ପୃଷ୍ଠା:Aama Gangadhara.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାରଳା ମହାଭାରତର 'ବିରାଟପର୍ବ'ରେ ବର୍ଣ୍ଣିିତ କୀଚକବଧ ଆଖ୍ୟାନ ଭିତ୍ତିରେ ଗଙ୍ଗାଧର ପ୍ରଣୟ କରିଛନ୍ତି 'କୀଚକବଧ' କାବ୍ୟ । ଏହି କାବ୍ୟର ପାଣ୍ଡୁଲେଖ୍ୟ ରାଧାନାଥ ରାୟଙ୍କ ଦ୍ୱାରା ପଠିତ ହୋଇ ତାଙ୍କ ମନ୍ତବ୍ୟ ପ୍ରାପ୍ତ ହୋଇଥିଲା । ମଧୁସୂଦନ ଦାସଙ୍କ ଆର୍ଥିକ ସାହାଯ୍ୟରେ 'କୀଚକ ବଧ' ପ୍ରକାଶ ପାଇଥିଲା ୧୯୦୪ରେ । କାବ୍ୟ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ରାଧାନାଥ; ତାହା ଏହିପରି- "ପୁରାତନରେ ନୂତନତା ଏବଂ ଆହୃତରେ ମୌଳିକତା ପ୍ରତିଫଳିତ କରିବା ପ୍ରତିଭାର ବିଧି-ପ୍ରତିପାଦିତ ଅଧିକାର ଅଟେ । ଏ ସମ୍ବନ୍ଧରେ କବି ଗଙ୍ଗାଧର ଯେପରି ଶକ୍ତିମତ୍ତା ଦେଖାଇ ଅଛନ୍ତି, ତାହା କି ପ୍ରାଚୀନ କି ଆଧୁନିକ ଯେ କୌଣସି ଉତ୍କଳୀୟ କବିଙ୍କ ପକ୍ଷରେ ଗୌରବାବହ ।" ପୁରାଣ ବର୍ଣ୍ଣିିତ କୀଚକ ବଧ କାହାଣୀକୁ କାବ୍ୟରୀତିରେ ନୂତନତା ଦେଇଛନ୍ତି ଗଙ୍ଗାଧର ।

କୀଚକ ବଧ କାବ୍ୟରେ ପାରମ୍ପରିକ କାବ୍ୟଧାରାର ମଙ୍ଗଳାଚରଣ ଆଦି ନାହିଁ । ବିରାଟ ନଗରୀ ବର୍ଣ୍ଣନା, ବିରାଟ ରାଜାଙ୍କ ସମ୍ପଦ ଓ ଶାସନ, ପାଣ୍ଡବମାନେ ଓ ଦ୍ରୌପଦୀ ସେଠାରେ ଛଦ୍ମ ନାମ ଓ ବେଶଧରି ରହିବା, ବିରାଟ ରାଜାଙ୍କ ରାଣୀ ସୁଦେଷ୍ଣା ଓ ପୁରରମଣୀଗଣଙ୍କ ସହିତ ଦ୍ରୌପଦୀ ବନାମ ସୈରିନ୍ଧ୍ରୀ ଚୈତ୍ରମାସର ଶେଷ ମଙ୍ଗଳବାରରେ ମଙ୍ଗଳା ପୂଜିବାକୁ ଯିବା, ନାରୀ ଗହଣରେ ସୈରିନ୍ଧ୍ରୀକୁ କୀଚକ ଦେଖି ଆସକ୍ତ ହେବା, କୀଚକବାସୀ ଚପଳାକୁ ସୈରିନ୍ଧ୍ରୀ ନିକଟକୁ ଦୂତୀକରି ପଠାଇବା, ଦୂତୀ କଥାରେ ସୈରିନ୍ଧ୍ରୀ ବଶୀଭୂତା ନହେବାରୁ କୀଚକର କ୍ରୋଧ, ସୁଦେଷ୍ଣାଙ୍କ ନିର୍ଦ୍ଦେଶମତେ ପାନୀୟ ଚଷକ ଧରି ସୈରିନ୍ଧ୍ରୀଙ୍କର କୀଚକ ପାଖକୁ ଯିବା, କୀଚକ ସୈରିନ୍ଧ୍ରୀଙ୍କୁ ଧରିବା ପାଇଁ ଚେଷ୍ଟା କରିବାରୁ ସେ ଦୌଡ଼ିବା ଓ ପଛରେ କୀଚକ ଗୋଡେ଼ଇବା, ଏ ସମ୍ପର୍କରେ ସୈରିନ୍ଧ୍ରୀ ରାଜାଙ୍କ ନିକଟରେ ଅଭିଯୋଗ କରି ସଦୁତ୍ତର ନପାଇ କଙ୍କ ନାମଧାରୀ ଯୁଧିଷ୍ଠିରଙ୍କ ପରାମର୍ଶ କ୍ରମେ ଦ୍ୱିତୀୟ ସ୍ୱାମୀ ଭୀମଙ୍କୁ ସବୁକଥା ଜଣାଇବା, ଭୀମଙ୍କ ପରାମର୍ଶ ମୁତାବକ ନଗର ଉପାନ୍ତରେ ଥିବା ନୃତ୍ୟ ଘରକୁ ଅଭିସାରରେ ଯିବାକୁ ସୈରିନ୍ଧ୍ରୀ ଚପଳା ହାତରେ ଖବର ପଠାଇବା, ପରିଣତିରେ ଭୀମ କୀଚକ ବଧ କରିବା କଥା ଏହି କାବ୍ୟରେ ବର୍ଣ୍ଣିିତ ।

ବସନ୍ତଋତୁର ମନୋଜ୍ଞ ବର୍ଣ୍ଣନା, ସଂଳାପୋଚିତ କାବ୍ୟ ପଙ୍‍କ୍ତି, ଚରିତ୍ର ଚିତ୍ରଣରେ ଆନୁପାତିକତା ଓ ପ୍ରକୃତିକୁ ଚରିତ୍ର ରୂପେ ଚିତ୍ରିତ କରିବାରେ ଗଙ୍ଗାଧରଙ୍କ ଦକ୍ଷତା କାବ୍ୟଟିରୁ ଉପଲବ୍‍ଧ ।

ନୀତି ଓ ଆଦର୍ଶବାଦୀ ଗଙ୍ଗାଧର ବିରାଟ ନଗରୀର ରାଣୀ ସମେତ ସୈରିନ୍ଧ୍ରୀ ଓ ଅନ୍ୟ ନାରୀମାନଙ୍କର ମଙ୍ଗଳା-ପୂଜା ପାଇଁ ଯିବା ଦୃଶ୍ୟକୁ 'କୀଚକ ମରଣ ସୂଚକ ଘୋର ଉଲ୍‍କାପାତ' ବୋଲି ବର୍ଣ୍ଣନା କରିଛନ୍ତି । 'କୀଚକ ବାହୁବଳେ ବିରାଟ ରାଜା' ଉକ୍ତି ଗଙ୍ଗାଧରଙ୍କ କାବ୍ୟଭାଷାରେ ଏହିପରି ପ୍ରକାଶ ପାଇଛି -

ବଳିଷ୍ଠ କୀଚକ ସମ୍ପଦ-ଗବୀର
ଶୃଙ୍ଗ ଦେଇଛନ୍ତି ଧରି,
ବିରାଟ ନରେଶ ଆନନ୍ଦରେ ଛନ୍ତି
ସୁଖେ କ୍ଷୀର ପାନ କରି ।