ପୃଷ୍ଠା:Aama Gangadhara.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାନସିକ ସାଯୁଜ୍ୟ ନଥିଲା, ବିରୋଧ ମଧ୍ୟ ନଥିଲା । ଏହି ଦ୍ୱନ୍ଦ୍ୱ ଓ ବିସଦୃଶ ଭାବ ତାଙ୍କ ରଚନାବଳୀର ବିଷୟ ପ୍ରକାଶଭଙ୍ଗୀରେ ଅଭିବ୍ୟକ୍ତି ଲାଭ କରିଛି ।" (ଗଙ୍ଗାଧର : କବିତା ଓ କବି-ଆତ୍ମା, ୧୯୯୫, ପୃଷ୍ଠା-୧୧୬) । ଏଣୁ, ଗଙ୍ଗାଧରଙ୍କ ସାହିତ୍ୟକୁ ତାଙ୍କ ଜୀବନୀର ଆଲୋକରେ ଦେଖିବାପାଇଁ ହେଲେ ତାଙ୍କ ଜୀବନଧାରା ସମ୍ବନ୍ଧରେ ଜାଣିବା ଦରକାର ।

ଗଙ୍ଗାଧରଙ୍କ ଜୀବନୀ :

ବ୍ୟାସକବି ଫକୀରମୋହନ ସେନାପତିଙ୍କ 'ଉତ୍କଳ ଭ୍ରମଣଂ'ରେ କବି ଗଙ୍ଗାଧର ମେହେରଙ୍କ କଥା ଏହିଭଳି ବର୍ଣ୍ଣନା କରାଯାଇଛି-

ବରପାଲି ଦେଶେ ଅଛି ଗଙ୍ଗାଧର ମେହେର ତାହାର କବିତା ପଢ଼ିଲିଣି ଢେର ଢେର । କବିତାଗୁଡ଼ିକ ପଢ଼ି ମନ ମାନିଯାଏ ଆଉ ସେ ଲେଖିବ କିଛି ବାଟ ଚାହିଁଥାଏ ।

ବରପାଲି ଓଡ଼ିଶା ପ୍ରଦେଶର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନ । ସମ୍ବଲପୁରଠାରୁ ବଲାଙ୍ଗୀର ରାସ୍ତାରେ ପ୍ରାୟ ୮୦ କିଲୋମିଟର ଏହାର ଦୂରତା । ସ୍ୱାଧୀନତା ପରବର୍ତ୍ତୀ କାଳରେ ବରପାଲି ସମ୍ବଲପୁର ଜିଲ୍ଲା ଓ ବରଗଡ଼ ସବ୍‍ଡିଭିଜନର ଅନ୍ତର୍ଭୁକ୍ତ ଏକ ଥାନା ଅଞ୍ଚଳ ଥିଲା । ତା' ପୂର୍ବରୁ ସମ୍ବଲପୁର ରାଜ୍ୟର ବରପାଲି ଏକ ଜମିଦାରିର ନାମ ଥିଲା । ଜମିଦାରିର ନାମ ବରପଲ୍ଲୀ (ଶ୍ରେଷ୍ଠ ଗାଁ) ବା ବରପାଲି ଗାଁ ନାମରେ ନାମିତ । ସମ୍ବଲପୁର ଗେଜେଟିୟର୍‍ରୁ ଜଣାଯାଏ, ସମ୍ବଲପୁରର ଚୌହାନବଂଶୀ ରାଜା ବଳୀୟାରସିଂହ (୧୬୬୦-୧୬୯୦)ଙ୍କୁ ବୀରତ୍ୱ ଲାଗି ପୁରୀର ଗଜପତି ରାଜା 'ହୀରାଖଣ୍ଡ ଛତ୍ରପତି ମହାରାଜା' ଉପାଧି ଦେଇଥିଲେ । ସେ ତାଙ୍କର କନିଷ୍ଠ ପୁତ୍ର ବିକ୍ରମ ସିଂହଙ୍କୁ ବରପାଲି ଜମିଦାରି ବୁଝିବା ଦାୟିତ୍ୱ ଦେଇଥିଲେ । ତାହା ତାଙ୍କ ଉତ୍ତରାଧିକାରୀମାନଙ୍କ ଭୋଗ-ଦଖଲରେ ୧୯୨୭ ମସିହା ପର୍ଯ୍ୟନ୍ତ ରହିଥିଲା । ବରପାଲିର ଜମିଦାର ଥିବାବେଳେ ନିଃସନ୍ତାନ ଅବସ୍ଥାରେ ସୂର୍ଯ୍ୟୋଦୟ ସିଂହଙ୍କର ପରଲୋକ ହେଲା । ତେଣୁ ବରପାଲି ରାଜ୍ୟ 'କୋର୍ଟ ଅଫ୍‍ ଓ୍ୱାର୍ଡସ୍' ଦ୍ୱାରା ବ୍ରିଟିଶ୍‍ ଶାସନ ଅଧୀନକୁ ଚାଲିଗଲା ।

୧୮୪୯ ଖ୍ରୀଷ୍ଟାବ୍ଦରେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ନିଃସନ୍ତାନ ଅବସ୍ଥାରେ ପରଲୋକ ହେବାରୁ ରାଜ୍ୟର ଶାସନଭାର ଇଂରେଜ ସରକାର ଗ୍ରହଣ କରିଥିଲେ । ଏକଥାକୁ ବୀର ସୁରେନ୍ଦ୍ର ସାଏ ସହଜରେ ଗ୍ରହଣ କରି ପାରିଲେ ନାହିଁ । ସେ ହେଲେ ସମ୍ବଲପୁର ରାଜସିଂହାସନର ଦାବିଦାର । ଗଣ୍ଡ ଓ ବିଂଝାଲ୍‍ ସଂପ୍ରଦାୟର ଜମିଦାରମାନେ ସୁରେନ୍ଦ୍ର ସାଏଙ୍କୁ ସମର୍ଥନ ଜଣାଇବାରୁ ଭାରତର ପ୍ରଥମ ସଶସ୍ତ୍ର ମୁକ୍ତିସଂଗ୍ରାମ- 'ସିପାହୀ ବିଦ୍ରୋହ'ର ଆଠବର୍ଷ ପୂର୍ବରୁ ସମ୍ବଲପୁରରେ ଗଣମେଳି ଆରମ୍ଭ ହେଲା । ଇଂରେଜ ସରକାରଙ୍କୁ ଏହି ବିଦ୍ରୋହ ଦମନ କରିବାପାଇଁ ତେରବର୍ଷ ଲାଗିଗଲା । ବିଦ୍ରୋହ ଆରମ୍ଭ ହେବା ବେଳକୁ ବରପାଲିର ରାଜା ଥିଲେ ଭବାନୀ ସିଂହ ।.ଆମ ଗଙ୍ଗାଧର