ପୃଷ୍ଠା:Aama Gangadhara.pdf/୪୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସୀତାଙ୍କର ରାମଙ୍କ ନିକଟକୁ ପତ୍ର ଲେଖିବା ଆଦିରେ ବି ବିଶେଷତ୍ୱ ବାରି ହୋଇପଡ଼େ । ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରେ ଆଶ୍ରମେ ପ୍ରଭାତ, ଦ୍ୱିତୀୟ ଓ ପଞ୍ଚମ ସର୍ଗରେ ଆଶ୍ରମ ପ୍ରକୃତି, ତୃତୀୟ ସର୍ଗରେ ରାଜଧର୍ମ ବର୍ଣ୍ଣନା ଗଙ୍ଗାଧରଙ୍କ କବି ପ୍ରତିଭାର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ଅଧିକନ୍ତୁ ସୀତାଙ୍କ ଦୁଃଖରେ ପ୍ରକୃତିର ସମ୍ୱେଦନଶୀଳ ମାନବିକ ଗୁଣ ପ୍ରଦର୍ଶନ ଓଡ଼ିଆ କାବ୍ୟ ପରମ୍ପରାରେ ବିରଳ ଚିତ୍ର । ଲକ୍ଷ୍ମଣ ସୀତାଙ୍କୁ ଭାଗୀରଥୀ କୂଳର ବିପିନରେ ଛାଡ଼ିଦେଇ ଆସିଲେ । ସୀତା କାନ୍ଦି କାନ୍ଦି ମୂର୍ଚ୍ଛା ଗଲେ । ସେହି ସମୟରେ ପ୍ରକୃତିର କ୍ରିୟାକୁ ଗଙ୍ଗାଧର ଏହିଭଳି ବର୍ଣ୍ଣନା କରିଛନ୍ତି-

ତା ଚାହିଁ ବିହଙ୍ଗ ମୁଖେ କାନ୍ଦିଲା ସେ ବନ,
ବହିଲା ନିଃଶ୍ୱାସ ରୂପେ ପ୍ରଖର ପବନ ।
ଶୁଭିଲା ପ୍ରଶ୍ୱାସ ରୂପେ ସରସର ସ୍ୱର
କାରୁଣ୍ୟ ଲହରୀ ପ୍ରାୟେ ଚଳିଲେ ପତର
+++
କରିବାକୁ ନିୟତିର ସହିତ ସମର,
ତୃଣରାଜ ଖଡ୍‍ଗ କରେ ଗର୍ଜିଲା ପ୍ରଖର
ବାୟାବସା ତୂଣୀରକୁ ଝାଡ଼ି ବାରମ୍ୱାର
ପତ୍ର-କଙ୍କପତ୍ର କଲା କି ଅବା ବାହାର
କମ୍ପିତ ସରିତ ବୀଚି ଉତ୍‍ଥିତ ଶୀକର,
ପଡ଼ିଲା ପୁଳିନେ ତେଜି ତରଙ୍ଗ ଶିଖର ।
ଭରିକି ସୀସକ ଗୁଳି ତରଙ୍ଗର ତୋପେ
ନିୟତିକି ଭାଗୀରଥୀ ପ୍ରହାରିଲା କୋପେ । (ପ୍ରଥମ ସର୍ଗ)

ଏହି କାବ୍ୟରେ ଗଙ୍ଗାଧର ନିଜ ଜୀବନ ଚିତ୍ର ଏହିଭଳି ଉପସ୍ଥାପନ କରିଛନ୍ତି-

ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର
ଜଞ୍ଜାଳ-ଜଳଦ ଜଳେ ଆବିଳ ଉଦର । (ପ୍ରଥମ ସର୍ଗ)

ଦାମ୍ପତ୍ୟ ପ୍ରେମର ମହାନତା ବର୍ଣ୍ଣନା କାବ୍ୟଟିର ବୈଶିଷ୍ଟ୍ୟ । ଯେପରି-

କାନ୍ତା ବିନା କାନ୍ତପ୍ରାଣ ସ୍ୱଭାବେ ବିକଳ
ବିକଳ ଜୀବନ ମଣେ ଜଗତ ନିଷ୍ଫଳ ।
ଭାସୁଥାଏ ଜୀବ ଯଦି ସଂସାର ସାଗରେ
ତରିବା ଭରସା ଥାଏ ବନିତା ନାବରେ । (ଷଷ୍ଠ ସର୍ଗ)

ବସ୍ତୁତଃ ଗଙ୍ଗାଧରଙ୍କ ସାହିତ୍ୟସୃଷ୍ଟି ମଧ୍ୟରେ 'ତପସ୍ୱିନୀ' ଏକ ଅନୁପମ କାବ୍ୟ ।