ପୃଷ୍ଠା:Aama Madhusudan.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମିଟି ୧୯୩୩ ଜରିଆରେ ଓଡ଼ିଶା ପ୍ରଦେଶର ରୂପରେଖ ନିଦ୍ଧାରିତ ହୋଇ ଗଂଜାମର ମିଶ୍ରଣକୁ ସ୍ୱୀକୃତି ଦିଆଯାଇଥିଲେ ମଧ୍ୟ ପାରଳା ଖେମୁଣ୍ଡି ଓ ଜୟପୁର ଜମିଦାରିର ମିଶ୍ରଣ ସଂପର୍କରେ କୌଣସି ନିର୍ଦ୍ଦେଶନାମା ପ୍ରକାଶ ପାଇ ନଥିଲା । ମଧୁସୂଦନଙ୍କର ପରାମର୍ଶରେ ୧୯୩୧ ଓ ୧୯୩୩ ସାଲରେ ପାରଳା ମହାରାଜାଙ୍କର ତିନିଥର ଲଣ୍ଡନ ଯାତ୍ରା ସହିତ ଗୋଲଟେବୁଲ୍‍ ବୈଠକରେ ଦୃଢ଼ଦାବୀ ଉପସ୍ଥାପିତ ହେଲା । ଖଲ୍ଲିକୋଟ ରାଜା ଓ ଭୁବନାନନ୍ଦ ଦାସ ମଧ୍ୟ ଗୋଲଟେବୁଲ୍‍ ବୈଠକରେ ଯୋଗଦେଇ ୧୯୩୨ ଓ ୧୯୩୩ରେ ଦୃଢ ଦାବି ଜଣାଇଲେ । ଫଳରେ ଜୟପୁର ଓ ପାରଳାଖେମୁଣ୍ଡି ସମେତ ଗଂଜାମ ଜିଲ୍ଲା ମାନ୍ଦ୍ରାଜ ପ୍ରଦେଶରୁ, ଖରିଆର ଜମିଦାରି ମଧ୍ୟପ୍ରଦେଶରୁ ଆସି ଓଡ଼ିଶା ଭୂଖଣ୍ଡ ସହିତ ମିଶି ନୂତନ ଓଡ଼ିଶା ପ୍ରଦେଶ ଗଠନ (୧୯୩୬) ସମ୍ଭବହେଲା ଏବଂ ମଧୁସୂଦନଙ୍କର ଜୀବନବ୍ୟାପୀ ବିରାମହୀନ ସଂଗ୍ରାମର ସ୍ୱପ୍ନ ସାର୍ଥକତା ଲାଭକଲା । ଏହି ଦେଶ ମିଶ୍ରଣ ଆନ୍ଦୋଳନରେ ଯେଉଁମାନେ ଅକୁଣ୍ଠ ଯୋଗଦାନ କରିଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ପାରଳା ମହାରାଜ ବ୍ରଜ ସୁନ୍ଦର ଦାସ, ଉତ୍କଳମଣି ଗୋପବଂଧୁ, ପଣ୍ଡିତ ନୀଳକଣ୍ଠ, ଭୁବନାନନ୍ଦ ଦାସ, ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, କବି ଗଂଗାଧର, ଧରଣୀଧର ମିଶ୍ର, ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ଖଲ୍ଲିକୋଟର ରାଜା ସାହେବ ପ୍ରମୁଖ ।
ମଧୁସୂଦନ ଓଡ଼ିଆ ଜାତିର ଅଗ୍ରଦୂତ ଥିଲେ ମଧ୍ୟ ସେ ଥିଲେ ଭାରତୀୟ ଜାଗରଣର ଅଗ୍ର ବ୍ୟକ୍ତିତ୍ୱ । ତାଙ୍କର କାର୍ଯ୍ୟକ୍ଷେତ୍ର ଥିଲା ସମଗ୍ର ଦେଶର ପରିସର । ୧୮୯୬ଠାରୁ ୧୯୨୩ ସାଲ ପର୍ଯ୍ୟନ୍ତ ସେ ଥିଲେ ବଂଗ, ବିହାର, ଓଡ଼ିଶା ଏବଂ ଇମ୍ପରିୟାଲ୍‍ ବ୍ୟବସ୍ଥାପକ ସଭାର ଜଣେ ମର୍ଯ୍ୟାