ପୃଷ୍ଠା:Aama Madhusudan.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ୟୁରୋପ ତଥା ଇଂଲଣ୍ଡରେ ସମବାୟ ଆନ୍ଦୋଳନର ବ୍ୟାପକତା ଓ କାର୍ଯ୍ୟକାରିତା ସଂପର୍କରେ ବ୍ୟାଖ୍ୟାନ ପ୍ରଦାନ ସହିତ ଆଲୋଚନା କରୁଥିଲେ । ଏ ସଂପର୍କରେ ସେହିବର୍ଷ ଫେବ୍ରୁଆରି ୫ ତାରିଖରେ ଉତ୍କଳ ଦୀପିକାରେ ନିମ୍ନଲିଖିତ ସମ୍ବାଦଟି ପ୍ରକାଶିତ ହୋଇଥିଲା :
“ଅଦ୍ୟ ଅପରାହ୍ମ ସମୟରେ ମାନ୍ୟବର ବାବୁ ମଧୁସୂଦନ ଦାସ ନିକଟସ୍ଥ କେତେକ ଭଦ୍ରଲୋକଙ୍କୁ ଆପଣା କୋଠିକୁ ଆସଂତ୍ରିତ କରିଅଛନ୍ତି । ସୌହାର୍ଘ୍ୟ ବଢ଼ାଇବା ଓ ଦୁଃଖ-ସୁଖର ଚର୍ଚ୍ଚା କରିବା ଏହି ଆମନ୍ତ୍ରଣର ଅଭିପ୍ରାୟ ଅଟେ । କେତେ ଜଣଙ୍କୁ ଆମନ୍ତ୍ରଣ କରିବାର ଏକମାତ୍ର କାରଣ ହେଲା ଏହିକି ଯେ, ଏକ ଦିନରେ ସମସ୍ତଙ୍କର ଉଚିତ ଆଦର ଓ ଚର୍ଚ୍ଚା କରିବା ଅସମ୍ଭବ । ଅତଏବ ବାବୁ ମହୋଦୟଙ୍କର ଇଚ୍ଛା ଯେ, କ୍ରମେ କ୍ରମେ ସମସ୍ତଙ୍କୁ ଆହ୍ବାନ କରିବେ ।”
ଏହି ପ୍ରକ୍ରିୟା ଫେବ୍ରୁଆରି ମାସଠାରୁ ଲାଗିରହିଲା । ଏହି ସାପ୍ତାହିକ ସମାରୋହରେ କେଉଁ ଦିନ କଳାକାର, କେଉଁଦିନ ଶିଳ୍ପୀଗେଷ୍ଠୀ, କେଉଁ ଦିନ କିରାଣିମାନଙ୍କୁ କେଉଁ ଦିନ ମୋଚି ବା ଅନ୍ୟ ଶ୍ରମଜୀବୀମାନଙ୍କୁ, କେଉଁଦିନ ବୁଣାକାର ଗୋଷ୍ଠୀଙ୍କୁ ଅଥବା କେଉଁ ଦିନ କଟକର ବୁଦ୍ଧିଜୀବୀ । ଗୋଷ୍ଠୀଙ୍କୁ ନିମନ୍ତ୍ରଣ କରୁଥିଲେ । ଏହି ସାପ୍ତାହିକ ଅଧିବେଶନକୁ ମଧୁସୂଦନ ଏଟ୍ ହୋମ୍ ନାମରେ ନାମିତ କରିଥିଲେ । ଫକୀରମୋହନ ତାଙ୍କର ଜୀବନବ୍ୟାପୀ ଗଡ଼ଜାତ ତଥା ଜମିଦାରି ମାହାଲମାନଙ୍କରେ କାର୍ଯ୍ୟବ୍ୟସ୍ତ ରହି ୧୮୯୬ ବେଳକୁ କଟକ ବକ୍ସିବଜାରରେ ଏକ କୋଠି କ୍ରୟକରି ଅବସ୍ଥାନ କରୁଥିଲେ । ଫକୀରମୋହନଙ୍କ ସହିତ ମଧୁସୂଦନଙ୍କର ବନ୍ଧୁତା ଓ ସଖ୍ୟଭାବ ଅତ୍ୟନ୍ତ ସୌହାର୍ଘ୍ୟପୂର୍ଣ୍ଣ ଥିଲା । ଫକୀରମୋହନ ପ୍ରାୟ ଏଟ୍ ହୋ ପ୍ରତି ଅଧିବେଶନରେ ଯୋଗଦାନ କରୁଥିଲେ । ଏହାଙ୍କ ସହିତ ଏହି ଅଧିବେଶନରେ ଉତ୍କଳ ସାହିତ୍ୟର ସୁଯୋଗ୍ୟ ସଂପାଦକ ବିଶ୍ବନାଥ କର ମଧ୍ୟ ଯୋଗଦାନ କରୁଥିଲେ । ଏ ସଂପର୍କରେ ତାଙ୍କର ପ୍ରଦତ୍ତ ବିବରଣୀ ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୩୪ ସାଲ ଏପ୍ରିଲ ମାସରେ ମଧୁବାବୁଙ୍କ ଦେହାନ୍ତ ପରେ ପ୍ରକାଶିତ ହୋଇଥିଲା ।
"ଉତ୍କଳ ଗୌରବ ସ୍ବର୍ଗୀୟ ମଧୁସୂଦନ ଦାସ ମହୋଦୟ ପ୍ରଥମ ଥର ବିଲାତରୁ ଫେରିଆସି ନିଜ ବାସଭବନରେ ଗୋଟିଏ ସାପ୍ତାହିକ ଏଟ୍ ହୋମ୍ବର ଆୟୋଜନ କରିଥୁଲେ । ପ୍ରତି ଶନିବାର ସଂଧ୍ୟା ସମୟରେ ସହରର ବିଭିନ୍ନ ଶ୍ରେଣୀର କେତେଜଣ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହେଉଥିଲେ । ସେମାନଙ୍କପାଇଁ ଚା ଜଳଖିଆ ଓ ନାନା ପ୍ରକାରର କ୍ରୀଡ଼ାକୌତ୍ରକର ବ୍ୟବସ୍ଥା ହେଉଥିଲା । ଏହି ସୂତ୍ରରେ ଜାତୀୟ ଉନ୍ନତି ସମ୍ବନ୍ଧରେ ନାନା ଆଲୋଚନା ଚାଲୁଥିଲା । ପ୍ରକୃତ ପକ୍ଷରେ ଏହାହିଁ ଜାତୀୟ ଜାଗରଣ ଦିଗରେ ମଧୁସୂଦନଙ୍କର ପ୍ରଥମ ଉଦ୍ୟମ । ପ୍ରଧାନ କଥା ଥିଲା, ସମବାୟ ନୀତିରେ ଜାତୀୟ ଧନ ଇଂଣ୍ଡାର ବା ବ୍ୟାଙ୍କ ପ୍ରତିଷ୍ଠା କରି ତାହାରି ସାହାଯ୍ୟରେ ଜାତୀୟ ଶିଳ୍ପ ପ୍ରଭୃତିର ଉନ୍ନତି ସାଧନ । ମଧୁସୂଦନ ସାରା ଜୀବନ ଧରି ତାଙ୍କ ଉଦ୍ଦେଶ୍ୟ ସାଧନରେ ପରାଙ୍କୁଖ ନଥିଲେ ।

(ଉତ୍କଳ ସାହିତ୍ୟ ୩୭, ୧୦ ସଂଖ୍ୟା, ଏପ୍ରିଲ୍ ୧୯୩୪)

୧୦୮ ଆମ ମଧୁସୂଦନ