ଏକଦା କବି ଗଙ୍ଗାଧର ମେହେର 'ଏହା କି ପୃଥିବୀର ଶବ୍ଦ' (ଉତ୍କଳ ସାହିତ୍ୟ- ଜୁଲାଇ ୧୯୦୦) ପ୍ରବନ୍ଧରେ ଲେଖିଥିଲେ- "କୌଣସି ନିର୍ଜନ ନିସ୍ତବ୍ଧ ସ୍ଥାନରେ ଅବା ଜୀବ କୋଳାହଳଶୂନ୍ୟ ପ୍ରାନ୍ତରରେ ଏବଂ ସର୍ବଦା ସର୍ବ ସ୍ଥାନରେ ନିଶୀଥ ସମୟରେ ଯେ ଏକ ନିରବଚ୍ଛିନ୍ନ 'ସାଇଁ ସାଇଁ' ଶବ୍ଦ ଶ୍ରୁତିପଥରେ ପ୍ରବେଶ କରେ, ସେ ଶବ୍ଦ କାହାର ? ସ୍ଥିର ଭାବରେ ଚିନ୍ତାକରି ଦେଖିଲେ ବୋଧହୁଏ ଯେପରି କୌଣସି ପ୍ରକାଣ୍ଡ ବସ୍ତୁ ଅବିଶ୍ରାନ୍ତ ଚାଲୁଅଛି ।" ଏହାର ସତ୍ୟତା ସମ୍ପର୍କରେ ସେ ଜାଣିବାକୁ ରାଧାନାଥ ରାୟଙ୍କୁ ଚିଠି ଲେଖିଥିଲେ । କବିବର କିନ୍ତୁ କୌଣସି ବିଜ୍ଞାନୀଙ୍କ ସହିତ ପରାମର୍ଶ କରିବାକୁ ଲେଖିଥିଲେ । ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି- ବିଜ୍ଞାନର ଏହି ତଥ୍ୟକୁ ସେ ଚମତ୍କାର ରୀତିରେ ପ୍ରକାଶ କରିଛନ୍ତି । ଗଛ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ତ୍ୟାଗ କରେ ଏ କଥା ତାଙ୍କ 'ତରୁବର' କବିତାରେ ବର୍ଣ୍ଣନା କରିଛନ୍ତି । ପୁଣି ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଅସ୍ତ ନାହିଁ- ଏହା 'ମହିମା' କବିତାରେ ବର୍ଣ୍ଣିିତ ।
ଅକ୍ଷୟ ଚନ୍ଦ୍ରଙ୍କୁ କ୍ଷୟ ଜ୍ଞାନ କଲେ
କ୍ଷତି କିସ ଚନ୍ଦ୍ରଙ୍କର
ଦୋଷ ସିନା ତାହା ନିଜର ଅଜ୍ଞାନ
ତମସାନ୍ଧ ନୟନର ।
ଲୋକ ନେତ୍ରେ ଅସ୍ତ ଦିଶନ୍ତି ମହତ
ଅସ୍ତ କାହିଁ ତାହାଙ୍କର ?
ଆମେରିକା-ଖଣ୍ଡେ ନବୋଦିତ ଆମ୍ଭ
ଅସ୍ତଗତ ଦିନକର । (ମହିମା)
ଉଦ୍ଭିଦ ବିଜ୍ଞାନରେ ଫଟୋସିନ୍ଥେସିସ୍ ବା ଆଲୋକ ସଂଶ୍ଳେଷଣ ଦେଇ ବୃକ୍ଷମାନେ ଖାଦ୍ୟ ପ୍ରସ୍ତୁତ କରିବା କଥା କୁହାଯାଏ । ଏଥିପାଇଁ ଜଳ, ବାୟୁ ଓ ଆଲୋକର ଆବଶ୍ୟକତା ରହିଛି । ଏହି ବିଜ୍ଞାନ ତତ୍ତ୍ୱକୁ ଗଙ୍ଗାଧର ଚମତ୍କାର କାବ୍ୟରୂପ ଦେଇଛନ୍ତି ।
କରି ବରଷାରେ ବ୍ୟାୟାମେ ଅଙ୍ଗ ପୁଷ୍ଟିସାଧନ
ଆତପକୁ ଜିଣି ଆଣନ୍ତି ତାର ଆଲୋକ ଧନ ।
(ତପସ୍ୱିନୀ-ଦ୍ୱିତୀୟ ସର୍ଗ)