ପୃଷ୍ଠା:Aama Gangadhara.pdf/୨୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
+++

ଧନ୍ୟ ଧନ୍ୟ ବାସୁଦେବ ମହୀପାଳମଣି,
ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି ।
ଉତ୍କଳରେ କରି ଶୁଭ ଯଜ୍ଞର ଆରମ୍ଭ,
ସ୍ଥାପିଦେଲ କାଳଦର୍ପ ଧ୍ୱଂସୀ ଯୂପସ୍ତମ୍ଭ ।
ରାଧାନାଥ ସରସ୍ୱତୀ ମୂର୍ତ୍ତିି ନବ ଯନ୍ତ୍ରେ,
ଗଢ଼ିଗଲେ, ଜୀବନ୍ୟାସ କରିଦେଇ ମନ୍ତ୍ରେ ।
ଯାବତ ଉତ୍କଳେ ଥିବ ବାଣୀ ନିକେତନ,
ତାବତ ଉଡ଼ିବ ତୁମ୍ଭ କୀରତି କେତନ ।
ଯେତେ ନେତ୍ରେ ଦେଇଅଛ ସୁଜ୍ଞାନ ଅଞ୍ଜନ,
ନିଶ୍ଚେ ହୋଇଥିବ ତାଙ୍କ ସୁଜ୍ଞାନ ରଞ୍ଜନ ।
ବୋଲନ୍ତୁ ପଛକେ ଲୋକେ ତୋତେ କିଏ ଗଣେ,
ସଦା ବୋଲୁଥିବି ମୁହିଁ ତହିଁ ମଧ୍ୟେ ଜଣେ ।
କରିଅଛ ମୋର ଯେତେ ଯେତେ ଉପକାର,
ମୋ ହୃଦେ ରହିଛି ସବୁ ସ୍ୱର୍ଣ୍ଣମୟ ଗାର ।
ତୁମ୍ଭ କୀରତିର ଚାରୁ ପତାକା ସୀବନେ,
ସୂତ୍ରହେଲେ ଧନ୍ୟ ହେବି ମୁଁ ଦୀନ ଜୀବନେ ।

(ବିଦ୍ୟାରତ୍ନଙ୍କ ହିତୈଷିଣୀ-ଅର୍ଘ୍ୟଥାଳୀ)

'ଉତ୍କଳ ସାହିତ୍ୟ' ପତ୍ରିକାର ତତ୍କାଳୀନ ସଂପାଦକ ବିଶ୍ୱନାଥ କର, ଓକିଲ ନୀଳକଣ୍ଠ ପୂଜାରୀ,ଲରମ୍ଭାର ବ୍ରଜମୋହନ ପଣ୍ଡା, ସମ୍ବଲପୁର ଜିଲ୍ଲାସ୍କୁଲର ତତ୍‍କାଳୀନ ହେଡ୍‍ମାଷ୍ଟର ଦାଶରଥି ପାଣିଗ୍ରାହୀ, ହିନ୍ଦୀସାହିତ୍ୟର କବି ଲୋଚନ ପ୍ରସାଦ ପାଣ୍ଡେୟ, ଫକୀର ମୋହନ ସେନାପତି, ମଧୁସୂଦନ ରାଓ, ରାଘବ ମିଶ୍ର ଆଦିଙ୍କ ସହ ଗଙ୍ଗାଧରଙ୍କର ସାରସ୍ୱତ ସମ୍ପର୍କ ଥିଲା । ସମୟ ଓ ସୁଯୋଗକ୍ରମେ ଗଙ୍ଗାଧର ବନ୍ଧୁମାନଙ୍କ ସାହାଯ୍ୟ-ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି । 'କବିତା କଲ୍ଲୋଳ' ପୁସ୍ତକର ଭୂମିକାରେ ଲେଖିଛନ୍ତି- "ଭାଗ୍ୟଲବ୍‍ଧ ଅନିବନ୍ଧନ ବନ୍ଧୁ ଶ୍ରୀମାନ୍‍ ବ୍ରଜ ମୋହନ ପଣ୍ଡା ଛାତ୍ରାବସ୍ଥାରେ ଥାଇ ସୁଦ୍ଧା ଭୂୟୋଭୂୟଃ ଉତ୍ସାହ, ଭୂରି ଭୂରି ଆଶା ଓ ସହାନୁଭୂତି ପ୍ରଦାନ କରି ମୋହର ନିରାଶ, ଅବସନ୍ନ, ଜୀର୍ଣ୍ଣ ଜୀବନରେ ଗୋଟିଏ ନବୀନ ଶକ୍ତିର ସଞ୍ଚାର କରାଇବାକୁ ଚେଷ୍ଟା କରିଅଛନ୍ତି ।" ବ୍ରଜମୋହନ ପଣ୍ଡା ମଧ୍ୟ ୧୮୯୫ ମସିହାରେ କବିଙ୍କ ପ୍ରକାଶିତ ଅଥଚ ଅସଂପୂର୍ଣ୍ଣ 'ଉତ୍କଳ-ଲକ୍ଷ୍ମୀ'କୁ ତାଙ୍କ ଦ୍ୱାରା ସଂପୂର୍ଣ୍ଣ କରାଇ ୧୯୧୪ରେ ପୁନଃପ୍ରକାଶ କରିଥିଲେ । ପୁସ୍ତକର 'ଭୂମିକା'ରେ ଗଙ୍ଗାଧର ଲେଖିଛନ୍ତି- "ସ୍ୱଦେଶପ୍ରେମିକ, ସାହିତ୍ୟରସିକ, ଉଦୀୟମାନ ସୁଲେଖକ ଶ୍ରୀମାନ୍‍ ବ୍ରଜମୋହନ ପଣ୍ଡା ଏହି ପୁସ୍ତିକାକୁ ପୂର୍ଣ୍ଣ କରିବା ନିମନ୍ତେ ଯେଉଁ ଉତ୍ସାହ ଦେଇଅଛନ୍ତି, ତାହା ଲେଖକ ପକ୍ଷରେ ଅତି ଦୁର୍ଲଭ ଅଟେ । ସେ ତାଙ୍କର ଜ୍ୟେଷ୍ଠଭ୍ରାତା