଷୁରେ ଦେଖି ଲେଖନ୍ତି । ଏହି ହେତୁରୁ ତାହାଙ୍କର ଉକ୍ତିଗୁଡ଼ିକ ଭାବପ୍ରଧାନ ନହୋଇ ରସପ୍ରଧାନ ହୁଏ । ଏହାର ଭୂରିଭୂରି ପ୍ରମାଣ ତାହାଙ୍କ ରଚନାରେ ସୁଲଭ । 'ଇନ୍ଦୁମତୀ' ଦ୍ୱାରା ଯେଉଁ ସ୍ଫୁଟୋନ୍ମୁଖ ପ୍ରତିଭାର ଆଦ୍ୟସୌରଭ ବିକୀର୍ଣ୍ଣ ହୋଇ ଉତ୍କଳୀୟ ସାହିତ୍ୟ-ସଂସାରକୁ ଆମୋଦିତ କରିଥିଲା, 'କୀଚକ ବଧ'ରେ ସେହି ପ୍ରତିଭା ପୂର୍ଣ୍ଣ ବିକାଶ ପାଇଥିବାର ପ୍ରତୀୟମାନ ହୁଏ ।"

ରାଧାନାଥଙ୍କ ଠାରୁ 'କୀଚକବଧ'ର ପାଣ୍ଡୁଲିପି ଫେରିବା ପରେ ତହିଁର ପ୍ରକାଶନ ନିମନ୍ତେ ଉଦ୍‍ଯୋଗ ଆରମ୍ଭ ହେଲା । ଗଙ୍ଗାଧରଙ୍କୁ ଜାଣିଥିବା ନୀଳମଣି ବିଦ୍ୟାରତ୍ନ ସେତେବେଳକୁ ରମ୍ଭାଠାରୁ ପ୍ରକାଶ ପାଉଥିବା 'ପ୍ରଜାବନ୍ଧୁ' ସାପ୍ତାହିକ ପତ୍ରିକାର ସମ୍ପାଦକ ଥିଲେ । ସେ ରାଧାନାଥଙ୍କ ମନ୍ତବ୍ୟ ସହିତ ପୁସ୍ତକର ପ୍ରକାଶନ ପାଇଁ କେହି ଆଗ୍ରହୀ ହେବା ନିମିତ୍ତ ଏକ ଲେଖା ତା୨୦.୪.୧୯୦୪ରିଖ ସଂଖ୍ୟା 'ପ୍ରଜାବନ୍ଧୁ'ରେ ଛାପିଲେ । ସେହି ଲେଖା ଉପରେ ମଧୁସୂଦନ ଦାସଙ୍କର ନଜର ପଡ଼ିଲା । ସେ ପୁସ୍ତକର ପ୍ରକାଶନ ଖର୍ଚ୍ଚ ବହନ କଲେ । 'କୀଚକବଧ' କାବ୍ୟ ପ୍ରକାଶ ପାଇଲା । ବସ୍ତୁତଃ ଗଙ୍ଗାଧରଙ୍କ ସାହିତ୍ୟିକ ଜୀବନର ଉନ୍ମେଷ ଓ ବିକାଶ ପରିପ୍ରେକ୍ଷୀରେ ରାଧାନାଥ ରାୟଙ୍କ ସାହାଯ୍ୟ ସହଯୋଗ ମନେରହିବା ଭଳି କଥା । ରାଧାନାଥଙ୍କର ଏଭଳି କାମପାଇଁ ସରଳ ଓ ସାଧୁପ୍ରକୃତିର ଗଙ୍ଗାଧର କୃତଜ୍ଞତା ଜଣାଇଛନ୍ତି ।

