ପୃଷ୍ଠା:Aama Gangadhara.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅମୃତମୟୀ କବିତା ସ୍ରୋତରେ ଅନୁର୍ବର ଉତ୍କଳଖଣ୍ଡ ପ୍ଳାବିତ ହେଉଅଛି । ଉତ୍କଳର ସୁଯୋଗ୍ୟ ସନ୍ତାନଗଣ ଆପଣଙ୍କର ସଦ୍‍ଗୁଣରେ ମୁଗ୍‍ଧ ହୋଇ ଆପଣଙ୍କର ଏକାନ୍ତ ସହବାସ ବାସନା କରିଥାନ୍ତି । ମୁଁ ଆପଣଙ୍କର ପ୍ରଶଂସନୀୟ ସଦ୍‍ଗୁଣରେ ଅଧୁନା ଅତ୍ୟନ୍ତ ମୁଗ୍ଧହୋଇ ମୋହର ହୃଦୟ ମଧ୍ୟରେ ଏକ ଅଭିନବ ଆଶା ପୋଷଣ କରିଅଛି । ସେହି ଆଶା ଅନ୍ୟ କିଛି ନୁହେଁ; କେବଳ ଆପଣଙ୍କ ସହ ଅହରହ ସଦାଳାପ କରିବା, ଆପଣଙ୍କ ମଧୁମୟ ଉପଦେଶ ଗ୍ରହଣ କରି ସୁନୀତିରେ ପରିଚାଳିତ ହେବା ଏବଂ ଜୀବନର ପବିତ୍ର କର୍ତ୍ତବ୍ୟ ସୁଚାରୁରୂପେ ପ୍ରତିପାଦନ କରିବା ମାତ୍ର । ସୁତରାଂ ଆପଣ ମୋହର ଏକମାତ୍ର ଅଭିଭାବକ ସ୍ୱରୂପ ମୋହୋର ପ୍ରତ୍ୟେକ କାର୍ଯ୍ୟର ସହାୟକ ହେବେ । ମୁଁ ଆପଣଙ୍କର ଅବଶିଷ୍ଟ ଜୀବନ ଆପଣ ଯେମନ୍ତ ପବିତ୍ର ସୁଖ ଶାନ୍ତିରେ ଅତିବାହିତ କରନ୍ତି, ତତ୍‍ପ୍ରତି ସମୁଚିତ ବନ୍ଦୋବସ୍ତ କରିଦେବି । ଆପଣଙ୍କୁ ଆପଣଙ୍କ ଜୀବଦ୍ଦଶା ପର୍ଯ୍ୟନ୍ତ ମାସିକ ତ୍ରିଂଶ ଟଙ୍କା (୩୦ ଟଙ୍କା) ହିସାବରେ ବୃତ୍ତି ଦେବି । ଏତଦ୍‍ଭିନ୍ନ ରାଜ ସଂସାରର ସମ୍ମାନ ଆପଣଙ୍କ ପ୍ରତି ଯଥୋଚିତ ରୂପେ ପ୍ରଦତ୍ତ ହେଉଥିବ ।" ଜନ୍ମମାଟିର ଆକର୍ଷଣ ସାଙ୍ଗକୁ ନୂଆ ଜମିଦାରଙ୍କ ଏହି ସମ୍ମାନଜନକ ପତ୍ର ଗଙ୍ଗାଧରଙ୍କ ମନକୁ ଛୁଇଁଥିଲା ।

ତେଣ୍ଡାପଦର ଜମିରୁ ଶସ୍ୟ ଉତ୍ପାଦନରେ ବିଫଳ କବି ବିରକ୍ତ ଥିଲେ । ତେଣୁ ହଠାତ୍‍ ନିଷ୍ପତ୍ତି ନେଲେ ପଦ୍ମପୁରର ମାୟା ତୁଟେଇଦେବେ । ତାହା କଲେ ବି । ୧୯୨୦ ମସିହା ମାଘପୂର୍ଣ୍ଣମୀ ଦିନ ସେ ଫେରି ଆସିଲେ ବରପାଲିକୁ । ଗଙ୍ଗାଧରଙ୍କୁ କବି ବୋଲି ବରପାଲି ଅଞ୍ଚଳରେ ବିଶେଷ ଭାବେ ଜାଣିଥିଲେ ପଣ୍ଡିତ ରାଘବ ମିଶ୍ର । ରାଘବ ମିଶ୍ର ବରଗଡ଼ ଜିଲ୍ଲାର