ପୃଷ୍ଠା:Aama Madhusudan.pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିହାରର ପାଟନାଠାରେ ୧୯୨୩ ସାଲରେ ଓଡ଼ିଶା ଆସେମ୍ବ୍ଲିରେ ଗୃହୀତ ହୋଇଥିବା ଅତ୍ୟନ୍ତ କ୍ରାନ୍ତିକାରୀ ସ୍ୱାୟତ୍ତ ଶାସନ ଆଇନ, ଯାହା ଗଣତନ୍ତ୍ରର ମୂଲ୍ୟବୋଧରେ ଅନନ୍ୟ ଓ ଅତୁଳନୀୟ ଥିଲା । ଏଥିରେ ମହିଳାମାନେ ନିର୍ବାଚିତ ହେବାର ସ୍ୱତନ୍ତ୍ର ବିଧାନ ସହିତ ସ୍ୱାୟତ୍ତ ଶାସନ ସଂସ୍ଥାର ପରିଚାଳନା ପରିଷଦରେ ଦଳିତମାନଙ୍କପାଇଁ ଏକ ସ୍ଥାନ ସଂରକ୍ଷିତ ରହିଥିଲା । ଗଣତନ୍ତ୍ରର ଅନ୍ତର୍ନିହିତ ମୂଳ ପ୍ରାଣସତ୍ତା ଉପରେ ଅଧିଷ୍ଠିତ ଏହି ଆଇନରେ ବିଶ୍ୱାସ ହରାଇ ଥିବା ନିର୍ବାଚିତ ପ୍ରତିନିଧିମାନଙ୍କର ପ୍ରତ୍ୟାହାର ବ୍ୟବସ୍ଥା ସନ୍ନିବେଶିତ ଥିଲା, ଯାହା ସେ ସମୟରେ ପାଶ୍ଚାତ୍ୟର ଗଣତନ୍ତ୍ର ବିଧାନରେ ମଧ୍ୟ ଅକଳ୍ପନୀୟ ଥିଲା । ପରେ ଜୟପ୍ରକାଶ ନାରାୟଣ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ଏହି ନୀତି ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏଣୁ ଜଣେ ଆଇନଜୀବୀ, ଆଇନଜ୍ଞ, ପାର୍ଲାମେଣ୍ଟାରିଆନ୍‍, ବିଧାୟକ ତଥା ଦେଶବତ୍ସଳ ନେତାରୂପେ ମଧୁସୂଦନ ଦାସଙ୍କର ଭୂମିକା ଅତ୍ୟନ୍ତ ପ୍ରେରଣାଦାୟକ ଓ ଗରିମାମୟ ଥିଲା, ଯାହା ଦେଶବାସୀଙ୍କୁ କାଳକାଳ ଲାଗି ମାର୍ଗଦର୍ଶନ କରୁଥିବ ।