ଆଲୋଚ୍ୟ କାଳରେ (୧୯୦୪) ପଲ୍ଲିକବି ନନ୍ଦକିଶୋର ବଳ 'ଇନ୍ଦୁମତୀ କାବ୍ୟପ୍ରଣେତା ଶ୍ରୀ ଗଙ୍ଗାଧର ମେହେରଙ୍କ ପ୍ରତି' ନାମରେ ଏକ କବିତା ଲେଖିଥିଲେ ଏବଂ ତାହା 'ପ୍ରଜାବନ୍ଧୁ'ରେ ପ୍ରକାଶ ପାଇଥିଲା । ଗଙ୍ଗାଧରଙ୍କୁ ନନ୍ଦକିଶୋର ସେ ପର୍ଯ୍ୟନ୍ତ ଦେଖି ନଥିଲେ । 'ଇନ୍ଦୁମତୀ' କାବ୍ୟ ପଢ଼ି ସେ ଗଙ୍ଗାଧରଙ୍କୁ 'ଭାରତୀୟ ବାଣୀ-ବରସୁତ କାଳିଦାସଙ୍କ ଯୋଗ୍ୟ ଅନ୍ତେବାସୀ' ବୋଲି ଦର୍ଶାଇଥିଲେ । ଦରିଦ୍ରତାର କଠୋର ନିର୍ଘାତ ସହି କବି କଷ୍ଟରେ ବଞ୍ଚୁଥିବା କଥା ନନ୍ଦକିଶୋର ବଳ କେଉଁଠୁ କେମିତି ଶୁଣିଥିଲେ । ସେଥିପାଇଁ ନିଜ କବିତାରେ ତାହା ଦର୍ଶାଇବା ସହିତ ଗଙ୍ଗାଧର ସଭ୍ୟ ଉନ୍ନତ ଦେଶରେ ଜନ୍ମିଥିଲେ ତାଙ୍କର ଯଶ-କୀର୍ତ୍ତିି ଚାରିଆଡେ଼ ପ୍ରଚାର-ପ୍ରସାର ଲଭୁଥାନ୍ତା ବୋଲି ମଧ୍ୟ ସେ ସୂଚାଇଥିଲେ । ଦାରିଦ୍ର୍ୟ ଓ ଅତ୍ୟାଚାରକୁ ଭ୍ରୂକ୍ଷେପ ନକରି, ଆବଶ୍ୟକ ହେଲେ ସେ ସବୁକୁ ଖାତର ନକରି ଗଙ୍ଗାଧର ଉନ୍ନତ କାବ୍ୟ ଲେଖନ୍ତୁ ବୋଲି ମଧ୍ୟ ନନ୍ଦକିଶୋର କାମନା କରିଥିଲେ । ଭଲପାଇବା ଯେଉଁଠି ଆବେଗ ସହ ଓତପ୍ରୋତ ସେଠି ଉପଦେଶ ଓ ଜୀବନସତ୍ୟ ପ୍ରକାଶକ ବାକ୍ୟ ପ୍ରତ୍ୟାଶିତ । ନନ୍ଦକିଶୋରଙ୍କ କବିତାରେ 'ଦରିଦ୍ରତା ନୁହେଁ କବିପ୍ରତିଭା ନାଶକ' ଉକ୍ତି ଏକ ସର୍ବକାଳୀନ ଆପ୍ତବାକ୍ୟ ହୋଇପାରିଛି । ସଦୁପଦେଶ ପ୍ରଦାନ ସହିତ କବି ନନ୍ଦକିଶୋରଙ୍କ ସମାଜପ୍ରତି ପ୍ରତିକ୍ରିୟା ଗଙ୍ଗାଧରଙ୍କ ଅଭିମତର କାବ୍ୟିକ ପୁନରୁକ୍ତି ଘଟାଇଛି । ହୁଏତ ଗଙ୍ଗାଧର ଲେଖିଥିବା 'ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ' ପ୍ରବନ୍ଧ ନନ୍ଦକିଶୋର ସେତେବେଳକୁ ପଢ଼ିଥିଲେ । ତହିଁରେ ଗଙ୍ଗାଧର ଲେଖିଥିଲେ; "ଶିକ୍ଷିତଙ୍କ ମତରେ ଶିକ୍ଷା ବିଦ୍ୟାଳୟରେ ଶେଷ ହୁଏ