ପୃଷ୍ଠା:Aama Madhusudan.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରତି ପରିବାରରୁ ସ୍କୁଲ୍‍କୁ ଆଣୁଥିଲା । କ୍ରମେ ରେବା ରାୟଂକ ସ୍କୁଲ୍‍ ସଂପର୍କରେ ପ୍ରକୃତ ତଥ୍ୟ କଲିକତାର ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ନଜରକୁ ଆସିଲା । ୧୯୦୮ ସାଲ ଜୁଲାଇ ୨୫ ତାରିଖରେ ବଂଗ ପ୍ରଦେଶ ଡି.ପି.ଆଇ. ରେବା ରାୟଙ୍କ ସ୍କୁଲ୍‍କୁ ପରିଦର୍ଶନ କରି ମଂତବ୍ୟ ଦେଲେ- "ଏ ସ୍କୁଲ୍‍ ବର୍ତ୍ତମାନର ପରିସ୍ଥିତିରେ ଅଧିକ କାଳ ଚାଲିବା ଉଚିତ ହେବନାହିଁ । ଏହି ସ୍କୁଲ୍‍ ଓଡ଼ିଆମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ବଂଗାଳୀ ବାଳିକା ବିଦ୍ୟାଳୟ । ଅପରପକ୍ଷେ କୁମାରୀ ଶୈଳବାଳାଙ୍କ ସ୍କୁଲ୍‍ ଓଡ଼ିଶାରେ ନାରୀ ଶିକ୍ଷା କ୍ଷେତ୍ରରେ ପ୍ରଥମ ସଫଳ ପ୍ରଚେଷ୍ଟା ।" ଏହାପରେ ରେବା ରାୟଂକ ସ୍କୁଲ୍‍ଟି ସରକାରୀ ଅନୁଦାନରୁ ବଂଚିତ ହୋଇ ବନ୍ଦ ହୋଇଗଲା । ଏହା ଥିଲା ଅନ୍ୟ ପ୍ରଦେଶରୁ ଆସିଥିବା ବଂଗାଳୀ ସରକାରୀ କର୍ମଚାରୀଙ୍କ ପ୍ରତି ପ୍ରଚଣ୍ଡ ଆଘାତ । ତେଣୁ ସେମାନେ ସାମାନ୍ୟ ଉପଲକ୍ଷ୍ୟର ଆଳରେ ବହୁକାଳ ଧରି ଶୈଳବାଳାଙ୍କ ସ୍କୁଲ୍‍କୁ ସରକାରୀ ଅନୁଦାନ ବନ୍ଦ ରଖିଥିଲେ । ଆଉ ଏହି ଏକମାତ୍ର ଓଡ଼ିଆ ଉଚ୍ଚ ବିଦ୍ୟାଳୟକୁ ବଂଚାଇବାପାଇଁ ମଧୁସୂଦନ ଅକୁଣ୍ଠ ଭାବରେ ଅର୍ଥବ୍ୟୟ କରି ଚାଲିଥିଲେ । ପରେ ମଧୁସୂଦନ ବଂଗର ଗଭର୍ଣ୍ଣର ସାର୍‍ ଏଡ଼ୁଆର୍ଡ ବେକରଂକର ବ୍ୟକ୍ତିଗତ ଦୃଷ୍ଟି ଆକର୍ଷଣ କରି ପୁନରାୟ ଅନୁଦାନ ଆଣିଥିଲେ । ଶୈଳବାଳା ଏଥିପାଇଁ ଦାର୍ଜିଲିଂ ଯାଇ ଗଭର୍ଣ୍ଣରଙ୍କୁ ଭେଟିଥିଲେ । ସରକାରୀ ସାହାଯ୍ୟ ପାଇବା ପରେ ୧୯୧୩ ରେ ପୂର୍ଣ୍ଣାଙ୍ଗ ତଥା ସୁପରିଚାଳିତ ଏହି ମହିଳା ବିଦ୍ୟାଳୟକୁ ମଧୁସୂଦନ ସରକାରଙ୍କୁ ହସ୍ତାନ୍ତର କରିଥିଲେ । ପରେ ସମଗ୍ର ବିହାର ଓଡ଼ିଶା ପ୍ରଦେଶରେ ଏହା ପ୍ରଥମ ମହିଳା ବିଦ୍ୟାଳୟର ମାନ୍ୟତା ପାଇଥିଲା ୧୯୧୫ରେ ।

ଗ୍ରାମ୍ୟ ଅର୍ଦ୍ଧସ୍ୱାକ୍ଷର ବାଳିକା ରେବତୀକୁ (ନାରୀ ସମାଜକୁ ) କୁନ୍ତଳା କୁମାରୀ ସାବତ୍‍ ଅଥବା ଡାକ୍ତର ବୀଣା ଦେC କିମ୍ବା ଜ୍ୟୋତ୍ସ୍ନା ଦେC ସ୍ତରକୁ ଉନ୍ନୀତ କରିଥିଲେ ଯୁଗଦ୍ରଷ୍ଟା ମଧୁସୂଦନ, ମାତ୍ର କେତୋଟି ବର୍ଷର ପ୍ରଚେଷ୍ଟାରେ । ଏବେ ପଛକୁ ଦୃଷ୍ଟି ନିକ୍ଷେପ କଲେ ଆଶ୍ଚର୍ଯ୍ୟ ଲାଗେ,୧୮୬୭- ୬୮ ମସିହାରେ ଓଡ଼ିଆ ଭାଷା ଲୋପର ଚକ୍ରାନ୍ତ ନୁହେଁ, ୧୯୦୭ ରେ ଓଡ଼ିଶାରେ ନାରୀଶିକ୍ଷା ଲୋପପାଇଁ ଯେଉଁ ପ୍ରଚେଷ୍ଟା ହୋଇଥିଲା, ତହିଁରେ କିଛି ଲବ୍ଧପ୍ରତିଷ୍ଠ ନେତୃବର୍ଗ ସାମିଲ୍‍ ହୋଇଥିଲେ ବୋଧହୁଏ ନିଜର ଅଜ୍ଞାତ ସାରରେ, ଯାହାକୁ ମଧୁସୂଦନ ପ୍ରତିହତ କରିପାରିଥିଲେ, ନିଜର ବିଚକ୍ଷଣ ବୁଦ୍ଧିମତ୍ତା ଓ ଦୂରଦୃଷ୍ଟି ବଳରେ । କେବଳ ସେତିକି ନୁହେଁ, ବହୁ ଚକ୍ରାନ୍ତରୁ ଓଡ଼ିଆ ଜାତିକୁ ରକ୍ଷା କରିଥିଲେ ମଧୁସୂଦନ, ଯାହାର ଅନେକ ତଥ୍ୟ ଏ ପର୍ଯ୍ୟନ୍ତ ଉପଲବ୍ଧ ନୁହେଁ । ତାହାରି ମଧ୍ୟରୁ ଏହା ଗୋଟିଏ ଅଜ୍ଞାତ ଅଧ୍ୟାୟ ।


୧୦୪*ଆମ ମଧୁସୂଦନ