ପୃଷ୍ଠା:Aama Gangadhara.pdf/୩୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଚେଷ୍ଟା କରିଛନ୍ତି । ସଫଳ ବି ହୋଇଛନ୍ତି । ସଂସ୍କୃତ ଓ ଓଡ଼ିଆ ଭାଷା-ସାହିତ୍ୟ ସମ୍ପର୍କରେ ତାଙ୍କ ଦୃଷ୍ଟିକୋଣକୁ ତାଙ୍କରି ସାହିତ୍ୟରୁ ଦେଖିହୁଏ । "ସଂସ୍କୃତ ଭାଷାରୁ ଉତ୍କଳ ଭାଷାର ଜନ୍ମ । ସଂସ୍କୃତ ଭାଷାର ଅକ୍ଷର ଦେବନାଗରୀ । ଦେବନାଗରୀ ଅକ୍ଷରରୁ ଉତ୍କଳ ଅକ୍ଷର ହୋଇଥିବା କଥା ବୋଧହୁଏ କେହି ଅସ୍ୱୀକାର କରିବେ ନାହିଁ ।" (ବି' ଭେଦ) କିନ୍ତୁ 'ବେଦବ୍ୟାସ' କବିତାରେ ସରସ୍ୱତୀ ସହିତ ଶଙ୍ଖସ୍ରୋତର ମିଶ୍ରଣକୁ ଗଙ୍ଗାଧର ଏହିଭଳି ବର୍ଣ୍ଣନା କରିଛନ୍ତି- }}

ସରସ୍ୱତୀ କୁଣ୍ଡୁଁ ବହେ ସରସ୍ୱତୀ,
କ୍ଷୀଣାଙ୍ଗୀ ଉତ୍କଳେ ଯଥା ସରସ୍ୱତୀ ।
ନିକଟରେ ଶଙ୍ଖ ସ୍ରୋତ ସଙ୍ଗ ପାଇ
ଦେଉଅଛି ନିଜ ଜୀବନ ମିଶାଇ ।
ସଂସ୍କୃତ ଭାରତୀ ଉତ୍କଳେ ଯେସନ,
ମିଶ୍ରିତ କରିଛି ନିଜ ଅପଘନ ।

ଓଡ଼ିଆ ଭାଷା ସଂସ୍କୃତ ଭାଷାରୁ ଉତ୍ପନ୍ନ । ଗଙ୍ଗାଧରଙ୍କ ସମୟରେ ଦୁଇଭାଷାର ତଫାତ୍‍ ଥିଲା । ଏବେ ବି ଅଛି । ଗଙ୍ଗାଧର ନଦୀ ଦୁଇଟିର ରୂପ ଦେଇ ଭାଷା ଦୁଇଟିର ଅବସ୍ଥା ସୂଚାଇଛନ୍ତି । ଯେଭଳି ଚିତ୍ରାତ୍ମକ ରୀତିରେ ଉପସ୍ଥାପନ । 'ଉତ୍କଳ ଭାରତୀଙ୍କ ନିବେଦନ' କବିତାରେ ଉତ୍କଳ ଭାରତୀଙ୍କ କଥା ଛଳରେ ଗଙ୍ଗାଧର ବାମଣ୍ଡା, ପାଟଣା, କଳାହାଣ୍ଡି, ବରପାଲ୍ଲି, ସୋନପୁର ଆଦିର ରାଜାଙ୍କୁ ଓଡ଼ିଆ ଭାଷା ସମ୍ୱଲପୁର କଚେରିରେ ପ୍ରଚଳିତ ହେବାପାଇଁ କମିଶନରଙ୍କୁ ଜଣାଇବା ନିମନ୍ତେ ଅନୁରୋଧ କରିଛନ୍ତି । ସୋନପୁର ରାଜବାଟୀରେ ସଂସ୍କୃତ ଭାଷା-ସାହିତ୍ୟର ଚର୍ଚ୍ଚା ବିଶେଷ ଭାବେ ଚଳୁଥିବାରୁ ଅଭିମାନଭରା କଣ୍ଠରେ ଶୁଣାଇଛନ୍ତି- }}

ସ୍ୱର୍ଣ୍ଣପୁର ପତି ବସିଛ ସ୍ୱର୍ଣ୍ଣମୟ ଆସନେ,
ସଂସ୍କୃତେ ମାତିଛ ମୋ କଥା କାହିଁ ପଡ଼ିବ ମନେ ?

ପୁଣି ବିଶୁଦ୍ଧ ସଂସ୍କୃତ ଜ୍ଞାନ ବଞ୍ଚାଇବା ପାଇଁ ସଭ୍ୟଲୋକେ ଆଗ୍ରହୀ ଥିବା ସେ 'ନିଦାଘ ରାଜତ୍ୱ' କବିତାରେ ଲେଖିଛନ୍ତି । ଓଡ଼ିଆ ଭାଷା ଓ ମଧ୍ୟପ୍ରଦେଶ ଭାଷା ମଧ୍ୟରେ ଥିବା ପ୍ରଭେଦକୁ ଗଙ୍ଗାଧର ଦୁଇଟି ଖାଦ୍ୟ ଚିତ୍ର ଜରିଆରେ ପ୍ରକାଶ କରିଛନ୍ତି । କଳାହାଣ୍ଡି ରାଜାଙ୍କ ଉଦ୍ଦେଶ୍ୟରେ ଉତ୍କଳ ଭାରତୀ ଅନୁରୋଧ କରିବାର ଭାଷା ଏହିପରି- }}

ଦେଖ କି ନା ରଘୁ କିଶୋର କଳାହାଣ୍ଡି ଭୂପତି
ଘର ଭାତହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ ?
ସେହି ଭାତହାଣ୍ଡି ଆଗରେ ତୁମେ ଯାଉଛ ଫୁଟି
ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି ।

(ଉତ୍କଳ-ଭାରତୀଙ୍କ ନିବେଦନ)

ଆମ ଗଙ୍ଗାଧର.୩୭