ପୃଷ୍ଠା:Aama Madhusudan.pdf/୧୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାର୍ଯ୍ୟାରମ୍ଭ କରି ଅଛନ୍ତି । ତାହାଙ୍କ ଚେଷ୍ଟାରେ ଯେଉଁ ଯୌଥ ଭଣ୍ଡାର ସ୍ଥାପିତ ହୋଇଅଛି, ତହିଁର ମୂଳଧନ ଦଶହଜାର ଟଂକା ମଧ୍ୟରୁ ଛଅ ହଜାର ଟଂକାର ଅଂଶଧନ ଗୃହୀତ ହୋଇ ଟଙ୍କା ଜମା ହୋଇଅଛି ଏବଂ ତହିଁ ମଧ୍ୟରୁ ସେ ଅନେକ ଟଂକା ଦାଦନ ଲଗାଇ ଦେଲେଣି ଏବଂ ଦେଉଅଛନ୍ତି । ଆସନ୍ତା ମାର୍ଗଶୀର ମାସରେ ଧାନ, ଚାଉଳ, ରବି ଇତ୍ୟାଦିର ଆମଦାନି ହେବା ଆରମ୍ଭ ହେବ ଏବଂ ସଂଗେସଂଗେ ବିକ୍ରୟାଦିର ବ୍ୟବସ୍ଥାହେବ ।
କଟକର ସେତେବେଳର ପରିସ୍ଥିତି ଅନୁସାରେ କୃଷିଜାତ ଦ୍ରବ୍ୟ ଆମଦାନି ସମୟରେ ସ୍ୱଳ୍ପ ଦରରେ ସଂଗ୍ରହ କରାଯାଇ ଅମଲା ଓ ଖଟିଖିଆମାନଙ୍କୁ ସୁଲଭ ଦରରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବାରୁ ସମିତି ଅଭ୍ଭୁତ ଜନପ୍ରିୟତା ହାସଲ କରିଥିଲା । ଧାନ, ଚାଉଳ, ବିରି, ମୁଗ ଇତ୍ୟାଦି ଛଡ଼ା ଗୋ ଓ ପଶୁଖାଦ୍ୟ କୋଳଥ ଆଦି ଦ୍ରବ୍ୟ ସହିତ ଜାଳେଣି କାଠ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା ।
ବିବରଣୀରୁ ଜଣାଯାଏ ଯେ କଟକ କୋ-ଅପରେଟିଭ୍‍ ଷ୍ଟୋର୍‍ର ମୁଖ୍ୟ ଭଣ୍ଡାର ଦୋକାନରୁ ସଭ୍ୟ ତଥା ଜନସାଧାରଣଙ୍କୁ ଖାଉଟି ଦ୍ରବ୍ୟ ସବୁ ବିକ୍ରୟ କରାଯାଉଥିଲା । ବହୁ କ୍ରେତା ସାରାବର୍ଷ ବା କିଛି ମାସ ଲାଗି ଧାନ, ଚାଉଳ, ମୁଗ, ବିରି ଆଦି ଖରିଦ କରିନେଉଥିଲେ ଫସଲ ଆମଦାନି ସମୟରେ ସୁଲଭ ଦରର ସୁବିଧା ନେବାପାଇଁ ।
ଏଥିରୁ ଜଣାଯାଏ ଯେ, ଅଗଷ୍ଟ ସେପ୍ଟେମ୍ବର ମାସରେ ଅଂଶଧନ ଓ ମୂଳଧନ ଆଦାୟ କରି, କୃଷିଜୀବୀମାନଙ୍କୁ ତିରୋଟ ସମୟରେ ଅର୍ଥ ଲଗାଣ କରାଯିବାଦ୍ୱାରା କୃଷିଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହିତ, ସେମାନଙ୍କର ଉତ୍ପାଦିତ ପଦାର୍ଥକୁ ଉଚିତ ମୂଲ୍ୟ ପ୍ରଦାନ କରାଯାଇ ସୁଲଭ ମୂଲ୍ୟରେ ସମବାୟ ଷ୍ଟୋର୍‍ ଜରିଆରେ ଅମଲା ତଥା ଖଟିଖିଆ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିଲା । କଟକ କୋ-ଅପରେଟିଭ୍‍ ଷ୍ଟୋର୍‍ ଏହି ମୋଟା ପାଇକାରୀ କାରବାର ଛଡ଼ା ଉଦ୍ୟୋଗ ସମିତି ନାମକ ଗୋଟିଏ ଖୁଚୁରା କୋ-ଅପରେଟିଭ୍‍ ବିକ୍ରୟ କାଉଣ୍ଟର ଅଦାଲତ ସାମନାରେ ଖୋଲିଥିଲା । ଏ ସଂପର୍କରେ ଉତ୍କଳ ଦୀପିକାର ପ୍ରକାଶିତ ବିବରଣୀରୁ ଜଣାଯାଏ ଯେ, କଟକ କୋ ଅପରେଟିଭ୍‍ ଷ୍ଟୋରର ଏକ ଶାଖା ଉଦଯୋଗୀ ସମିତି ଭଣ୍ଡାର ନାମରେ କଟକର ଅଦାଲତର ସମ୍ମୁଖ ରାସ୍ତାରେ ଖୋଲାଯାଇଥିଲା । ଏହା ମୁଖ୍ୟତଃ ସ୍ୱଦେଶୀ ବସ୍ତୁମାନଙ୍କର ଭଣ୍ଡାର ଥିଲା ଯହିଁରେ ଖୁଚୁରା ଦରରେ କ୍ରେତାମାନଙ୍କୁ ଜିନିଷ ବିକ୍ରୟ କରାଯାଉଥିଲା ।
ମଧୁସୂଦନ ମୁଖ୍ୟତଃ ସ୍ୱଦେଶୀ ଶିଳ୍ପ ପ୍ରବର୍ତ୍ତକ ଥିଲେ । ତେଣୁ ଏହି ସମିତି ଜରିଆରେ ସ୍ୱଦେଶୀ ଶିଳ୍ପର ପ୍ରସାର ଓ ବିକ୍ରୟର ବ୍ୟବସ୍ଥା କରିଥିଲେ । ମଧୁବାବୁଙ୍କ ପ୍ରତିଷ୍ଠିତ ଓଡ଼ିଶା ଆର୍ଟ ଓ୍ୱାରସ୍‍ ଉତ୍ପାଦିତ କଳା ନୈପୁଣ୍ୟ ସଂବଳିତ ତାରକସି ଅଳଂକାର, ସୁଲଭ ବସ୍ତ୍ରସବୁ ବିକ୍ରୟ କରାଯାଉଥିଲା । ଉତ୍କଳ ଦୀପିକାରେ ପ୍ରକାଶିତ ଉଦ୍‍ଯୋଗୀ ସମିତି ଭଣ୍ଡାର ବିଜ୍ଞାପନ ଏଠାରେ ଅବିକଳ ଉଦ୍ଧୃତ କରାଗଲା