ଅଡ଼ଗାଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଗଙ୍ଗାଧର ମେହେରଙ୍କ ପୁତ୍ର ଭଗବାନ ମେହେର 'ପିତୃପ୍ରସଙ୍ଗ' ପୁସ୍ତକରେ ସୂଚାଇଛନ୍ତି "ଯେହେତୁ ରାଘବ ମିଶ୍ର କଟକ ଟ୍ରେନିଂ ସ୍କୁଲରେ ଅଧ୍ୟୟନ କରି ସେ ଅଞ୍ଚଳର ଶିକ୍ଷିତ ଲୋକଙ୍କ ସଂସର୍ଗରେ ଆସି ପିତାଙ୍କ ସଂପର୍କୀୟ ବହୁ ଅଭିଜ୍ଞତା ଅର୍ଜନ କରିଥିଲେ, ତେଣୁ ପିତାଙ୍କ ପ୍ରତି ବାବୁ ରାଘବ ମିଶ୍ରଙ୍କ ଅନୁରକ୍ତି ବୃଦ୍ଧି ପାଇଥିଲା ।" ଗଙ୍ଗାଧର ପଦ୍ମପୁରରେ ଥିବା ସମୟରେ ପଣ୍ଡିତ ମିଶ୍ର ଘଣାମାଲ ଗ୍ରାମର ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଥିଲେ । ୧୯୨୨ରେ ରାଘବ ବରପାଲି ମାଇନର ସ୍କୁଲର ହେଡ୍‍ପଣ୍ଡିତ ହେବାରୁ ଗଙ୍ଗାଧରଙ୍କ ସହିତ ତାଙ୍କର ବାରମ୍ବାର ସାକ୍ଷାତ୍‍ ଘଟୁଥିଲା ।

ବରପାଲିରେ ପହଞ୍ଚିବା ପରେ ଗଙ୍ଗାଧର ଲୋକହିତକର କାମ ଓ ଶିକ୍ଷାନୁଷ୍ଠାନ ଆଦିର ତତ୍ତ୍ୱାବଧାନରେ ମୁଣ୍ଡ ଖେଳେଇଲେ । ଏତେଦିନ ଧରି ସାହିତ୍ୟ ମାଧ୍ୟମରେ ନିଜର ଜୀବନାଦର୍ଶକୁ ପ୍ରତିଫଳିତ କରିଥିବା ଗଙ୍ଗାଧର ବାସ୍ତବରେ ତାହାକୁ ଲୋକଜୀବନରେ ପରୀକ୍ଷା କରିବା ପାଇଁ ଚାହିଥିଲେ । ଗଙ୍ଗାଧର ଭଲ ଭାବେ ବୁଝିଥିଲେ, ଭାବସଂଗୋପନର ପ୍ରକୃଷ୍ଟ ମାଧ୍ୟମ ହେଉଛି ଭାଷା । ଦୁଷ୍ମନ୍ତ ହୁଅନ୍ତୁ କି ଚପଳା ଅଥବା ରାବଣ ଚରିତ୍ର କିମ୍ବା ଇତିହାସର ଆଲ୍ଲାଉଦ୍ଦିନ୍- ସମସ୍ତଙ୍କ ଭାଷା ତ ଭାବ ଲୁଚେଇଛି । ସେ ରାଜାମାନଙ୍କ ସହିତ କାରବାର କରିଥିଲେ । କିନ୍ତୁ ସୂର୍ଯ୍ୟୋଦୟ ସିଂହ, ଯିଏ ତାଙ୍କ ଆଖି ଦେଖନ୍ତାରେ ଜନ୍ମିତ, ଯାହାଙ୍କ ଜନ୍ମ ଉତ୍ସବ ପାଇଁ ସେ ଲେଖିଥିଲେ 'କୁମାର ଜନ୍ମୋତ୍ସବ' କବିତା- ତାଙ୍କର କଥା-ଭାଷା ଓ କାମ ମଧ୍ୟରେ ତାଳମେଳ ନଥିବ- ଏ କଥା ଦୂରଦୃଷ୍ଟିରେ ସେ ଦେଖିପାରି ନଥିଲେ । ବରପାଲିରେ ପହଞ୍ଚି ସେ ତାଙ୍କ ଉଦ୍‍ଭ୍ରାନ୍ତତା ସମ୍ପର୍କରେ