ପୃଷ୍ଠା:Aama Madhusudan.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୁଏତ ଓଡିଆମାନଙ୍କର ନଥିଲା । ଥିଲା ଉଜାଣି ସୁଅରେ ଭାସିଯାଇ ବଂଗୀୟ ସଂସ୍କୃତିକୁ ନିର୍ବିଚାରରେ ଗ୍ରହଣ କରିନେବାର ଅଦମ୍ୟ ଆଗ୍ରହ ।

ଏହି ସମୟ ସୁଅରେ ଭାସି ଯାଇଥିଲା ଓଡ଼ିଶାର ନାରୀଶିକ୍ଷା କିଛିକାଳ ଦିଗହରା ହୋଇ । ଏତିକିବେଳେ ନାରୀଶିକ୍ଷାର ମାର୍ଗଦର୍ଶନ କରିଥିଲେ ମଧୁସୂଦନ ଓ ଉଭାହୋଇଥିଲେ ଦୁଇଜଣ ବଳିଷ୍ଠ ବ୍ୟକ୍ତିତ୍ୱସଂପନ୍ନ ନାରୀ ଚରିତ୍ର । ଜଣେ କୁମାରୀ ଶୈଳବାଳା ଦାସ । ଜନ୍ମ, ଶିକ୍ଷା, ଦୀକ୍ଷା ଓ ବିଦ୍ୟାଧ୍ୟୟନ ବଂଗରେ । ଧର୍ମରେ ଖ୍ରୀଷ୍ଟିୟାନ, ସଂସ୍କୃତିରେ ବଂଗାଳୀ । ୧୮୯୭ରେ ଆଇ.ଏ ପାଶ୍‍ ଓ ୧୯୦୬-୭ରେ ବିଲାତରେ ନାରୀଶିକ୍ଷାର ସ୍ୱତଂତ୍ର ପ୍ରଶିକ୍ଷଣ ପ୍ରାପ୍ତା । ମାତ୍ର ମଧୁବାବୁଙ୍କ ପାଳିତା କନ୍ୟା ଭାବରେ ଓଡ଼ିଆର ଅଧିକାରିଣୀ ଓ ମଧୁବାବୁଙ୍କ ନିର୍ଦ୍ଦେଶରେ କିଛିକାଳ ଓଡ଼ିଶାର ସ୍ୱାର୍ଥରକ୍ଷା (ନାରୀଶିକ୍ଷା) ପାଇଁ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଶିକ୍ଷା, ଦୀକ୍ଷା ତଥା ସଂସ୍କୃତି ଏଥିରେ କିଛିଟା ପ୍ରତିବଂଧକ ସୃଷ୍ଟି କରିଥିଲେ ମଧ୍ୟ ମଧୁସୂଦନଙ୍କର ବ୍ୟକ୍ତିଗତ ପ୍ରଭାବଯୋଗୁଁ ସେ ଏହା ବହୁ ପରିମାଣରେ ଅତିକ୍ରମ କରିପାରିଥିଲେ ।

