ପୃଷ୍ଠା:Aama Gangadhara.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଙ୍ଗାଧରଙ୍କକବିତା ସଂକଳନ ମଧ୍ୟରେ ଅର୍ଘ୍ୟଥାଳୀ (୧୯୧୮), 'କବିତାମାଳା', କୃଷକ ସଙ୍ଗୀତ (୧୯୨୧) ଆଦି ସୁପରିଚିତ ଗ୍ରନ୍ଥ । ଗୀତିକବିତା, କଥା କବିତା, ଚତୁର୍ଦ୍ଧଶପାଦୀ କବିତା, ଶୋକଗୀତିକା, ଭକ୍ତିଗୀତିକାଦି ରଚନା କରିଛନ୍ତି ଗଙ୍ଗାଧର । ବ୍ୟଙ୍ଗ୍ୟକବିତା, ଅନୁବାଦ କବିତାରେ ବି ତାଙ୍କ କୃତିତ୍ୱ ଅନୁଭବ କରିହୁଏ । ବିରହ ବ୍ୟଥିତ ରାମ, କୁମାର ଜନ୍ମୋତ୍ସବ, ଆମୋଦ, ସୁଖସ୍ୱପ୍ନ, ପୁଷ୍କରିଣୀ, ତରୁବର, ନିଦାଘରାଜତ୍ୱ, ଭକ୍ତି ଉପହାର, ବର୍ଷାଚିତ୍ର ଆଦି ମଧ୍ୟ ତାଙ୍କ ସୃଷ୍ଟ କବିତା ।

'ଆତ୍ମଜୀବନୀ', 'ପୁରାଣ କବି ଫକୀରମୋହନ', 'ସ୍ୱର୍ଗୀୟ କାଶୀନାଥ ପଣ୍ଡା', 'ଉତ୍କଳ ଭାଷାର ଗୌରବ', 'ଖଣ୍ଡିଏ ପତ୍ର', 'ଦାକ୍ଷିଣାତ୍ୟ ଭ୍ରମଣର ସମାଲୋଚନା', 'ବ'ଭେଦ', 'ୠ ଓ ରୁ ଭେଦ', 'ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ', 'ଏହା କି ପୃଥିବୀର ଶବ୍ଦ', 'ଚୁଗୁଲିଆ', 'ଶ୍ରୀ ନୃପରାଜ ସିଂହ', 'କିଂବଦନ୍ତୀ' ଆଦି ତାଙ୍କ ଗଦ୍ୟକୃତିର ନମୁନା ।

ଗଙ୍ଗାଧରଙ୍କ କାବ୍ୟ, କବିତା, ଗଦ୍ୟ ଆଦି ରଚନାରେ ଯେଉଁ କେତୋଟି ବିଶେଷତ୍ୱ ପରିଲକ୍ଷିତ ହୁଏ ତନ୍ମଧ୍ୟରେ ପ୍ରକୃତି ବର୍ଣ୍ଣନାରେ ନିପୁଣତା, ବ୍ୟଙ୍ଗ୍ୟଦୃଷ୍ଟି, ବିଜ୍ଞାନ ମନସ୍କତା, କୃଷି ପ୍ରତି ଅନୁରାଗ, ଭାଷା ଓ ଜାତିପ୍ରୀତି, ଆଧ୍ୟାତ୍ମିକତା ଆଦି ପ୍ରମୁଖ । ନୀତି, ଆଦର୍ଶ ଓ ମାନବିକ ମୂଲ୍ୟବୋଧର ବିଶେଷତା ତାଙ୍କ ଶିଳ୍ପୀ ଦୃଷ୍ଟିର ଅନନ୍ୟ ବିଶେଷତ୍ୱ ।

ଗଙ୍ଗାଧର ପ୍ରକୃତି ବର୍ଣ୍ଣନାରେ ଜଣେ ଅସାଧାରଣ କବି । ତାଙ୍କ ପ୍ରକୃତି ପ୍ରାଣସତ୍ତାରେ ଉଚ୍ଛଳ । ତାଙ୍କ ପ୍ରକୃତିର ଆଚରଣ ମାନବୋଚିତ । ଉଦାହରଣ ସ୍ୱରୂପ-

ନାଟ୍ୟକାର ପରି ଆସି ବରଷା ସମୟ
ଦେଖାଇଲା ଲୋକେ ନବ ନବ ଅଭିନୟ ।
(ବର୍ଷାଚିତ୍ର- କବିତା କଲ୍ଲୋଳ)

ଚାଷୀଙ୍କଠାରୁ ଜଳକର ଆଦାୟ ହୁଏ, କିନ୍ତୁ ପାଣି ପାଇଁ ବାବୁଙ୍କ ନିର୍ଦ୍ଦେଶ ଦରକାର । ସେଥିପାଇଁ କ'ଣ କ'ଣ ଆବଶ୍ୟକ ତାହା ବ୍ୟଙ୍ଗାତ୍ମକ ରୀତିରେ ପ୍ରକାଶିତ ।

ଅନାହାରୀ ସଭ୍ୟମାନେ ଏଣେ ଛନ୍ତି ବସି,
ଫଳାହାର ଲୋଭେ ଯାର ଚିର ଏକାଦଶୀ ।
XXX
ରୁଚିକର ଫଳାହାର କାହାର କୁକୁଡ଼ା,
କାହାର ବା ସରୁଚୁଡା, କା ଶାଳ ଉଖୁଡ଼ା
ଅଣ୍ଟା ଖୋଷା ରୂପେ ଯାହା ଆଣ୍ଟ ହୋଇ ଆସେ
ମନୋମତ ଫଳାହାର ଚଳେ ତହିଁ ମାସେ
ସାଧୁତା ବ୍ୟାଜରେ ନାନା ଅପକର୍ମ କରି
ଧନଦ୍ରବ୍ୟେ ନେଇଥାନ୍ତି ନିଜ ଗୃହ ଭରି । (ପଞ୍ଚାୟତ)