ପୃଷ୍ଠା:Aama Gangadhara.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାଣିଲେ । ଜମିଦାରଙ୍କୁ ଯାହା ଯେପରି ପରାମର୍ଶ ଦେଲେ ତାହା ଗୃହୀତ ହେଲାନାହିଁ । ହିତୋପଦେଶ ବି କାଟୁ କଲାନାହିଁ ।

ସୂର୍ଯ୍ୟୋଦୟ ସିଂହ ଯୁବକ, ପୁଣି ଜମିଦାର । ଧନ ସାଙ୍ଗକୁ ପ୍ରଭୁପଣ ଯୋଡ଼ି ହୋଇଯାଇଛି । ଗଙ୍ଗାଧରଙ୍କୁ ଅଭିଭାବକ ରୂପେ ସହାୟକ ହେବାପାଇଁ ସେ ଚିଠି ଲେଖିଥିଲେ । କିନ୍ତୁ ଗଙ୍ଗାଧରଙ୍କୁ ସେ ମାନିବେ କିପରି ? ସେ ଯେ ମାଲିକ ! ଗଙ୍ଗାଧର ତ ଦରମା-ନିଆ ଚାକର । ଏପରି ପରିସ୍ଥିତି ଉପୁଜିଲା ଯେ ସୂର୍ଯ୍ୟୋଦୟଙ୍କ ପିତାମହୀ ଓ ପିଉସୀ ବରପାଲିର ଜମିଦାରଙ୍କ କୋଠିରେ ରହିବାକୁ ନିରାପଦ ମଣିଲେ ନାହିଁ । ସେମାନଙ୍କର ଧନ, ଗହଣା ଉପରେ ଦୃଷ୍ଟି ପଡ଼ିଲା ଜମିଦାରଙ୍କର । ବାଧ୍ୟ ହୋଇ ସେମାନେ ବରପାଲି ଛାଡ଼ିଲେ । ରହିଲେ ଯାଇ ଖମାର ଗାଁ ହଳଦୀପାଲିରେ । ସ୍ୱାର୍ଥପର କାନକୁହାଙ୍କ ବୋଲରେ ପଡ଼ି ସୂର୍ଯ୍ୟୋଦୟ ମଧ୍ୟ ସାଧାରଣ ଲୋକଙ୍କ ଉପରେ ନାନା ଦୌରାତ୍ମ୍ୟ ଆରମ୍ଭ କଲେ । ଲୋକେ ଗଙ୍ଗାଧରଙ୍କ ପାଖରେ ସେକଥା କହିଲେ । ଗଙ୍ଗାଧର ନୃପରାଜ ସିଂହଙ୍କ ଅମଳର କର୍ମଚାରୀ, ପୁଣି ବରପାଲିର ଲୋକ- ଏତକ ବିଶ୍ୱାସରେ ଲୋକେ ତାଙ୍କୁ ଧରିଲେ । ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅନାଚାର ସମ୍ବନ୍ଧରେ ବୁଝାଇଲେ । ଗଙ୍ଗାଧର ସେମାନଙ୍କୁ ଏକ ଅନୁଷ୍ଠାନ ଗଢ଼ିବାକୁ ପରାମର୍ଶ ଦେଲେ । ଉଦ୍ଦେଶ୍ୟ- ଲୋକେ ଏକଜୁଟ ହୋଇ ଅନ୍ୟାୟର ବିରୋଧ କରିବେ । ତାହା ହେଲା । ୨୫ ଜୁଲାଇ, ୧୯୨୧ରେ ଏକ ସମିତି ଗଢ଼ାହେଲା । ନାଁ ରଖାଗଲା 'ସାଧୁ ସମିତି' । ଗଙ୍ଗାଧର ବ୍ୟକ୍ତିଗତ ଜୀବନରେ ସାଧୁତାକୁ ଗୁରୁତ୍ୱ ଦେଉଥିଲା । ସାଧୁତା