ପୃଷ୍ଠା:Aama Madhusudan.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ନାରୀଶିକ୍ଷାକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ୧୮୬୯ ସାଲରେ ଛଅଜଣ ବଂଗୀୟ ବାଳିକାଙ୍କୁ ନେଇ ଘରୋଇ ଟ୍ୟୁସନ୍‍ ଭାବରେ ପ୍ରଥମ ପାଠଶାଳାଟି ଆରଂଭ ହୋଇଥିଲା । ୧୮୭୧ ସାଲ ବେଳକୁ ଏହା ୧୪ ଜଣ ଛାତୀ୍ରଙ୍କୁ ନେଇ ବାଲୁବଜାର ନିକଟରେ ଅବିନାଶ ଚଂଦ୍ର ଚଟ୍ଟୋପାଧ୍ୟୟଙ୍କ ଗୃହରେ ପରିଚାଳିତ ହେଉଥିଲା । ପରେ ସ୍କୁଲ୍‍ଟିର ନାମ ହେଲା ରେଭେନ୍‍ସା ହିନ୍ଦୁ ବାଳିକା ବିଦ୍ୟାଳୟ, ଯାହାକୁ ୧୮୮୩ ବେଳକୁ ଭର୍ଣ୍ଣାକୁଲାର ସ୍ତରକୁ ଉନ୍ନୀତ କରାଗଲା । ସେତେବେଳକୁ ମାସିକ ସରକାରୀ ଗ୍ରାଂଟ ଥିଲା ପଚିଶ ଟଙ୍କା । ୧୯୦୫ ବେଳକୁ ଏହାର ଶ୍ରେଣୀସଂଖ୍ୟା କମାଇ ଦିଆଗଲା । ଶିକ୍ଷାଦାନ ନିମ୍ନମାନର ଥିବାରୁ ଅନ୍ୟ ଏକ ଉନ୍ନତ ସ୍କୁଲ୍‍ ସ୍ଥାପନାପାଇଁ ସରକାରୀ ସ୍ତରରେ ମତ ପ୍ରକାଶ ପାଇଲା ।

ସେତେବେଳକୁ ଓଡ଼ିଶାରେ ଶିକ୍ଷିତ ଓ ସଂଭ୍ରାନ୍ତ ସମାଜରେ ନାରୀମାନଙ୍କର ସ୍ଥାନଥିଲା ସୂର୍ଯ୍ୟାଲୋକର ଅଗମ୍ୟସ୍ଥାନରେ, ଗୃହର ଅଂତଃପୁରରେ । ବହୁ ସଂପ୍ରଦାୟର ବାଲ୍ୟବିବାହ ଥିଲା ଚିରାଚରିତ ପ୍ରଥା । ବିବାହ ହେଉଥିଲା ବାରରୁ ପଂଦର ବର୍ଷ ମଧ୍ୟରେ । ଏପରିକି ସେ ବେଳର ସବୁଠାରୁ ପ୍ରଗତିଶୀଳ ପରିବାରରୁ ଆରମ୍ଭ ରମାଦେବୀଙ୍କର ବିବାହ ଚଉଦ ବର୍ଷରେ ହୋଇଥିଲା । ଝିଅମାନେ ଖଡ଼ିପାଠ, ଚାଟଶାଳୀ ପାଠ ସମାପ୍ତ କରି ପ୍ରାଥମିକ ବା ମାଇନର ଶ୍ରେଣୀ ପଢ଼ିଲାବେଳକୁ ବିବାହଯୋଗ୍ୟ ବୟସ ଆସି ପହଞ୍ଚି ଯାଉଥିଲା । ତେଣୁ ଉଚ୍ଚ ଶ୍ରେଣୀରେ ଅଧ୍ୟୟନ କରିବାପାଇଁ ଛାତ୍ରୀ ମିଳିବା ଥିଲା ଦୁଃସାଧ୍ୟ ।

