ପୃଷ୍ଠା:Aama Gangadhara.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭବାନୀ ସିଂହଙ୍କର ଚାରି ପୁତ୍ରଙ୍କ ମଧ୍ୟରୁ ଦୁଇଜଣଙ୍କର ବାଲ୍ୟାବସ୍ଥାରେ ମୃତ୍ୟୁ ହୋଇଥିଲା । ବଞ୍ଚି ରହିଥିଲେ ଜ୍ୟେଷ୍ଠପୁତ୍ର ଗଜେନ୍ଦ୍ର ସିଂହ ଓ କନିଷ୍ଠପୁତ୍ର ନୃପରାଜ ସିଂହ । ୧୮୫୯ ମସିହାରେ ବିସୂଚିକା ରୋଗ ବରପାଲିରେ ମହାମାରୀ ରୂପ ଧାରଣ କରିଥିଲା । ଏଥିରେ ଯୁବରାଜ ଗଜେନ୍ଦ୍ରଙ୍କର ମୃତ୍ୟୁ ହେଲା । ତାଙ୍କ ମୃତ୍ୟୁର ଦୁଇମାସ ପରେ ଭବାନୀ ସ୍ୱର୍ଗାରୋହଣ କରିବାରୁ ଗଜେନ୍ଦ୍ରଙ୍କ ପୁତ୍ର ରାଜେନ୍ଦ୍ର ସିଂହ ସେପ୍ଟେମ୍ବର ୧୮୫୯ରେ ରାଜା ହେଲେ । ମାତ୍ର ଦୁର୍ଭାଗ୍ୟକୁ ରାଜେନ୍ଦ୍ର ନିଃସନ୍ତାନ ଭାବେ ୧୮୫୯ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ତେଣୁ ନୃପରାଜ ସିଂହ ମାତ୍ର ୧୭ ବର୍ଷ ବୟସରେ ଜମିଦାରି ଭାର ଗ୍ରହଣ କଲେ । ଏହି ସମୟରେ ଶାସନର ସୁବିଧାପାଇଁ ଇଂରେଜମାନେ ଦକ୍ଷିଣ-ପଶ୍ଚିମ ସୀମାନ୍ତ ଏଜେନ୍‍ସି ଗଢ଼ିଥିଲେ । ଏହାର ମୁଖ୍ୟ କାର୍ଯ୍ୟାଳୟ ନାଗପୁରରେ ଥିଲା । ସେଣ୍ଟ୍ରାଲ୍‍ ପ୍ରୋଭିନ୍‌ସେସ୍ ବ୍ୟବସ୍ଥାରେ ମଧ୍ୟପ୍ରଦେଶର ଚିଫ୍‍ କମିଶନରଙ୍କଦ୍ୱାରା ସମ୍ବଲପୁର ଶାସନ ଚଳୁଥିଲା । ଏମିତି ଏକ ଜଟିଳ ସମାଜ-ରାଜନୀତିକ ବ୍ୟବସ୍ଥା ଘଟୁଥିବା କାଳରେ ଜନ୍ମଗ୍ରହଣ କରିଥିଲେ କବି ଗଙ୍ଗାଧର ମେହେର ।

ଜନ୍ମ, ପରିବାର ଓ ପରିବେଶ :

ବ୍ରିଟିଶ ଶାସନ ବ୍ୟବସ୍ଥାର ପଶାପାଲିରେ ସମ୍ବଲପୁର ବାରମ୍ବାର 'ଦାନ' ହୋଇ କେତେବେଳେ ମଧ୍ୟପ୍ରଦେଶ ତ କେତେବେଳେ ଓଡ଼ିଶା ଭାଗରେ ପଡ଼ିଛି । ଏହା ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବାର ଅବ୍ୟବହିତ ପୂର୍ବରୁ ଗଙ୍ଗାଧର ମେହେର ବରପାଲିଠାରେ ଜନ୍ମଗ୍ରହଣ କରନ୍ତି ୯ ଅଗଷ୍ଟ, ୧୮୬୨, ଶ୍ରାବଣ ପୂର୍ଣ୍ଣିିମା ତିଥିରେ । ପିତା- ଚୈତନ୍ୟ ମେହେର ଓ ମାତା- ସେବତୀ । ବସ୍ତ୍ରବୟନ କରୁଥିବା 'ଦେବାଙ୍ଗ' ଜାତିର ଭୁଲିଆ ସଂପ୍ରଦାୟର ଥିଲେ ଗଙ୍ଗାଧରଙ୍କ ପରିବାର । କୋଷ୍ଟାମାନେ କୌଷେୟ ବସ୍ତ୍ର ବୁଣିବା ବେଳେ କୁଲି ଓ ଗଣ୍ଡାମାନେ ସୂତାଲୁଗା ବୁଣନ୍ତି । ଗଣ୍ଡାବୁଣାଳିମାନଙ୍କୁ ବାଦ୍‍ ଦେଲେ ଭୁଲିଆ, କୋଷ୍ଟା ଓ କୁଲିମାନଙ୍କର ମେହେର ସାଂଜ୍ଞା । କୁଲି ଓ ଗଣ୍ଡା ତଫସିଲଭୁକ୍ତ ଜାତିର ।

ଗଙ୍ଗାଧର ମେହେର ବରପାଲିର ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ସେହି ପରିବାରର କେହି ଜଣେ ପୂର୍ବପୁରୁଷ ସମ୍ବଲପୁରରୁ ଆସି ବରପାଲିରେ ବସତି ସ୍ଥାପନ କରିଥିଲେ ବୋଲି କିମ୍ବଦନ୍ତୀ କହେ । କିନ୍ତୁ କେଶବ ମେହେରଙ୍କଠାରୁ ସେହି ବଂଶ ବରପାଲିର ବାସିନ୍ଦା ହୋଇଥିବା ଜଣାଯାଏ । କେଶବ ମେହେରଙ୍କର ପାଞ୍ଚ ପୁଅ ଥିଲେ । ତେଣୁ ତାଙ୍କ ଘରକୁ ଲୋକମାନେ 'ପାଞ୍ଚଭାୟା ଘର' କହୁଥିଲେ । ପୁଣି ଘରଟି ଗୋଟିଏ ଗୁଡ଼ି ବା ଭାଗବତ ମଣ୍ଡପ ନିକଟରେ ଅବସ୍ଥିତ ଥିବାରୁ କେହିକେହି 'ଗୁଡ଼ିତଳିଆ ଘର' ବୋଲି କହୁଥିଲେ । ପାଞ୍ଚପୁଅଙ୍କ ମଧ୍ୟରେ କନିଷ୍ଠ ଥିଲେ ସଦାଶିବ । ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ସୁରୁବାବୁ ବୋଲି ଡାକୁଥିଲେ । ସଦାଶିବଙ୍କର ଦୁଇ ପୁତ୍ରଙ୍କ ମଧ୍ୟରୁ ଗଙ୍ଗାଧରଙ୍କ ପିତା ଚୈତନ୍ୟ ଥିଲେ ଜ୍ୟେଷ୍ଠ । ଗଙ୍ଗାଧର ଥିଲେ ଚୈତନ୍ୟଙ୍କର ମଧ୍ୟମ ସନ୍ତାନ ତଥା ଏକମାତ୍ର ପୁତ୍ର । ତାଙ୍କ ଉପରେ ବିଜୁଳି ଓ ତଳେ ଡାଳିମ୍ବ ନାମରେ ଦୁଇଜଣ ସହୋଦରା ଭଉଣୀ ଥିଲେ ।

ଆମ ଗଙ୍ଗାଧର.