ପୃଷ୍ଠା:Aama Gangadhara.pdf/୩୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସ୍ମାରଂ ସ୍ୱଗୃହ ଚରିତମ୍‍ ଦାରୁଭୂତୋ ମୁରାରି' ହୋଇଯିବା କଥା । ସେ କିନ୍ତୁ ଥିଲେ ସହିଷ୍ଣୁତାର ନୀରବ ପ୍ରତିମା । କଳହାନଳର ଜଞ୍ଜାଳ ତାଙ୍କୁ ଯେ ବେଳେବେଳେ ଅତିଷ୍ଠ କରି ନଥିବ ତାହା ନୁହେଁ । ତେବେ ଏ ବିଷୟରେ କବି ପ୍ରାୟଶଃ ନୀରବ ।

ପରିଣତ ବୟସରେ ଫେରିଥିଲେ ସେ ଜନ୍ମଭୂମି ବରପାଲିକୁ । ସମ୍ୱଲପୁରରେ ଓଡ଼ିଆ ଭାଷା ସୁରକ୍ଷା ବାହିନୀର ଲଢ଼ୁଆ ସାରସ୍ୱତ ସୈନିକ, ନୀତି ଓ ମୂଲ୍ୟବୋଧର କାବ୍ୟ ଉଦ୍‍ଗାତା, ସଚ୍ଚୋଟ ଓ ନିରଳସ ସରକାରୀ କର୍ମଚାରୀ, ବନ୍ଧୁପ୍ରେମୀ ଗଙ୍ଗାଧରଙ୍କୁ ପଦ୍ମପୁର କାହିଁକି- ସୋନପୁର, କଳାହାଣ୍ଡି, ବାମଣ୍ଡା, ଲରମ୍ଭା ଆଦିରୁ ନିମନ୍ତ୍ରଣ ଆସୁଥିଲା ରହଣିର ସୁବ୍ୟବସ୍ଥା ସହିତ । ହେଲେ ସେ ଥିଲେ ଭିନ୍ନ ଧାତୁରେ ଗଢ଼ା ମହତ୍‍ପୁରୁଷ । ବ୍ୟକ୍ତିଗତ ଜୀବନରେ ପାଳନ କରି ଆସିଥିବା ସାଧୁତା ଓ ଆଦର୍ଶକୁ ବାସ୍ତବ ଜୀବନଭୂମିରେ ବିଞ୍ଚି ତତ୍‍କାଳୀନ ଜୀବନଭୂମିକୁ ଉଜାଡ଼ କରିବାକୁ ବସିଥିବା ଅନୀତି-ପୋକକୁ ସମାଜରୁ ନିଃଶେଷ କରିବାକୁ ପରୀକ୍ଷାସ୍ଥଳ ରୂପେ ବାଛି ନେଇଥିଲେ ନିଜର ଜନ୍ମିତ ଗାଁ ବରପାଲିକୁ । କିନ୍ତୁ ହେଲା କ'ଣ ? 'ସାଧୁ ସମିତି' ଗଢ଼ାଇ ସାଧୁ ଉଦ୍ୟମ ତାଙ୍କର ପଣ୍ଡଶ୍ରମରେ ପରିଣତ ହେଲା । କଲମ-ଚାଷରେ ଉତ୍ପାଦିତ ଶସ୍ୟ ସଂରକ୍ଷଣ ପାଇଁ ଯେଭଳି ଭୂମି ଗଢ଼ିବାର ମେହନତ ସେ କରିଗଲେ ତାହା ତାଙ୍କ ଭୂମିକାକୁ ବିରଳ କାବ୍ୟକାର ଭାବେ ଓଡ଼ିଆ ସାହିତ୍ୟରେ ସାବ୍ୟସ୍ତ କରୁଛି ।

