ପୃଷ୍ଠା:Aama Gangadhara.pdf/୩୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ନାୟିକାର ଯୌବନ ବର୍ଣ୍ଣନା, ଉପବନ ବିହାର, ସ୍ୱପ୍ନଦର୍ଶନ, ନାୟିକା ସହିତ ନାୟକର ମିଳନ ଆଦି ଚିତ୍ର ରହିଛି ଏହି କାବ୍ୟରେ । ସମୟୋପଯୋଗୀ ନୂତନତା ନା ଅଛି ଛନ୍ଦରେ କି ବିଷୟବସ୍ତୁ ପରିବେଷଣରେ । ତେଣୁ ପୁରାଣ ଅନୁସରଣରେ ପରିକଳ୍ପିତ 'ରସ-ରତ୍ନାକର' କାବ୍ୟ 'ରୀତିକାବ୍ୟ'ର ଏକ ଗଙ୍ଗାଧରୀ ସଂସ୍କରଣ ମାତ୍ର ।

ସଂସ୍କୃତ ଭାଷା-ସାହିତ୍ୟର ଶାର୍ଦ୍ଦୂଳବିକ୍ରୀଡ଼ିତ ଛନ୍ଦରେ ଗଙ୍ଗାଧର ଲେଖିଛନ୍ତି 'ଅହଲ୍ୟା ସ୍ତବ' । ଗଙ୍ଗାଧରଙ୍କର ବନ୍ଧୁ ଶ୍ରୀ ମଦନମୋହନ ପ୍ରଧାନଙ୍କ ଅର୍ଥାନୁକୂଲ୍ୟରେ 'ଅହଲ୍ୟା ସ୍ତବ' ପୁସ୍ତକାକାରରେ ପ୍ରକାଶ ପାଇଛି ୧୮୯୩ରେ । ଏହାର ଛନ୍ଦ ଘେନି କବିବର ରାଧାନାଥ ରାୟ ଭିନ୍ନ ମତ ଦେଇଥିବାରୁ ଗଙ୍ଗାଧର 'ଅହଲ୍ୟା ସ୍ତବ'କୁ ବଙ୍ଗଳାଶ୍ରୀ ରାଗରେ ପୁନଃଲିଖନ କରିଥିଲେ ଏବଂ ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା ୧୯୧୪ରେ । ଶ୍ରୀରାମଙ୍କ ପଦସ୍ପର୍ଶରେ ପାଷାଣରୁ ଅହଲ୍ୟାଙ୍କ ଆବିର୍ଭାବ ଘଟିଥିଲା । ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅହଲ୍ୟାଙ୍କ ସ୍ତବ ହେଉଛି ଅହଲ୍ୟା ସ୍ତବର ବିଷୟ ପ୍ରସଙ୍ଗ ।

ଗଙ୍ଗାଧର ମେହେର 'ଇନ୍ଦୁମତୀ' କାବ୍ୟ ରଚନା କରିଥିଲେ ୧୮୯୩ରେ । କାବ୍ୟଟି ରାଧାନାଥ ରାୟଙ୍କ ପାଖକୁ ପଠାଯାଇଥିଲା । ରାଧାନାଥ ରାୟଙ୍କ ମନ୍ତବ୍ୟ ସହିତ ଫେରିବା ପରେ ପୁସ୍ତକ ରୂପେ ପ୍ରକାଶ ପାଇଥିଲା ୧୮୯୪ରେ । ବାରିପଦାରୁ ପ୍ରକାଶିତ ଉତ୍କଳପ୍ରଭାରେ ଏହା ଦୁଇ କିସ୍ତିରେ ପ୍ରକାଶ ପାଇଥିଲା ।

