ପୃଷ୍ଠା:Aama Madhusudan.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତିଷ୍ଠିତ ଫାବ୍ରିଏନ ସୋସାଇଟି ଏହି ଦଳ ଉପରେ ପ୍ରଭାବ ବିସ୍ତାର କରିଥିଲା । ପରିଣାମରେ ୧୮୯୩ରେ ସ୍ୱତନ୍ତ୍ର ଶ୍ରମିକ ଦଳର ଉଭ୍ଭବ ହୋଇଥିଲା ।
ମଧୁସୂଦନ ଇଂଲଣ୍ଡରେ ପହଞ୍ଚିଲାବେଳକୁ ସମବାୟ ଆନ୍ଦୋଳନ ତଥା ସମାଜବାଦ ତାହାର ଗୌରବମୟ ପର୍ଯ୍ୟାୟରେ ଉପନୀତ ହୋଇଥିଲା । ସେ ୧୮୯୭ର ମଇମାସରେ ଲଣ୍ଡନରେ ପହଞ୍ଚିଲା ପରେ ଲଣ୍ଡନ ସମବାୟ ସମିତିର କାର୍ଯ୍ୟକାରିତାରେ ମୁଗ୍ଧହୋଇ ତାହାର କାର୍ଯ୍ୟ ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ଏପରି ଘରୋଇ ଶିଳ୍ପସଂସ୍ଥା ତଥା ବାଣିଜ୍ୟିକ ସଂସ୍ଥାମାନଙ୍କରେ ସମବାୟ ଖାଉଟି ଭଣ୍ଡାରମାନ ସ୍ଥାପିତ ହୋଇ ଶ୍ରମିକମାନଙ୍କର ଅବସ୍ଥାରେ କିପରି ଉନ୍ନତି ଓ ସମୃଦ୍ଧି ଆଣିପାରିଥିଲା, ତାହା ମଧ୍ୟ ଅନୁଧ୍ୟାନ କରିଥିଲେ । ମଧୁସୂଦନ ଇଂଲଣ୍ଡରେ ସମବାୟର ମହାନ ତୀର୍ଥକ୍ଷେତ୍ର ରକ୍‍ଡେଲ୍‍କୁ ପରିଦର୍ଶନ କରି ଏହାର ସହଯୋଗୀ ଗୋଷ୍ଠୀ କିପରି ସେମାନଙ୍କର କ୍ରାନ୍ତିକାରୀ ଦିଗଦର୍ଶନରେ ସମବାୟ ଆନ୍ଦୋଳନକୁ ବିଶ୍ୱର ଏକ ସ୍ଥିର ଶକ୍ତିରେ ପରିଣତ କରିଥିଲେ, ତାହାର ମଧ୍ୟ ଅଧ୍ୟୟନ କରିଥିଲେ । ବିଶ୍ୱରେ ସମବାୟ ପ୍ରଚେଷ୍ଟାର ମୁଖ୍ୟ ଅନୁଷ୍ଠାନ ମାଞ୍ଚେଷ୍ଟରଠାରେ ପ୍ରତିଷ୍ଠିତ ଥିବା କେନ୍ଦ୍ରୀୟ ହୋଲ୍‍ସେଲ୍‍ ସମିତି ପରିଦର୍ଶନ କରି ସେହି ଅନୁଷ୍ଠାନ ତାହାର ଶାଖାମାନଙ୍କରେ ସୁଦକ୍ଷ ପରିଚାଳନାରେ ମଧ୍ୟ କିପରି ସମବାୟ ସାମ୍ରାଜ୍ୟର ସ୍ଥାପନା କରି ସମବାୟ କମନେଓ୍ୱଲ୍‍ ପ୍ରତିଷ୍ଠା ଲାଗି ପଥ ସୁଗମ କରିପାରିଛି, ତାହା ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ କାଳରେ ଇଂଲଣ୍ଡର ସମବାୟ କ୍ଷେତ୍ରରେ କ୍ରାନ୍ତିକାରୀ ପ୍ରବାଦ ପୁରୁଷ ଜାକୋବ ଜର୍ଜ ହୋଲିୟୋକ୍‍(୧୮୧୭-୧୯୦୬)ଙ୍କୁ ଭେଟିଥିଲେ । ହୋଲିୟୋକ୍‍ ମୁଖ୍ୟତଃ ଜଣେ ଇଂଜିନିୟର ଥିଲେ ମଧ୍ୟ ୧୮୩୭ ସାଲରୁ ସମବାୟ ଚିନ୍ତାଧାରାର ପ୍ରତିଷ୍ଠାତା ରବର୍ଟ ଓୟେନ୍‍ଙ୍କ ସଂପର୍କରେ ଆସିଥିଲେ । ସମବାୟ ଆନ୍ଦୋଳନର ଅଗ୍ରଗତିର ପ୍ରତ୍ୟେକ ପର୍ଯ୍ୟାୟରେ ସେ ସମ୍ମିଳିତ ଥିଲେ ।
ଏପରିକି ବିଖଣ୍ଡିତ ଇଟାଲିକୁ ସ୍ୱତଂତ୍ର ଦେଶର ମାନ୍ୟତା ପ୍ରଦାନ କ୍ଷେତ୍ରରେ ହୋଲିୟୋକ୍‍ ସଂକଳ୍ପବଦ୍ଧ ଭୂମିକା ଗ୍ରହଣ କରିଥିଲେ । ଏଣୁ ମଧୁସୂଦନ ହୋଲିୟୋକଙ୍କୁ ସମବାୟ କ୍ଷେତ୍ରରେ ଆଦ୍ୟଗୁରୁ ରୂପେ ଗ୍ରହଣ କରିଥିଲେ । ମାଞ୍ଚେଷ୍ଟର ଛଡ଼ା ଲଣ୍ଡନଠାରେ ହୋଲିୟୋକଙ୍କୁ ମଧୁସୂଦନ ବହୁବାର ଭେଟିଥିଲେ । ପ୍ରକୃତରେ ହୋଲିୟୋକ୍‍ ଥିଲେ ଇଂଲଣ୍ଡ ତଥା ୟୁରୋପୀୟ ସମବାୟ ଆନ୍ଦୋଳନର ମୁଖ୍ୟ ବ୍ୟାଖ୍ୟାକାର । ତାଙ୍କ ରଚିତ ଅସଂଖ୍ୟ ପୁସ୍ତକାବଳୀ ମଧ୍ୟରେ ନିମ୍ନ ଲିଖିତ ପୁସ୍ତକାବଳୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଥିଲା । 1. Self Help by people 2. History of Co-operative in Rochdate. 3. History of co-operation in England. 4. Self-Help Hundred years ago. 5. Co-operative movement today (1891)
ମଧୁସୂଦନ ଲଣ୍ଡନରେ ଅବସ୍ଥାନ କାଳରେ, ଖାଉଟି ସମବାୟ ଭଣ୍ଡାରର ଅପୂର୍ବ ସାଫଲ୍ୟରେ ସ୍ତମ୍ଭୀଭୂତ ହୋଇ କଟକରେ ଏହି ଭଳି ଏକ ଭଣ୍ଡାର ପ୍ରତିଷ୍ଠା କରିବାଲାଗି ସଂକଳ୍ପବଦ୍ଧ ଥିଲେ । ଇଂଲଣ୍ଡରେ ଅବସ୍ଥାନ କାଳରେ ମଧୁସୂଦନ ଗ୍ଲାସ୍‍ଗୋଠାରେ ପ୍ରତିଷ୍ଠିତ ସ୍କଟିଶ୍‍ ସମବାୟ କେନ୍ଦ୍ରୀୟ ସମିତିକୁ ମଧ୍ୟ ପରିଦର୍ଶନ କରିଥିଲେ । ଲଣ୍ଡନଠାରେ ଅଗଷ୍ଟମାସ ୧୮୯୫ରେ ପ୍ରଥମ ଆନ୍ତର୍ଜାତିକ

୧୦୬ ଆମ ମଧୁସୂଦନ