ପୃଷ୍ଠା:Aama Gangadhara.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାହିଁ; ଶିକ୍ଷା ମନୁଷ୍ୟର ଜୀବନବ୍ୟାପୀ ମହାବ୍ରତ । ଜଗତ ଶିକ୍ଷାଳୟ ଏବଂ ପ୍ରକୃତି ନିତ୍ୟପଠନୀୟ ବିରାଟ ଗ୍ରନ୍ଥ । ++ ସାହିତ୍ୟ ସେବା ତାଙ୍କର ପ୍ରିୟ ବ୍ରତ । ସାହିତ୍ୟାନୁରାଗ ଈଶ୍ୱରଦତ୍ତ ପଦାର୍ଥ ଓ ଛାୟାତୁଲ୍ୟ ଜୀବନର ଚିର ସହଚର । ସାହିତ୍ୟାନୁରାଗ ବୃତ୍ତୀଶ୍ୱରମାନଙ୍କର ଜୀବନରେ ବାଞ୍ଛନୀୟ; କିନ୍ତୁ ଜଗଦୀଶ୍ୱର ପାତ୍ରାପାତ୍ର ବିବେଚନା ନକରି ବ୍ୟକ୍ତିବିଶେଷକୁ ତାହା ପ୍ରଦାନ କରିଥାନ୍ତି ।" ଏହି ଭାବରେ ପ୍ରତିଧ୍ୱନି ଶୁଣିହୁଏ ନନ୍ଦ କିଶୋରଙ୍କ ପଦ୍ୟ ପଙ୍‍କ୍ତିରୁ-

କର୍ମନାଶା ନୀରେ ହେଉ ଜାତି ବିସର୍ଜନ,
ବୈଶ୍ୟଠୁ ଶିଖନ୍ତୁ ଆଜି କ୍ଷତ୍ରିୟ ବ୍ରାହ୍ମଣ ।
ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ-ମଣ୍ଡିତ,
କାଳବଳେ ହେବେ ସର୍ବେ ଭବୁଁ ଅନ୍ତର୍ହିତ ।
କିନ୍ତୁ ତୁମେ ଦୀନ କବି ରହିବ ଜୀବିତ,
ଯେତେଦିନ ଭବେ ଥିବ ଓଡ଼ିଆ ସାହିତ୍ୟ ।

ସେତେବେଳକୁ ନନ୍ଦକିଶୋର ଗଙ୍ଗାଧରଙ୍କୁ ଦେଖି ନଥାନ୍ତି; କିନ୍ତୁପଢ଼ିଥାନ୍ତି ତାଙ୍କର 'ଇନ୍ଦୁମତୀ' କାବ୍ୟ । ପତ୍ରପତ୍ରିକାରୁ ଆଉ କିଛି ଗଦ୍ୟକୃତି ଓ କବିତା ହୁଏତ ପଢ଼ିଥାଇପାରନ୍ତି । ସେତେବେଳେ କିନ୍ତୁ ସେ 'ଓଡ଼ିଆ ସାହିତ୍ୟ ଥିବା ପର୍ଯ୍ୟନ୍ତ ଗଙ୍ଗାଧର ଜୀବିତ ରହିବେ' ବୋଲି ଲେଖିଥିଲେ । ସେ କାଳରେ ପ୍ରକାଶିତ ଅଥଚ ବରପାଲିର ଜମିଦାରଙ୍କ ନାମ ସହ ସଂପୃକ୍ତ କବିତା କେତୋଟି ପଢ଼ି ତାଙ୍କର ସନ୍ଦେହ ହୋଇଥିଲା । ନିଜ କବିତାରେ ନନ୍ଦକିଶୋର ଲେଖିଛନ୍ତି-

ଯେତେ ଛପାଇଲେ ନ ଲୁଚଇ ଅଗ୍ନି ସତ୍ୟ
ଲୁଚିଲେ କି ଚମ୍ପୂକବି ବଳଦେବ ରଥ !

'କିଶୋରଚନ୍ଦ୍ରାନନ୍ଦ ଚମ୍ପୂ'ର ପ୍ରକୃତ ରଚୟିତା କବିସୂର୍ଯ୍ୟ ବଳଦେବ ରଥ; କିନ୍ତୁ ଭଣିତାରେ ଆଠଗଡ଼ର ରାଜା ବାଲୁଙ୍କେଶ୍ୱର ହରିଚନ୍ଦନଙ୍କ ନାମ ରହିଛି । ସତ କେବେ ଲୁଚି ରହେ ନାହିଁ । ସେହିପରି ବରପାଲିର ରାଜା ନୃପରାଜ ସିଂହଙ୍କ ନାମରେ ପ୍ରକାଶିତ "ବଳରାମ ଦେବ', "ସୁଖସ୍ୱପ୍ନ ', "ପୁଷ୍କରିଣୀ', "ତରୁବର', "ଆମୋଦ', ଆଦି ଗଙ୍ଗାଧରଙ୍କ କବିତା ବୋଲି ପରବର୍ତ୍ତୀକାଳରେ ନିର୍ଦ୍ଧାରଣ କରାଯାଇଛି । ନନ୍ଦକିଶୋରଙ୍କ ଉକ୍ତି- "ଲୁଚିଲେ କି ଚମ୍ପୂକବି ବଳଦେବ ରଥ !' ଗଙ୍ଗାଧରଙ୍କୁ ନୃପରାଜଙ୍କ ଅନ୍ତରାଳରୁ ଆବିଷ୍କାର କରିବାରେ ସାହାଯ୍ୟ କରିଛି ।

୧୯୧୧ ମସିହାରେ ନନ୍ଦକିଶୋର ବଳ ସମ୍ବଲପୁର ଜିଲ୍ଲାସ୍କୁଲ୍‍ର ପ୍ରଧାନଶିକ୍ଷକ ଦାୟିତ୍ୱ ନେଇଥିଲେ । ଗଙ୍ଗାଧରଙ୍କ ସହିତ ସେଇଠି ତାଙ୍କର ଦେଖା ସାକ୍ଷାତ ଓ ସଂପର୍କ । ନନ୍ଦକିଶୋର ମତ ଦେଇଥିଲେ, "ତିି ଦୃଶ୍ୟ' ନାଆଁରେ ସେ ଲେଖିଥିବା ବହିଟିର ନାଆଁ ବଦଳାଇ ଗଙ୍ଗାଧର ତା'ର ନାଆଁ "ଅଯୋଧ୍ୟା ଦୃଶ୍ୟ' ରଖନ୍ତୁ । ଗଙ୍ଗାଧର ତାହା ସ୍ୱୀକାର କରିଥିଲେ । ଏହା ଉଭୟଙ୍କ ମଧ୍ୟରେ ଥିବା ଆନ୍ତରିକ ସଂପର୍କର ପରିଚାୟକ ।