ପୃଷ୍ଠା:Aama Gangadhara.pdf/୪୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସେବକ ହାତରେ ସୈରିନ୍ଧ୍ରୀଙ୍କର କୀଚକପୁରକୁ ଯିବା, କୀଚକ ବଧର ପରଦିନ ସକାଳ ବର୍ଣ୍ଣନା କବିଙ୍କ ପ୍ରକୃତି ବର୍ଣ୍ଣନାରେ ଅଭିନବତା ସୂଚକ । ଏହା ସାତ ସର୍ଗ ବିଶିଷ୍ଟ କାବ୍ୟ ।

ଗଙ୍ଗାଧରଙ୍କ 'ପ୍ରଣୟ ବଲ୍ଲରୀ' କାବ୍ୟର 'ପ୍ରଥମ ଛାନ୍ଦ' ସମେତ ଚନ୍ଦ୍ରରଜନୀ, ବେଦବ୍ୟାସ, ବସନ୍ତ ବାସର, ସୋମନାଥ ବିଜୟ, ବର୍ଷାଚିତ୍ର ଆଦିର ଏକ ସଂକଳନ 'କବିତା କଲ୍ଲୋଳ' ନାମରେ ପ୍ରକାଶ ପାଇଛି ୧୯୧୨ ମସିହାରେ । ଓକିଲ ରାମନାରାୟଣ ମିଶ୍ରଙ୍କ ଆର୍ଥିକ ସହଯୋଗରେ ବହିଟି ପ୍ରକାଶିତ ।

ତିନିଟି ସର୍ଗରେ 'ଅଯୋଧ୍ୟା ଦୃଶ୍ୟ' ରଚିତ । ପ୍ରଥମ ଦୃଶ୍ୟରେ ରାମ ସିଂହାସନରେ ନବସି ବନବାସ ଯିବା ପର୍ଯ୍ୟନ୍ତ ଘଟଣା, ଦ୍ୱିତୀୟ ଦୃଶ୍ୟରେ ବନବାସ ଓ ତୃତୀୟ ଦୃଶ୍ୟରେ ଲଙ୍କାରୁ ଫେରି ରାଜ୍ୟାଭିଷେକ ହେବା ବର୍ଣ୍ଣନା କରାଯାଇଛି । ଅଯୋଧ୍ୟା ଦୃଶ୍ୟ ପ୍ରକାଶ ପାଇଛି ୧୯୧୪ରେ ।

ଗଙ୍ଗାଧର କୃତ 'ପଦ୍ମିନୀ' ଏକ ଅସମ୍ପୂର୍ଣ୍ଣ ଐତିହାସିକ କାବ୍ୟ । ପାଞ୍ଚସର୍ଗ ପର୍ଯ୍ୟନ୍ତ ଗଙ୍ଗାଧର ଲେଖିଥିଲେ । ଚିତୋରର ରାଣା ଭୀମସିଂହଙ୍କ ପତ୍ନୀ ପଦ୍ମିନୀ ପ୍ରତି ଦିଲ୍ଲୀ ସମ୍ରାଟ ଆଲ୍ଲାଉଦ୍ଦିନ ଆସକ୍ତ ହୋଇଛନ୍ତି । ଚିଠି ଓ ଉପଢୌକନ ପଠାଇ ଶଠ ପ୍ରୀତି ଆରମ୍ଭ କରିବାକୁ ଚେଷ୍ଟା କରିଛନ୍ତି । ତହିଁରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ।

