ପୃଷ୍ଠା:Aama Madhusudan.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆଇନଜୀବୀ ଏବଂ ଆଇନଜ୍ଞ

"ପାଠ ପଢ଼ିବି ଓକିଲ ହେବି
ମଧୁ ବାରିଷ୍ଟର ସଙ୍ଗେ ଲଢ଼ିବି"

ବିଦ୍‍ବତ୍ତାସଂପନ୍ନ ଆଇନଜୀବୀଗଣ ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ଓ ମନନଶୀଳ ବୁଦ୍ଧିଜୀବୀ ଗୋଷ୍ଠୀ ଅଟନ୍ତି । ସେମାନଙ୍କର ଆଇନର ତାତ୍ତ୍ୱିକ ବିଶ୍ଳେଷଣ ବହୁ ନାଗରିକଙ୍କୁ ପ୍ରଦାନ କରିଥାଏ, ନିଜସ୍ୱ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଏକ ପରମ ସୁଯୋଗ । ମାତ୍ର ଏହା ସତ୍ତ୍ୱେ ଆଇନଜୀବୀଙ୍କର ଏହି ମର୍ଯ୍ୟାଦାସଂପନ୍ନ କାର୍ଯ୍ୟକଳାପ ସୀମିତ ରହିଥାଏ କୋର୍ଟ, କଚେରି, ସରକାରୀ ଦପ୍ତର, ନ୍ୟାୟାଳୟ ଓ ବିଚାରାଳୟମାନଙ୍କ ମଧ୍ୟରେ ।
ହେଲେ ପ୍ରତ୍ୟେକ ଆଇନଜୀବୀଙ୍କର ରହିଛି ଏକ ବ୍ୟାପକ ଉତ୍ତରଦାୟୀ ଭୂମିକା ଆଇନଜ୍ଞଭାବରେ, ଯାହାଙ୍କର କାର୍ଯ୍ୟଧାରାର ଦିଗ୍‍ବଳୟ ସମଗ୍ର ସମାଜକୁ ଆବୃତ କରି ପରିବ୍ୟାପ୍ତ ହୋଇଥାଏ । ବହୁବ୍ୟକ୍ତି ଆଇନଜୀବୀର ସୀମିତ ପରିସରର ଉର୍ଦ୍ଧ୍ୱକୁ ଯାଇ ଆଇନଜ୍ଞ ଭାବରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି ଆଉ ତାହାରି ମାଧ୍ୟମରେ ବହୁ ନିଷ୍ପେଷିତଙ୍କୁ ପ୍ରଦାନ କରିଥାନ୍ତି ସ୍ୱସ୍ତିର ସହ ସ୍ୱାଭିମାନର ବଳୟ ମଧ୍ୟରେ ଜୀବନ ଧାରଣ କରିବାପାଇଁ ଏକ ନିଶ୍ଚିତ ପ୍ରତିଶ୍ରୁତି ଏବଂ ଅବଲମ୍ବନ । ଏକ ସର୍ବନିମ୍ନ ଅର୍ଥନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜୀଇଁ ରହିବାର ଯେଉଁ ସମ୍ବିଧାନସମ୍ମତ ଅଧିକାର ରହିଛି, ତାହା ବର୍ତ୍ତମାନର ସମାଜରେ ବହୁ ପରିମାଣରେ ବିଡ଼ମ୍ବିତ ଓ ବାଧାପ୍ରାପ୍ତ । ଏ କ୍ଷେତ୍ରରେ ସାମାଜିକ ମୂଲ୍ୟବୋଧର ଆଧାରରେ ଜଣେ ଆଇନଜୀବୀର ଆଇନଜ୍ଞ ଭାବରେ କାର୍ଯ୍ୟର ପରିଧି ବହୁ ଦିଗନ୍ତକୁ ସଂପ୍ରସାରିତ । ମହାତ୍ମାଗାନ୍ଧୀ, ଚିତ୍ତରଂଜନ ଦାସ, ମୋତିଲାଲ ନେହେରୁ ଅଥବା ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା ଦେଶବତ୍ସଳ ନେତୃବର୍ଗ ରୂପେ ଯେଉଁ ଅବିସ୍ମରଣୀୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ତାହର ଉଜ୍ଜ୍ୱଳ କୃତି ଓ ସ୍ୱାକ୍ଷର ଏବେ ମଧ୍ୟ ବହୁ ଆଇନଜୀବୀଙ୍କୁ ଦିଗ୍‍ଦର୍ଶନ ପ୍ରଦାନ କରି ଆସିଛି ।