ବେଶପଟାରେ ନଥାଏ; ତାହା ଅନ୍ତରର ସ୍ୱଭାବ । ଯତିବେଶରେ ରାବଣ ସୀତାଙ୍କୁ ଚୋରିକରି ନେବା କାଳରେ ସୀତାଙ୍କ ମୁହଁରେ ଗଙ୍ଗାଧରଙ୍କର ଭାଷାଥିଲା- "ଜାଣିଲି ବେଶ ନୁହେଁ ଗୁଣର ଚିହ୍ନ/ ବାହାରେ ସାଧୁବେଶ, ଭିତରେ ଭିନ୍ନ ।" (ତପସ୍ୱିନୀ- ସପ୍ତମସର୍ଗ) କାବ୍ୟର ଭାଷାକୁ ଗଙ୍ଗାଧର ବାସ୍ତବ ଚରିତ୍ରର ଭାବରେ ପରଖି ବାରମ୍ବାର ହୁଏତ ମନେପକାଇଥିବେ 'ତପସ୍ୱିନୀ'କୁ । ଯାହାହେଉ, 'ସାଧୁ ସମିତି'ର ସଭାପତି ହେଲେ ଜମିଦାର ସୂର୍ଯ୍ୟୋଦୟ ସିଂହ ଏବଂ ସମ୍ପାଦକ ସେ ନିଜେ । "ଯେଉଁମାନେ ସତ୍ୟ, ନ୍ୟାୟରେ ଥାଇ ପବିତ୍ର ଓ ସରଳ ଜୀବନରେ ଚଳିବାକୁ ଓ ଅନ୍ୟାୟ ଅତ୍ୟାଚାର ନିବାରଣ କଳ୍ପେ ବିହିତ ପ୍ରତିକାର କରିବାରେ ସାହାଯ୍ୟ କରିବାକୁ ଓ ସମିତିର ନିୟମାନୁସାରେ ଚଳିବାକୁ ପ୍ରତିଜ୍ଞାବଦ୍ଧ ହେବେ, ସେମାନେ ଏହି ସମିତିର ସଭ୍ୟଶ୍ରେଣୀରେ ଭୁକ୍ତ ହେବେ ବୋଲି ନିୟମ କରାଗଲା । ମଦ୍ୟପ ଓ ଜୁଆଡ଼ିମାନଙ୍କୁ ସଭ୍ୟଭାବେ ଗ୍ରହଣ ନକରିବାକୁ ନିଷ୍ପତ୍ତି ନିଆଗଲା ।" (ପିତୃପ୍ରସଙ୍ଗ) ସମିତି ଜରିଆରେ ଲୋକମାନଙ୍କ ମଧ୍ୟରେ ଘଟୁଥିବା ବାଦ ବିବାଦ ବିନାଖର୍ଚ୍ଚରେ ଫଇସଲା ହେଲା । ଶୁଖିଲାଟାରେ ହାତଚିକ୍‍କଣ କରୁଥିବା ଲୋକଙ୍କୁ କଥାଟି ଅଡୁଆ ଲାଗିଲା । ସେମାନେ ଜମିଦାରଙ୍କ କାନରେ ଏ ଘେନି ବାରକଥା ପକେଇଲେ । ଜମିଦାର ସମିତିଆଡେ଼ ସୁନଜର ଦେଲେ ନାହିଁ । ଭାଙ୍ଗୁଣିଆ କେତେଜଣ ସଭ୍ୟପଦରୁ ଓହରିଗଲେ । ସେହି ସମୟରେ ଜଣେ ଗୁଡ଼ିଆ ଜାତିର ଲୋକ ମାରଓ୍ୱାଡ଼ିଙ୍କ ଶବସତ୍କାରରେ ଯୋଗ ଦେଇଥିବାରୁ ତାକୁ ଜାତିରୁ ଅଟକ କରାଇବା ପାଇଁ ଚକ୍ରାନ୍ତ ହେଲା । ଏହା ପଛରେ ନିଜେ ଜମିଦାର ଥିଲେ । ତାଙ୍କ ଜାତି ପାଟକର ବିଚାରରେ ଗୁଡ଼ିଆ ଜଣକ ନିର୍ଦ୍ଦୋଷ ବୋଲି କୁହାଗଲେ ବି ଏଥିରେ ଜମିଦାର