ଗଙ୍ଗାଧର ମେହେରଙ୍କ ପୁତ୍ର ଭଗବାନ ମେହେର ଲେଖିଛନ୍ତି- "ଗଙ୍ଗାଧର ୧୯୦୩ ବା ୧୯୦୪ରେ ଓକିଲ ନୀଳକଣ୍ଠ ପୂଜାରୀଙ୍କ ବୈଠକଖାନାରେ ବିଶ୍ୱାମିତ୍ର ଓ ମେନକାଙ୍କ ସଦ୍ୟପ୍ରସୂତା ଶକୁନ୍ତଳାଙ୍କର ଗୋଟିଏ ବୃହଦାକାର ସୁଦୃଶ୍ୟ ଛବି ଦେଖିଥିଲେ । ତା'ପରେ କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ୍‍' ପାଠ କରି 'ପ୍ରଣୟାଙ୍କୁର' ରଚନା କରିଥିଲେ ।" (ପିତୃ ପ୍ରସଙ୍ଗ- ପୃ. ୫୫) ପରବର୍ତ୍ତୀ ସମୟରେ 'ପ୍ରଣୟ ପଲ୍ଲବ', 'ପ୍ରଣୟ ପ୍ରସୂନ', 'ପ୍ରଣୟ ସୌରଭ', 'ପୁଷ୍ପେକୀଟ', 'ପ୍ରଣୟ ଫଳ', 'ପ୍ରଣୟ ଛାୟା' ରଚନା କରି 'ପ୍ରଣୟ ବଲ୍ଲରୀ' କାବ୍ୟ ପ୍ରଣୟନ କଲେ ଗଙ୍ଗାଧର । ସାତ ସର୍ଗ ବିଶିଷ୍ଟ 'ପ୍ରଣୟ ବଲ୍ଲରୀ' କାବ୍ୟ ୧୯୧୫ରେ ପ୍ରକାଶିତ । ଦୁଷ୍ମନ୍ତ- ଶକୁନ୍ତଳାଙ୍କ ପ୍ରଣୟ କାହାଣୀ କାବ୍ୟର ଉପଜୀବ୍ୟ କଥାବସ୍ତୁ । ଆମୂଳାନ୍ତ ବଙ୍ଗଳାଶ୍ରୀ ରାଗରେ ରଚିତ । କାବ୍ୟର ଆରମ୍ଭରେ କବି ବେଦବ୍ୟାସ, କାଳିଦାସଙ୍କୁ ପ୍ରଣାମ କରିଛନ୍ତି । କାବ୍ୟର ଶେଷ ସର୍ଗରେ ନୀଳାଚଳ ସିନ୍ଧୁକୂଳରେ ଦେବକନ୍ୟା ଓ ରାକ୍ଷସ କନ୍ୟାମାନଙ୍କର ସଂଘର୍ଷ ଦର୍ଶାଇ ନୂତନତା ଆନୟନ କରିଛନ୍ତି କବି । ପ୍ରଣୟବଲ୍ଲରୀ କାବ୍ୟରୁ କବିଙ୍କ ମୌଳିକତା ବି କେଉଟ ପ୍ରସଙ୍ଗରୁ ଜାଣିହୁଏ । ଦୁଷ୍ମନ୍ତ ତାକୁ ଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବାକୁ କହିଛନ୍ତି । କେଉଟ କିନ୍ତୁ ବୁଝି ନପାରି କାନ୍ଦି ଗଡୁଛି ।

ଗଙ୍ଗାଧରଙ୍କ 'ତପସ୍ୱିନୀ' କାବ୍ୟ ପ୍ରକାଶ ପାଇଛି ୧୯୧୫ରେ । ଏହି କାବ୍ୟ ପଛରେ ଭବଭୂତିଙ୍କ 'ଉତ୍ତର ରାମଚରିତ' ନାଟକର ପ୍ରେରଣା ରହିଛି । ସୀତାଙ୍କର ନିର୍ବାସନ ପ୍ରସଙ୍ଗ ଦେଇ ରାମାୟଣର କଥାବସ୍ତୁ ଏଥିରେ ଚିତ୍ରିତ । କାବ୍ୟାରମ୍ଭରେ କଳ୍ପନାଙ୍କୁ ସ୍ତୁତି ଓ ଶେଷରେ ସୀତାଙ୍କ ସ୍ୱପ୍ନ ଦେଇ ଯୋଗମାୟା ରାମ-ସୀତାଙ୍କୁ ଏକାଠି କରାଇବାର ଚିତ୍ର କାବ୍ୟର ବିଶେଷତ୍ୱ । ଭିନ୍ନ ଛନ୍ଦରେ ଏଗାର ସର୍ଗ ବିଶିଷ୍ଟ ରଚନା ହେଉଛି ତପସ୍ୱିନୀ । ପ୍ରକୃତି ବର୍ଣ୍ଣନା, ଚରିତ୍ର ଚିତ୍ରଣ,