ପୃଷ୍ଠା:Aama Gangadhara.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଚାର ନିରର୍ଥକ । ତାଙ୍କ କାବ୍ୟ-କବିତା ହେଉଛି ଭାବଦୃଷ୍ଟିରୁ ଅଖଣ୍ଡ କାଳଚେତନା ଦୀକ୍ଷିତ ମାନବିକ ଭାବର ସଚେତନ ବାଙ୍‍ମୟ ବ୍ୟାଖ୍ୟା । ବୋଧହୁଏ ଏଇଥିପାଇଁ ସଚ୍ଚିଦାନନ୍ଦ ରାଉତରାୟ କବି ଗଙ୍ଗାଧର ମେହେରଙ୍କୁ ତାଙ୍କ ସମକାଳର ସଂଘର୍ଷ ପୀଡ଼ିତ ଜୀବନର ଅସ୍ୱସ୍ତି ମଧ୍ୟରେ ଖୋଜୁଥିଲେ । ସଚ୍ଚିଦାନନ୍ଦଙ୍କ ଭାଷାରେ-

ମଧ୍ୟାହ୍ନର ଖରତାପ ଜାଳ
ସଂଘର୍ଷ ପୀଡ଼ିତ ମନ, ନାନା ଦ୍ୱନ୍ଦ୍ୱେ ବିକ୍ଷିପ୍ତ ଚଂଚଳ
ଜୀବନ ତୁମକୁ ଚାହେ, ହେ ନିର୍ଲିିପ୍ତ ସୂରି !
ବିଦଗ୍ଧ ଚେତନାର ଝଞ୍ଜାମୟ ଗାନ
ଚରୈବେତି ଜୀବନର ଖରଗତି ନିଦିଧ୍ୟାସନ
ତୁମକୁ ସ୍ମରଣ କରେ ।
ତୁମକୁ ସ୍ମରଣ କରେ ଜ୍ୟାୟାନ୍‍, ଯୁଆନ ।
(ଗଙ୍ଗାଧର ମେହେର-କବିତା ୧୯୬୨)

ଜ୍ୟାୟାନ୍‍ (ବର୍ଷୀୟାନ) ଓ ଯୁଆନ (ଯୁବକ) କବି ଗଙ୍ଗାଧରଙ୍କୁ ସଚ୍ଚିଦାନନ୍ଦ ଲୋଡ଼ିବା ତାତ୍ପର୍ଯ୍ୟପୂର୍ଣ୍ଣ । କବିଙ୍କକାବ୍ୟାଦର୍ଶ ଆଦର୍ଶ ଓ ନୀତି ଆଧାରିତ । ତେଣୁ ତାଙ୍କ କାବ୍ୟସ୍ୱର ସବୁକାଳ ପାଇଁ, ସବୁ ବୟସର ମଣିଷଙ୍କ ପାଇଁ ଉପାଦେୟ ସୃଷ୍ଟି । ତଥାକଥିତ ଆଧୁନିକତା ଓ ପ୍ରାଚୀନତାର ବିଚାର ଊର୍ଦ୍ଧ୍ୱରେ ହିଁ ତାଙ୍କ ସାରସ୍ୱତ ସୃଷ୍ଟି । ତାଙ୍କ କାବ୍ୟ-କବିତାଦିରୁ ଚିରନ୍ତନ ଜୀବନସତ୍ୟ ଶୁଣି ହୁଏ, ଶୁଣି ହୁଏ ବି ଜାତି, ଭାଷାକୁ ଘେନି ସୃଷ୍ଟ ସମକାଳୀନ ସମସ୍ୟା । ତାଙ୍କ ସାହିତ୍ୟରେ ଆଦର୍ଶ ଓ ନୀତିିନିଷ୍ଠ ଚରିତ୍ରମାନଙ୍କୁ ଦେଖିହୁଏ, ଦେଖିହୁଏ ବି ପାଷଣ୍ଡ ଉତ୍କୋଚଗ୍ରହୀତା ମାନଙ୍କୁ । ଗଙ୍ଗାଧରଙ୍କ ଜୀବନର ଶୁଦ୍ଧ ଶୁଚିତା ବସ୍ତୁତଃ ତାଙ୍କ ସାହିତ୍ୟରେ ଉଦ୍ଭାସିତ । ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ବି ତାଙ୍କ ସୃଷ୍ଟିରାଜିର ଶକ୍ତି-ସାମର୍ଥ୍ୟ ପାଇଁ ସେ କାଳାନ୍ତରତା ଲଭିଛନ୍ତି । ଓଡ଼ିଆ ଭାଷା-ସାହିତ୍ୟ, ଜାତିର ସ୍ଥିତି ଥିବା ପର୍ଯ୍ୟନ୍ତ ସ୍ୱଭାବକବି ଗଙ୍ଗାଧର ସ୍ମରଣୀୟ ରହିବେ ।

୪୮ ଆମ ଗଙ୍ଗାଧର