କାଳିଦାସଙ୍କ 'ରଘୁବଂଶ' କାବ୍ୟର ପଞ୍ଚମ ସର୍ଗ ୩୯ ଶ୍ଳୋକରୁ ଆରମ୍ଭ କରି ଅଷ୍ଟମ ସର୍ଗ ମଧ୍ୟରେ ବର୍ଣ୍ଣିିତ ଘଟଣାକୁ ଆଖି ଆଗରେ ରଖି ଗଙ୍ଗାଧର 'ଇନ୍ଦୁମତୀ' କାବ୍ୟ ରଚନା କରିଛନ୍ତି । ବିଦର୍ଭ ରାଜକନ୍ୟା ଇନ୍ଦୁମତୀଙ୍କ ସ୍ୱୟମ୍ୱର ଉତ୍ସବ, ଇନ୍ଦୁମତୀ ଅଜଙ୍କ ବେକରେ ବରଣମାଳା ଦେବା, ରାଜାମାନଙ୍କୁ ପରିଚିତ କରାଇବାରେ ଇନ୍ଦୁମତୀଙ୍କ ସମବୟସୀ ସୁନନ୍ଦାଙ୍କ ଚାତୁର୍ଯ୍ୟୋକ୍ତି, କନ୍ୟାନେଇ ଅଜ ଯାଉଥିବା ସମୟରେ ଅନ୍ୟ ରାଜାମାନେ ତାଙ୍କ ସହିତ ଯୁଦ୍ଧ କରିବା, ଇନ୍ଦୁମତୀଙ୍କୁ ଧରି ଅଜ ଅଯୋଧ୍ୟାରେ ପହଞ୍ଚିବା, ଅଜଙ୍କ ଔରସରେ ଇନ୍ଦୁମତୀଙ୍କ ଗର୍ଭରୁ ଦଶରଥ ଜନ୍ମହେବା,ଅଯୋଧ୍ୟାର ଉଦ୍ୟାନ ବର୍ଣ୍ଣନା, ଏକଦା ଉଦ୍ୟାନରେ ଅଜ ଦମ୍ପତି ଭ୍ରମଣ କରୁଥିବାବେଳେ ଆକାଶରୁ ଫୁଲହାର ଇନ୍ଦୁମତୀଙ୍କ ବକ୍ଷସ୍ଥଳରେ ପଡ଼ିବା ଓ ତାଙ୍କର ପ୍ରାଣବାୟୁ ଉଡ଼ିଯିବା, ପତ୍ନୀ ବିଚ୍ଛେଦରେ ଅଜ ବିଳାପ କରିବା, ଇନ୍ଦୁମତୀଙ୍କ ଶବ ସତ୍କାର ହେବା, ଅଜ ରାଜକାର୍ଯ୍ୟରେ ଅମନୋଯୋଗୀ ହେବାକଥା ତ୍ରିକାଳଦର୍ଶୀ ବଶିଷ୍ଠ ଜାଣିବା, ବଶିଷ୍ଠଙ୍କ ଦ୍ୱାରା ପ୍ରେରିତ ଜଣେ ଶିଷ୍ୟ ଆସି ଜୀବନର ସତ୍ୟ ସମ୍ୱନ୍ଧରେ କହିବା, କିଛିକାଳ ପରେ ଅଜ ପୁତ୍ରକୁ ଶାସନଭାର ଦେଇ ବାନପ୍ରସ୍ଥରେ ଯିବା କଥା 'ଇନ୍ଦୁମତୀ' କାବ୍ୟରେ ବର୍ଣ୍ଣିତ । ଇନ୍ଦୁମତୀ କାବ୍ୟର ବିଷୟବସ୍ତୁ ନାଟକର ଦୃଶ୍ୟ ଭଳି ବିଦର୍ଭ ଘଟଣା 'ପୂର୍ବଭାଗ' ଓ ଅଯୋଧ୍ୟା ଘଟଣା 'ଉତ୍ତର ଭାଗ'ରେ ବର୍ଣ୍ଣିିତ । ଆମୂଳାନ୍ତ କାବ୍ୟଟି ବଙ୍ଗଳାଶ୍ରୀ ରାଗରେ ରଚିତ । ଅଭିବ୍ୟକ୍ତି କୌଶଳ ନାଟକୀୟ । 'ରଘୁବଂଶ'ର କାହାଣୀ କାବ୍ୟର କଥାବସ୍ତୁ ହୋଇଛି । ଗଙ୍ଗାଧର କିନ୍ତୁ ଓଡ଼ିଆ ଚଳଣି ଉପଯୋଗୀ ରୀତିରେ ବର୍ଣ୍ଣନା କରିଛନ୍ତି । ଉଦାହରଣ ସ୍ୱରୂପ ପ୍ରତିହାରୀ ସୁନନ୍ଦା 'ରଘୁବଂଶ'ରେ ମଗଧରାଜଙ୍କୁ ପରିଚିତ କରାଇ ସାରିବା ପରେ