ପୃଷ୍ଠା:Aama Gangadhara.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯେତେବେଳେ ଇନ୍ଦ୍ର ବୃହସ୍ପତିଙ୍କ ନିକଟକୁ ଯାଇ ରାକ୍ଷସମାନଙ୍କର କାର୍ଯ୍ୟ ଫଳାଫଳ ଜାଣିବାକୁ ଚାହିଁଛନ୍ତି ସେତିକିବେଳେ-

ଜ୍ଞାନ-ପ୍ରତିଚକ୍ଷୁ ଲଗାଇ ଗୀଷ୍ପତି
କାଟିଲେ ଧରମ ଖଡ଼ି
ତ୍ରିଦଶାଧିପଙ୍କୁ କହିଲେ ଧରମ-
ନୀତି ଫଳ ଶ୍ଳୋକ ପଢ଼ି ।

ବସ୍ତୁତଃ ଗଙ୍ଗାଧରଙ୍କ ବିଜ୍ଞାନଦୃଷ୍ଟି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଆବିଷ୍କ୍ରିୟାର ସଚେତନତାରୁ ସମ୍ଭବପର ହୋଇ ପାରିଛି ।

ବୋଡ଼ା ସମ୍ବରର ରାଜା ରାଜେନ୍ଦ୍ର ସିଂହ ବରିହାଙ୍କ ପରାମର୍ଶକ୍ରମେ ଗଙ୍ଗାଧର କୃଷିଭିତ୍ତିକ ପତ୍ରପତ୍ରିକା, ପୁସ୍ତକ ପଢ଼ି ଓ ଅଭିଜ୍ଞ ବ୍ୟକ୍ତିଙ୍କ ମତାମତ ନେଇ 'କୃଷକ ସଙ୍ଗୀତ' (୧୯୨୧) ରଚନା କରିଥିଲେ । ଏ ପରିକଳ୍ପନା ଯେପରି ଅଭିନବ ପୁସ୍ତକ ପ୍ରକାଶନ ବି ତତୋଽଧିକ ଚମକପ୍ରଦ । ବୋଧହୁଏ ଓଡ଼ିଆ ସାହିତ୍ୟରେ କୃଷିକୁ ଭିତ୍ତିକରି ରଚିତ କବିତା ପୁସ୍ତକ ଭାବେ ଏହା ଏକମାତ୍ର ସୃଷ୍ଟି ।

ଗଙ୍ଗାଧରଙ୍କ ଆଧ୍ୟାତ୍ମିକତା ଧର୍ମ ଓ ଭକ୍ତି ନିବେଦିତ ଆତ୍ମସମର୍ପଣର କଥା । ତପସ୍ୱିନୀରେ ସୀତାଙ୍କ ଧର୍ମକୁ ସମ୍ବୋଧନ, 'ଭକ୍ତି' କବିତାରେ ବ୍ୟାପକ ସୃଷ୍ଟିର ଅରୂପ ସ୍ରଷ୍ଟାଙ୍କ ପ୍ରତି କବି ଚିତ୍ତର ସମର୍ପଣ ମନସ୍କତା, 'ଅମୃତମୟ' ଓ 'ମଧୁମୟ' କବିତାରେ କବିଙ୍କ ମଙ୍ଗଳାକାଙ୍‍କ୍ଷୀ ଜଗତ ଓ ଜୀବନ ଦୃଷ୍ଟି ପ୍ରତିଫଳିତ । ଏ ରୀତିର ଆଧ୍ୟାତ୍ମିକ କବିତା ରଚନା କରିବାରେ ଗଙ୍ଗାଧରଙ୍କ କଳା-ସ୍ୱାତନ୍ତ୍ର୍ୟ ବାରି ହୋଇପଡେ଼ । ଅମୃତମୟ କବିତାରେ ମୃତ୍ୟୁ ଅସ୍ୱୀକୃତ । ଅମୃତ ତ ଜୀବନର ନାମାନ୍ତର । କବିଙ୍କ ଭାଷାରେ-

ମୁଁ ତ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ଖସି ମିଶିଛି ଅମୃତ ଧାରେ,
ଗତି କରୁଛି ସେ ଅକୂପାରେ,
ପଥେ ଶୁଖିଗଲେ ପାପ ତାପରେ
ହୋଇ ଶିଶିର ଖସିବି ତା'ପରେ
ଅମୃତମୟ ଅମୃତରୟ
ସହିତ ମିଶିବି ସାଗରେ । (ଅମୃତମୟ)

ଗଙ୍ଗାଧରଙ୍କ 'ଅମୃତ' ଓ 'ଶିଶିର' ଉପରେ ଆଧୁନିକ ମଣିଷ ଭରସା କରି ନପାରୁଥିବାରୁ କବି ଗୁରୁପ୍ରସାଦ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ 'ମୃତ୍ୟୁ' କବିତାରେ । ଗଙ୍ଗାଧରଙ୍କ କାବ୍ୟ- କବିତାର ଭାବବାଣୀ ତାଙ୍କ ଜୀବନ-ଆଚରିତ ସାଧନାର ଫଳଶ୍ରୁତି । ସେଠି ଆଧୁନିକ କି ପ୍ରାଚୀନର

୪୭ ଆମ ଗଙ୍ଗାଧର