ପୃଷ୍ଠା:Aama Gangadhara.pdf/୫୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ରତୀଶ ଶାମ୍ୱ ଗଦ ସାତ୍ୟକି ବୀର
ରଭସ ଧନୁ ଧରି ହେଲେ ବାହାର,
ରଜା ତ ଉଗ୍ରସେନ କଂସ-ପିଅର
ରଚିଲେ ଆଜ୍ଞା ବେଗେ କର ସମର ହେ ।

ରଥୀ ପଦାତି ସାଜି ସେନା ଅପାର
ରସା କମ୍ପାଇ ଗତି କଲେ ପ୍ରଖର,
ରଥାଙ୍ଗ-ପାଣି ଘେନି ଅସଂଖ୍ୟ ବୀର
ରକତପୁରେ ଉପନୀତ ସତ୍ୱର ଯେ ।

ଇନ୍ଦୁମତୀ
(ପୂର୍ବଭାଗ: ରାଗ-ବଙ୍ଗଳାଶ୍ରୀ)

ଜଣେ ଜଣେ ହୋଇ ସଭାଗତ ହେଲେ
କ୍ରମେ ସର୍ବ ନରପତି,
ସନ୍ଧ୍ୟାଦେବୀ କୋଳେ ଉଇଁ ଆସିଲେ କି
ଉଜ୍ଜ୍ୱଳ ତାରକାପଂକ୍ତି ।

ବସିଲେ ତହିଁରେ ଅତି ମନୋହର
ସ୍ୱର୍ଣ୍ଣମୟ ସିଂହାସନେ,
ଆଚମ୍ୱିତେ ଅବା କମଳ ସକଳ
ଫୁଟିଗଲେ ପଦ୍ମବନେ ।

ତହିଁ ମଧ୍ୟେ ବିଜେ କୋଶଳ ନୃପତି
ସୁତ ଅଜ ଯୁବରାଜ,
ସୁରବୃନ୍ଦ ସଙ୍ଗେ ମହୀକି ଆଗତ
ହେଲେ କି ସେ ଦେବରାଜ ।

ଅବା ଅକମ୍ପିତ ସ୍ୱଚ୍ଛ ନୀର ଫୁଲ୍ଲ
କୁମୁଦଶୋଭିତ ସରେ,
ବାଳାର୍କମଣ୍ଡଳ ପ୍ରତିବିମ୍ୱ ଆସି
ପଡ଼ିଗଲା ତରତରେ ।

ଆମ ଗଙ୍ଗାଧର ୫୩