ପୃଷ୍ଠା:Aama Madhusudan.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନ୍ୟାୟପାଳିକା ତଥା ଆଇନଜୀବୀ ଗୋଷ୍ଠୀଙ୍କର ସମ୍ମିଳିତ ଓ ସମନ୍ୱିତ ଉଦ୍ୟମରେ ମଧୁସୂଦନଙ୍କ ଜୟନ୍ତୀକୁ ଆଇନଜୀବୀ ଦିବସ ରୂପେ ପାଳନ କରିବା ନିମନ୍ତେ ନିଆଯାଇଥିବା ଐତିହାସିକ ସିଦ୍ଧାନ୍ତ ଓଡ଼ିଆ ଜାତିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । ତେଣୁ ଏ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଆଇନ ପରିଷଦର ଅବିସ୍ମରଣୀୟ ଭୂମିକା ଅତ୍ୟନ୍ତ ପ୍ରଶସଂନୀୟ ।
ବର୍ତ୍ତମାନ ଓଡ଼ିଶାର ଆଇନଜୀବୀଗଣ ମଧୁସୂଦନଙ୍କ ଦିଗ୍‍ଦର୍ଶନର ଛତ୍ରଛାୟା ତଳେ ଏକତ୍ରିତ ହେବାର ଲକ୍ଷ୍ୟ କରାଯାଏ । ମଧୁସୂଦନ ମୁଖ୍ୟତଃ ଦଳିତ, ନିଷ୍ପେଷିତ ତଥା ଅବହେଳିତ ସଂପ୍ରଦାୟ କୃଷକ, ଶ୍ରମିକ, ଶୋଷିତ ଶିଳ୍ପୀକୂଳର ଉନ୍ନୟନ ଲାଗି ପ୍ରତିଶ୍ରୁତିବଦ୍ଧ ଥିଲେ । କଟକରେ ତାଙ୍କର ପ୍ରଥମ କେଶ୍‍ଟି ଜଣେ ସର୍ବହରା କୃଷକ ତଥା ଖାତକକୁ ସୁରକ୍ଷା ପ୍ରଦାନ ପାଇଁ ଅଭିପ୍ରେତ ଥିଲା । ସ୍ୱଦେଶୀ ଶିଳ୍ପ ଆନ୍ଦୋଳନର କର୍ଣ୍ଣଧାର ରୂପେ ତାଙ୍କର ନିବିଡ଼ ସଂପର୍କ ଗଢ଼ି ଉଠିଥିଲା, ସର୍ବହରା ତଥା ନିଷ୍ପେଷିତ ଶିଳ୍ପୀକୁଳ ସହିତ । ଏହି ପ୍ରକ୍ରିୟା ମଧ୍ୟରେ ଦଳିତ ଗୋଷ୍ଠୀଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଅବସ୍ଥାପନପାଇଁ ମଧୁସୂଦନ ଦାସଙ୍କ ଦ୍ୱାରା ସ୍ଥାପିତ ଉତ୍କଳ ଟ୍ୟାନେରିରେ ଦଳିତମାନେ ଅଂଶୀଦାର ଥାଇ ପରିଚାଳନାରେ ଅଂଶଗ୍ରହଣ କରୁଥିଲେ । ଏ ସମସ୍ତପାଇଁ ମହାତ୍ମାଗାନ୍ଧୀ ମଧୁସୂଦନ ଦାସଙ୍କୁ ତାଙ୍କର ଅନ୍ୟତମ ମାର୍ଗଦର୍ଶକ ରୂପେ ଗ୍ରହଣ କରିଥିଲେ । ବିନା କ୍ଷତିପୂରଣରେ ଜମିଦାରି ପ୍ରଥାର ଉଚ୍ଛେଦ ଲାଗି ସେ ୧୯୦୯ ସାଲରେ କୃଷକମାନଙ୍କର ସର୍ବବୃହତ ଅନୁଷ୍ଠାନ ପ୍ରଜା ପରିଷଦ ଗଠନ କରିଥିଲେ । ତାହାର କାର୍ଯ୍ୟଧାରା ଅତ୍ୟନ୍ତ ଗରିମାମୟ ଥିଲା ।
