ପୃଷ୍ଠା:Aama Gangadhara.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୁଖୀ କହିଛନ୍ତି, ଯେଉଁମାନେ ରାଜଉପଜୀବୀ ନୁହନ୍ତି । (ସୁଖୀ ହୋଇଥିବ ରାଜ ଉପଜୀବୀ ନୋହି/ବିଦ୍ୟା ଥିବ ଦିବ୍ୟସ୍ତିରୀ ମିଳିଥିବ ତହିଁ- ଲାବଣ୍ୟବତୀ) ଗଙ୍ଗାଧର ବରପାଲିଠୁ ଆରମ୍ଭ କରି ବାମଣ୍ଡା, ବାରିପଦା, ପାରଳାଖେମଣ୍ଡି, ବାଲେଶ୍ୱର ଆଦିର ରାଜାଙ୍କୁ ଦେଖିଥିଲେ । ଜମିଦାରରୁ ରାଜା, ପୁଣି ଇଂରେଜଙ୍କ ସୁପାରିଶରେ ଅନରାରୀ ମାଜିଷ୍ଟ୍ରେଟ୍‍ ହେବା ଚରିତ୍ରମାନଙ୍କୁ ବି ସେ ଦେଖିଥିଲେ । ସେ ଭଲଭାବରେ ବୁଝିଥିଲେ-

ନୀଚ ଲୋକ ପାଏ ଯଦି ବଡ଼ ଅଧିକାର,
ନଥାଏ ତା ପାପ ପୁଣ୍ୟେ ବିବେକ ବିଚାର ।
ମୂର୍ଖ ହେଉ ପାପୀ ହେଉ ରାଜାର ନନ୍ଦନ,
ସିଂହାସନେ ବସି ହୁଏ ଜଗତ ବନ୍ଦନ ।
ଥାଉଁ ଥାଉଁ ନିଜ ବୁଦ୍ଧିବଳ ବାହୁବଳ
ପ୍ରଜାରୂପେ ହେଉଥାଏ ନର କଲବଲ । (ପଦ୍ମିନୀ)

ତେଣୁ ଏଭଳି ମାନସିକତାର ବ୍ୟକ୍ତି ବ୍ରଜମୋହନ ପଣ୍ଡାଙ୍କଠାରୁ ଅଯାଚିତ କୃପା ଗ୍ରହଣ କରିଥାନ୍ତେ କିପରି ? ନିଜ ରୁଚି ଓ ଆଦର୍ଶକୁ ନିଜ ଭିତରେ ଜିଆଇ ରଖିବାକୁ ଗଙ୍ଗାଧର ସତେଯେପରି ଥିଲେ ମିତବାକ୍‍, ଧର୍ମବିଶ୍ୱାସୀ ଓ କାହାରି ବିରୋଧରେ କିଛି ନ କହୁଥିବା ବ୍ୟକ୍ତି । ତାଙ୍କର ବ୍ୟକ୍ତିଚରିତ୍ର ପର୍ଯ୍ୟବେକ୍ଷଣ ଶକ୍ତି ଥିଲା । ତାଙ୍କ କାବ୍ୟାବଳୀର ପୌରାଣିକ ଅଥବା ଐତିହାସିକ ଚରିତ୍ରମାନଙ୍କରୁ ଏହା ଜାଣିହୁଏ ।

ବୃହତ୍ତର ସାମାଜିକ କର୍ମ :

ଗଙ୍ଗାଧର ମେହେର ଅବସର ଗ୍ରହଣ କରିବା ପରେ ପଦ୍ମପୁରରେ ରହିବେ ବୋଲି ଭାବି ସେଠାରେ ଜମିଦାରଙ୍କ ପୁନଃନିଯୁକ୍ତିର ଅଡ଼ିଟର ପଦବୀ ଗ୍ରହଣ କରିଥାନ୍ତି । ଜମିଦାର ରାଜେନ୍ଦ୍ର ସିଂହ ବରିହା ଥିଲେ ସାହିତ୍ୟାନୁରାଗୀ ଓ ପ୍ରତିଭା ଚିହ୍ନୁଥିବା ଧନୀକ ସାମନ୍ତ । ପଦ୍ମପୁରରେ କବିଙ୍କ ସ୍ମୃତିକୁ ଅମର କରି ରଖିବା ପାଇଁ ସେ 'କବିବରପୁର' ନାମରେ ଏକ ନୂତନ ଗ୍ରାମ ପ୍ରତିଷ୍ଠା କରିଥିଲେ । ତେଣ୍ଡାପଦର ନାମକ ଏକ ଗ୍ରାମ ସେ କବିଙ୍କୁ ପୁରସ୍କାର ରୂପେ ଦାନ କରିଥିଲେ । ଗଙ୍ଗାଧର ମେହେର ସେଠାରେ ରହିଯିବାକୁ ଭାବିଲେ । ଏମିତି ହେଲା ଯେ ଅବସର ଗ୍ରହଣ ପରେ ଅନେକ ରୋଜଗାର ଟଙ୍କା ଓ ବରପାଲିର ଜମିରୁ ଉତ୍ପାଦିତ ଫସଲ ଆୟରୁ ଗଙ୍ଗାଧର ଆଖିବୁଜା ଖର୍ଚ୍ଚ କଲେ ତେଣ୍ଡାପଦର ଗାଁ ଜମିରେ ଫସଲ ଫଳାଇବା ପାଇଁ । କିନ୍ତୁ ବର୍ଷା ବାଦ ସାଧିଲା । ଦି' ବର୍ଷ ଧରି କବି ଖର୍ଚ୍ଚାନ୍ତ ହେଲେ । ବିଶେଷ କିଛି ସୁଫଳ ମିଳିଲା ନାହିଁ । ସେତିକିବେଳେ ଜନ୍ମମାଟିର ଆହ୍ୱାନ ଶୁଭିଲା । ମନେପଡ଼ିଗଲା ନୃପରାଜ ସିଂହଙ୍କ ନାତି ସୂର୍ଯ୍ୟୋଦୟ ସିଂହ ବରପାଲିରୁ ୨୦.୧୦.୧୯୧୬ ତାରିଖରେ ଲେଖିଥିବା ଚିଠି କଥା । ଚିଠିରେ ସେ ଲେଖିଥିଲେ- "ବରପାଲିର ପ୍ରାଚୀନ ଓ ଆଧୁନିକ ରାଜନୀତିରେ ଆପଣ ଅଭିଜ୍ଞ । ବିଶେଷତଃ ଆପଣଙ୍କ ଲେଖନୀ ନିଃସୃତ