Jump to content

ପୃଷ୍ଠା:Aama Gangadhara.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅରୁଣ କଷାୟ ବାସ, କୁସୁମ କାନ୍ତି ବିକାଶ,
ପ୍ରଶାନ୍ତ-ରୂପ, ବିଶ୍ୱାସ ଦିଅନ୍ତି ମନେ,
କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି
ଡାକୁଛନ୍ତି ଦୁଃଖରାଶି-ଉପଶମନେ
ଦେବାପାଇଁ ନବ ଜୀବନ
ର୍ସ୍ୱଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ ।।

ସମୀର ସଂଗୀତ ଗାଏ, ଭ୍ରମର ବୀଣା ବଜାଏ,
ସୁରଭି ନର୍ତ୍ତନେ ଥାଏ ଉଷା ନିଦେଶେ,
କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବପାଠ
କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
"ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା ।।

ମୁନି-ମୁଖ ବେଦ-ସ୍ୱନ ପୂର୍ଣ୍ଣ କଲା ଶ୍ୟାମବନ
ଉଠିଲା ଭେଦି ଗଗନ ଉଚ୍ଚ ଓଁକାର,
ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତିକି ଗତି
ବିହିଲା କି ସରସ୍ୱତୀ ବୀଣା-ଝଙ୍କାର,
ବେଳୁଁ ବେଳ ବନ ଉଜ୍ଜ୍ୱଳ,
ମନ୍ତ୍ରବଳେ ଯେହ୍ନେ ବଢ଼ି ଆସିଲା ବଳ ।।

ତପସ୍ୱିନୀ
(ପଞ୍ଚମ ସର୍ଗ : ରାଗ-ରସକୁଲ୍ୟା)

ଅନୁକମ୍ପା ଏହି ସମୟେ ଆସି
ବୋଇଲେ ମଧୁର ବାତ୍ସଲ୍ୟେ ଭାଷି,
ସୀତା ମୋର ଜଳ ବହି ନ ଜାଣେ,
କଷ୍ଟ ହେଉଥିବ କୋମଳ ପ୍ରାଣେ,
ନ କରୁ ଅଧିକ ଶ୍ରମ
ଉଦ୍ୟାନକୁ ଥରେଦେଖିନେଉ ମାତ୍ର
ଆସିଛି ହୋଇ ପ୍ରଥମ ।।

୭୮ * ଆମ ଗଙ୍ଗାଧର