ଓଡ଼ିଶାବାସୀଙ୍କପାଇଁ ଆଇନଜୀବୀ ଭାବରେ ମଧୁସୂଦନ ଦାସଙ୍କର ଗୌରବୋଜ୍ୱଳ ଅବଦାନ ହେଲା, ବ୍ରିଟିଶ ସରକାରଙ୍କ କୂଟ ଚକ୍ରାନ୍ତମୂଳକ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ ସହିତ ଗଜପତି ପରଂପରାକୁ ସ୍ୱୀକୃତି ପ୍ରଦାନର ମହନୀୟ ବ୍ୟବସ୍ଥାଗ୍ରହଣ ।
ଆଇନରେ ପାରଦର୍ଶିତା ଲାଭ କରିଥିବା ସଚେତନ ଆଇନଜୀବୀ ଗୋଷ୍ଠୀଙ୍କ ସମ୍ମୁଖରେ ସେ ପ୍ରତିଭାତ ହୋଇଛନ୍ତି ମୁକ୍ତିର ପ୍ରତୀକ ରୂପରେ । ଯେଉଁଠାରେ ମଣିଷର ଅଧିକାର ବାଧାପ୍ରାପ୍ତ,ସେହିଠାରେ ମଧୁସୂଦନ ଦାସ ଅବତୀର୍ଣ୍ଣ ହୋଇଛନ୍ତି ଜାଗ୍ରତ ପ୍ରହରୀ ରୂପରେ ।
ଏଥିପାଇଁ ମଧୁ ଜୟନ୍ତୀ ଅବସରରେ ପାଳିତ ଆଇନଜୀବୀ ଦିବସ ଉପଲକ୍ଷେ ଅନୁଷ୍ଠିତ ବହୁ ସମାରୋହରେ ଆଇନଜୀବୀଗଣ ସମାଜର ନିମ୍ନ ତଥା ଅବହେଳିତ ଗୋଷ୍ଠୀମାନଙ୍କୁ ସୁରକ୍ଷା ତଥା ସୁଲଭ ନ୍ୟାୟ ପ୍ରଦାନପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।
ମଧୁସୂଦନ ଦାସ, ଶ୍ରୀ ଅରବିନ୍ଦଙ୍କର ଯେଉଁ ମହନୀୟ ଉକ୍ତିଟି ବିହାର ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିଥିଲେ, ତାହା ହେଉଛି - "ଆଇନ ମଣିଷଙ୍କ ପାଇଁ ନୁହେଁ, ମଣିଷପାଇଁ ହିଁ ଆଇନ ଅଭିପ୍ରେତ ।" ଏଣୁ ପ୍ରଚଳିତ ଆଇନରେ ରହିଥିବା ତ୍ରୁଟି ସମୂହର ନିରାକରଣ କରାଯାଇ ତାହାକୁ ମଣିଷର ସମନ୍ୱିତ ତଥା ସର୍ବାଙ୍ଗୀନ ଉନ୍ନତି ଲାଗି ସଂଚାଳିତ କରିବାର ଆବଶ୍ୟକତା ରହିଛି ।
ବୋଧହୁଏ ଏହିଠାରେ ହିଁ ରହିଛି ଆଇନଜୀବୀ ଦିବସ ପାଳନର ପରମ ତାତ୍ପର୍ଯ୍ୟ । ଏଠାରେ ଆମ୍ଭେ ସ୍ମରଣରେ ଆଣିଲୁ ମଧୁସୂଦନ ଦାସଙ୍କର ପ୍ରଣୀତ ତଥା ଭାରତର ଅନ୍ୟତମ ସ୍ନାୟୁକେନ୍ଦ୍ର