ଏହାଛଡ଼ା ଆହୁରି ଥିଲା ଅନ୍ତର୍ନିହିତ ସମସ୍ୟା । ବଂଗ ପ୍ରଦେଶର ଗୋଟିଏ ଡିଭିଜନ ରୂପେ ଓଡ଼ିଶାର କେବଳ ଶାସକୀୟ ରାଜଧାନୀ ନୁହେଁ, ସାଂସ୍କୃତିକ ଜାଗରଣର ମୁଖ୍ୟକେନ୍ଦ୍ର ଥିଲା କଳିକତା, ଯାହା ସହିତ ଓଡ଼ିଶା ସଂଯୁକ୍ତ ହୋଇଥାଏ ନୂତନ ଭାବେ ସଂଯୁକ୍ତ ରେଳପଥଦ୍ୱାରା ୧୯୦୦ ସାଲରେ । ବଂଗାଳୀ ସଂସ୍କୃତିର ଧାରା ଅବାରିତ ଭାବରେ ବହିଚାଲିଥିଲା । ସ୍ୱଳ୍ପ ସଂଖ୍ୟକ ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକଯୋଗୁଁ ଶିକ୍ଷିତ ସମାଜ ବଂଗଳା ପୁସ୍ତକ ପଢ଼ୁଥିଲେ । ବଂଗଳା ଭାଷା ହୋଇଯାଇଥିଲା ବାହାର ଜଗତ ସହିତ ସଂପର୍କର ସେତୁ । ଶିକ୍ଷିତ ଓଡ଼ିଆ ତୁଂଡ଼ରେ ଓଡ଼ିଆ ଅପେକ୍ଷା ବଂଗଳା ହିଁ ସହଜରେ ପଇଟୁ ଥିଲା । କିରାଣିଠାରୁ ଆରମ୍ଭକରି ହାକିମଙ୍କ ପର୍ଯ୍ୟନ୍ତ ସଂପର୍କ ସ୍ଥାପନକରିବା ସହିତ ଭାବପ୍ରକାଶ କରିବାଲାଗି ସବୁକ୍ଷେତ୍ରରେ ବଙ୍ଗଳା ଭାଷା ହିଁ ଥିଲା ମାଧ୍ୟମ ।

ଆହୁରି ଥାଆନ୍ତି ବଂଗଳାର ପ୍ରଭାବଶାଳୀ ଜମିଦାର ଗୋଷ୍ଠୀ, ସୂର୍ଯ୍ୟାସ୍ତ ଆଇନ ବଳରେ ଯେଉଁମାନଙ୍କର ଚେର ରହିଥାଏ ବଂଗଳା ମାଟିରେ । ଓଡ଼ିଶାରେ ବ୍ରାହ୍ମଧର୍ମ ଗ୍ରହଣ କରିଥିବା ପରିବାରସବୁ ସଂପର୍କିତ ଥିଲେ କଲିକତାର ବହୁ ସଂସ୍କୃତିସଂପନ୍ନ ପରିବାର ସହିତ । ଭକ୍ତକବି ମଧୁସୂଦନ ରାଓଂକଠାରୁ ଆରମ୍ଭ କରି ବହୁ ପରିବାରରେ ବଂଗଳା ହିଁ ପରିଣତ ହୋଇଯାଇଥିଲା ମାତୃଭାଷାରେ । ଏ ସମସ୍ତ ଥିଲା ସେ ଯୁଗର ଚଳଣି । ମାତ୍ର ସମସ୍ୟାଟି ହେଲା, ବଂଗଳା ଭାଷା ଜରିଆରେ ଜ୍ଞାନ ଆହରଣ ଓ ନୂତନ ସଂସ୍କୃତି ସହିତ ପରିଚିତ ହେଲାବେଳେ ନିଜର ମାଟି ଓ ପରଂପରା ଉପରେ ଠିଆ ହେବାର ଆତ୍ମପ୍ରତ୍ୟୟ ଓ ଦାମ୍ଭିକତା

ଆମ ମଧୁସୂଦନ ୧୦୧