ଅନ୍ୟ ଜଣେ ହେଉଛନ୍ତି, ରେବା ରାୟ(ରାଓ) । ଜନ୍ମରେ ମରାଠୀ, ଭକ୍ତକବିଙ୍କ ଝିଆରୀ, ବିଶିଷ୍ଟ ଓଡ଼ିଆ ଅଭିଧାନ ପ୍ରଣେତା ଜଗନ୍ନାଥ ରାଓଙ୍କର ଝିଅ । ବାଲ୍ୟଶିକ୍ଷା ରେଭେନ୍‍ସା ବାଳିକା ବିଦ୍ୟାଳୟରେ । ୧୮୮୭ରେ ବୃତ୍ତି ପାଇ ଅପର ପ୍ରାଇମେରୀ ପାଶ୍‍ ସହିତ ଭର୍ଣ୍ଣାକୁଲାର କ୍ଲାସ୍‍ରେ ଅଧ୍ୟୟନ । ଅଳ୍ପ ବୟସରୁ ତାଙ୍କ ରଚିତ ଓଡ଼ିଆ ଗ୍ରନ୍ଥ "ଅଂଜଳି' ଉଚ୍ଚ ପ୍ରଶଂସିତ ହୋଇଥିଲା । ଓଡ଼ିଆ ଭାଷାରେ ତାଙ୍କର ପ୍ରଥମ ରନ୍ଧନ ଶାସ୍ତ୍ର "ରାନ୍ଧଣା' ସର୍ବଜନାଦୃତ ହୋଇଥିଲା । ସେ ଓଡ଼ିଆ ସାଧୁଚରଣ ରାୟଙ୍କୁ ବ୍ରାହ୍ମ ମତରେ ବିବାହ କରିଥିଲେ । ସ୍ୱାମୀଙ୍କ ସହାୟତାରେ ସେ ଆଶା ନାମରେ ସାମୟିକ ଓଡ଼ିଆ ପତ୍ରିକା ସଂପାଦନା କରିଥିଲେ । ଏସବୁ ସତ୍ତ୍ୱେ ବ୍ରାହ୍ମଧର୍ମ ତଥା ଭକ୍ତକବିଙ୍କ ଜରିଆ ରେ କଲିକତା ତଥା ବଂଗଳାର ବହୁ ସଂସ୍କୃତିସଂପନ୍ନ ପରିବାରଙ୍କ ସହିତ ଜଡ଼ିତ ଥିଲେ ଓ ବଂଗଳା ସଂସ୍କୃତି ପ୍ରତି ତାଙ୍କର ଅପରିସୀମ ଆଗ୍ରହ ଥିଲା । କୁମାରୀ ଶୈଳବାଳା ଓ ଶ୍ରୀମତୀ ରେବା ରାୟ ଦୁଇଟି ବିପରୀତମୁଖୀ ଚରିତ୍ର । ନିଜର ବ୍ୟକ୍ତିତ୍ୱକୁ ଉପସ୍ଥାପିତ କରିବାରେ ପାରଦର୍ଶୀ । ଲକ୍ଷ୍ୟ ହାସଲ ଲାଗି ଯେକୌଣସି ପଥ ଗ୍ରହଣ କରିବାକୁ ପଛାଉ ନଥିଲେ ସେମାନେ । ଆଗରୁ କୁହାଯାଇଛି, ରେଭେନ୍‍ସା ବାଳିକା ବିଦ୍ୟାଳୟରେ ଶିକ୍ଷାଦାନର ମାନରେ ଅବନତିଯୋଗୁଁ ନୂତନ ବାଳିକା ବିଦ୍ୟାଳୟ ସ୍ଥାପନାପାଇଁ ସରକାରୀ ସ୍ତରରେ ମାନସିକତା ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇ ରେବା ରାୟ ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ କଲେ, ଭକ୍ତକବି ଯାହାର ପୃଷ୍ଠପୋଷକ ରୂପେ ଛିଡ଼ା ହୋଇଥିଲେ । ସ୍କୁଲ୍‍ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା ମାର୍ଚ୍ଚ ୧୯୦୭ରେ । ଏଥିରେ ୪୫ ଜଣ ବାଳିକା ପଢ଼ୁଥିଲେ । ସଭାରେ ପରଦା ଆଢୁଆଳରେ ବାଳିକାମାନେ ବଂଗଳା ଗୀତ ଗାନ ସାଙ୍ଗକୁ ଇଂରାଜୀ ପାଠ ଆବୃତ୍ତି କରୁଥିଲେ । ଏ ସ୍କୁଲ୍‍ ସଂପର୍କରେ ନିର୍ଭୀକ ସାମ୍ବାଦିକ ଗୌରୀ ଶଙ୍କର ରାୟ କହିଥିଲେ- "କେବଳ ସ୍କୁଲର ସମସ୍ତ ପିଲା ବଂଗାଳୀ ହୋଇଥିବାରୁ ଆମମାନଙ୍କ ମନରେ ବିଶେଷ ଦୁଃଖ ହୋଇଥିଲା । ଶ୍ରୀମତୀ ରେବା ରାୟ ଓଡ଼ିଆ ହୋଇଥିବା ସ୍ଥଳେ ତାଙ୍କ ପ୍ରତିଷ୍ଠିତ ସ୍କୁଲ୍‌‌ରେ ଓଡ଼ିଆ ଛାତ୍ରୀ ଅଭାବ ଥିବା ବଡ଼ ଆଶ୍ଚର୍ଯ୍ୟର

୧୦୨ ଆମ ମଧୁସୂଦନ