ପୃଷ୍ଠା:Aama Madhusudan.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୯୮ ସାଲ ବୈଶାଖ ମାସ ଉତ୍କଳ ସାହିତ୍ୟ (୩୭/୧୦ ସଂଖ୍ୟା)ରେ ଫକୀର ମୋହନ ସେନାପତି "ଅତିହୋମ" ନାମରେ ଏକ ବିଷୟ ରଚନା କରି ସେଥିରେ ଲେଖିଛନ୍ତି- "ଭକ୍ତବତ୍ସଳ ଭଗବାନ ଆର୍ତ୍ତମାନଙ୍କ ଦୁଃଖ ବିମୋଚନ ନିମନ୍ତେ ସେହି ଘୋର ତିମିରାବଗୁଣ୍ଠିତା ରଜନୀରେ ଯାତ୍ରା କଲେ । ପ୍ରଭୁ ଅଂଧକାର ରାତି୍ରରେ ଏକାକୀ ଯାତ୍ରା କରିବାରୁ ଲକ୍ଷ୍ମୀଠାକୁରାଣୀ ପ୍ରଭୁଙ୍କୁ ଜଣାଇଲେ, ହେ ଗୋଲକପତି ! ଅନୁଗ୍ରହକରି ଦୁଃଖୀମାନଙ୍କର ଦୁଃଖ ବିମୋଚନ କର । ଆମ୍ଭେ ମଧ୍ୟ ସେମାନଙ୍କ ଶସ୍ୟ କ୍ଷେତ୍ରରେ ଚିରକାଳ ବିରାଜିତ ଥିବୁ । ଏଥୁ ଅନନ୍ତରେ ଭଗବାନ ଆକାଶ ମାର୍ଗରେ ବିରାଜିତ ହୋଇ ଶୂନ୍ୟବାଣୀରେ ଉଚ୍ଚସ୍ୱରରେ ଆଜ୍ଞା କଲେ- "ହେ ଉତ୍କଳୀୟମାନେ ! ଦେବରାଜ ସତ୍ୟବାଦୀ । ତାହାଙ୍କର ଅଭିଶାପ ଅବ୍ୟର୍ଥ । ତୁମେମାନେ ଏହି ଅଭିଶାପ ପ୍ରଭାବରୁ ଅବଶ୍ୟ ଦୁର୍ଦ୍ଦଶାକୁ ଭଜିବ । ମାତ୍ର ସେଥିରେ ମୁକ୍ତି ପାଇବାର ସନ୍ଧାନ ବୋଲୁଅଛୁ, ଶ୍ରବଣକର । କଳିଯୁଗର ମଧ୍ୟଭାଗରେ ଆମ୍ଭ ନାମ ଧାରଣକରି ଆମ୍ଭ ଅଂଶରୁ ଏକ ମହାପୁରୁଷ ଜନ୍ମଗ୍ରହଣ କରିବେ । ସେହି ପୁରୁଷ ଶ୍ୱେତଦୀପରୁ ଭ୍ରମଣ କରିଆସି ବାରବାଟୀ ପୁଣ୍ୟ କ୍ଷେତ୍ରରେ ରାଜସୂୟ ଅଶ୍ୱମେଧ ଯଜ୍ଞ ସମାନ ଏକ "ଅତିହୋମ" ଆରମ୍ଭ କରିବେ । ସେହି ଯଜ୍ଞ ଯାବନିକ ଭାଷାରେ ଏଟ୍‍ ହୋମ୍‍ ନାମରେ କଥିତ ହେବ । ସେହି ଯଜ୍ଞର ବିଧିପାଳନ କଲେ ତୁମ୍ଭେମାନେ ଶାପରୁ ମୁକ୍ତହୋଇ ପରମ ସୌଭାଗ୍ୟ ଲାଭ କରିବ । ଏହି ଯଜ୍ଞର ବିଧି ତୁମ୍ଭମାନଙ୍କୁ ବୋଲୁଅଛୁଁ, ମନଯୋଗ ପୂର୍ବକ ଶ୍ରବଣ କର । ରାଜସୂୟ ଯଜ୍ଞ ପରି `ଏହି ମହାଯଜ୍ଞ ଚତୁର୍ବର୍ଗ ଫଳପ୍ରଦ ଅଟେ । ଯଜ୍ଞକର୍ତ୍ତା ଶୁଦ୍ଧାଚାରୀ ହୋଇ ଶନିବାର ସାୟାହ୍ନ ସମୟରେ ନଗରବାସୀ ଭଦ୍ରଲୋକମାନଙ୍କୁ ଆହ୍ୱାନ ପୂର୍ବକ ସଭ୍ୟ କରିବେ । ସଭ୍ୟମାନେ ଯଥେଷ୍ଟ ପରିମାଣରେ ଚାହାପାନ, ତାମ୍ବୁଳ ଚର୍ବଣ ଓ ଧୂମପାନ କରି ଗୋଟିଏ ନ୍ୟାସନାଲ୍‍ ବ୍ୟାଙ୍କ ସ୍ଥାପନ କରିବେ । ସେହି ବ୍ୟାଙ୍କ୍‍ ପାଣ୍ଠି, ଓଡ଼ିଶାର ସର୍ବ ଶ୍ରେଣୀର ଲୋକମାନଙ୍କଠାରୁ ସଂଗ୍ରହ କରାଯିବ । ଯେଉଁମାନେ ବ୍ୟାଙ୍କ୍‍ରେ ମୁଦ୍ରା ନ୍ୟସ୍ତ କରିବେ, ପ୍ରତି ସମ୍ବତ୍ସରରେ ଲାଭ ଦୃଷ୍ଟିରେ ବୃଦ୍ଧି ଦିଆଯିବ । ବ୍ୟାଙ୍କ୍‍ ଧନରେ ଉତ୍କଳର ସମୁଦ୍ର କୂଳବର୍ତ୍ତୀ ପତିତ ଭୂମି କର୍ଷଣ କରାଯାଇ ଚା, ନୀଳ ପ୍ରଭୃତି ଲାଭକର କୃଷିମାନ କରାଯିବ ଏବଂ ଉତ୍କଳଭୂମିରୁ ଲୁପ୍ତପ୍ରାୟ ଶିଳ୍ପଜାତ ଦ୍ରବ୍ୟମାନ ବାଣିଜ୍ୟ ନିମନ୍ତେ ବିଦେଶକୁ ପ୍ରେରଣ କରାଯିବ । ହେ ଉତ୍କଳୀୟମାନେ ! ଆମ୍ଭର ଆଦେଶପାଳନ ନକଲେ କଦାଚ ଇନ୍ଦ୍ର ଶାପରୁ ମୁକ୍ତ ହେବନାହିଁ ।"


ଏତକ ବୋଲି ଭଗବାନ । ଶୂନ୍ୟରେ ହେଲେ ଅନ୍ତର୍ଦ୍ଧାନ ।।
ଗୁପତ ଭାଗବତ କଥା । ଶୁଣିଲେ ମରେ ଦେହୁଁ ବ୍ୟଥା ।।
ଯେ ଲୋକ ପଇସାର ରଙ୍କା । ପାଇବ ପଣପଣ ଟଂକା ।।
ଅପତ୍ୟ ନାହିଁ ଯାହା ଘରେ । ତା ପୁଅ ଡେଇଁବ ଦାଣ୍ଡରେ ।।
ସଂପଦ ଯିବ ଘରେ ଭରି । ସୁଖ ତା ବୋଇଲେ ନସରି ।।
ଯେ କରେ ଭକ୍ତିରେ ଶ୍ରବଣ । ସାଧୁ ଭକତ ସେହି ଜଣ ।।
ଅମାନ୍ୟ କରିବ ଯେ ଗୀତ । ଦଣ୍ଡ ପାଇବ ସମୁଚିତ ।।
ନିଶ୍ଚେ ସେ ବୁଢ଼ା ହେବ କାଳେ । ପାଚିଣ ଯିବେ ମୁଣ୍ଡବାଳେ ।।

ଆମ ମଧୁସୂଦନ*୧୦୯