୧୯୨୪ ମସିହା ଫାଲଗୁନ ପୂର୍ଣ୍ଣିିମାର ପାଞ୍ଚଦିନ ପୂର୍ବରୁ ଗଙ୍ଗାଧର ଅସୁସ୍ଥ ହୋଇପଡ଼ିଲେ । ଅଚେତ ରହିଲେ । ବରପାଲି ଡାକ୍ତରଖାନାର ଡାକ୍ତରଙ୍କ ଚିକିତ୍ସା କାଟୁ କଲାନାହିଁ । ପରିବାରର ଲୋକେ ତାଙ୍କୁ ବରଗଡ଼ ଡାକ୍ତରଖାନା ଆଣିବାରେ ସୁବିଧା କରିପାରିଲେ ନାହିଁ । ଗମନାଗମନ ପାଇଁ ଗାଡ଼ି ଚଳାଚଳର ବ୍ୟବସ୍ଥା ନଥିଲା । ଆୟୁର୍ବେଦୀୟ ଚିକିତ୍ସାରେ କିଛିଦିନ ଚିକିତ୍ସିତ ହୋଇ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ୪ ଏପ୍ରିଲ, ୧୯୨୪, ଚୈତ୍ର ଅମାବାସ୍ୟାରେ ।

ଗଙ୍ଗାଧରଙ୍କ ସାହିତ୍ୟକୃତି :

ଓଡ଼ିଆ ସାହିତ୍ୟରେ ନବଜାଗରଣର ସ୍ୱର ଶୁଣାଇଥିବା କବିମାନଙ୍କ ମଧ୍ୟରେ ଗଙ୍ଗାଧର ମେହେର ଅନ୍ୟତମ । ଏହି ସ୍ୱର ସହିତ ନୂତନ ରୁଚିବୋଧର ସାହିତ୍ୟ ସଂରଚନା ନିମନ୍ତେ ରାଧାନାଥ ରାୟ, ମଧୁସୂଦନ ରାଓ, ଫକୀର ମୋହନ ସେନାପତି ଯେଉଁ ଆଧୁନିକତାର ସାହିତ୍ୟିକ ମୂଳଦୁଆ ପକାଇବା ଆରମ୍ଭ କରିଥିଲେ ତହିଁରେ ଗଙ୍ଗାଧରଙ୍କ ଶ୍ରମଦାନ ବାରି ହୋଇପଡେ଼ । ସଂସ୍କୃତ କାବ୍ୟ,ନାଟକ,ଓଡ଼ିଆ ପୁରାଣାଦି ପୁରୁଣା ସାହିତ୍ୟ ଅବଲମ୍ୱ‌ନରେ ଗଙ୍ଗାଧର ଯେଉଁ ନୂଆରୁଚିର ଓଡ଼ିଆ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ତାହା ତାଙ୍କ ନୂତନତା ଏବଂ ସବୁ ସମୟରେ ପାଠକମାନଙ୍କ ପାଖରେ ତାଙ୍କ ସୃଷ୍ଟି ଆଦର ଲଭିବାର ନିଜସ୍ୱ କଳା-କୌଶଳ । ଗଙ୍ଗାଧର ମେହେର ସଂସ୍କୃତ ସାହିତ୍ୟ ଅନୁସରଣରେ କାବ୍ୟ ସୃଷ୍ଟି କରିଛନ୍ତି- ଏହା ସବୁଠି ସ୍ୱୀକାର କରିଛନ୍ତି । ଗଙ୍ଗାଧରଙ୍କ ଲକ୍ଷ୍ୟ ଥିଲା, ସଂସ୍କୃତ ଭାରତୀଙ୍କ ଅମୂଲ୍ୟ ତଥା ଅଳ୍ପଜ୍ଞାତ ସମ୍ପଦକୁ ମାତୃଭାଷା ଜରିଆରେ ଓଡ଼ିଆମାନଙ୍କୁ ଯୁଗୋପଯୋଗୀ ରୀତିରେ ଅବବୋଧ କରାଇବା । ସେ କିନ୍ତୁ ଓଡ଼ିଆ ଭାଷା ଓ ସାହିତ୍ୟର ସମୁନ୍ନତି ପାଇଁ ନିଜେ ପଢ଼ିଥିବା ଓ ବୁଝିଥିବା ସଂସ୍କୃତ ସାହିତ୍ୟକୁ ତାଙ୍କରି ଭଳି ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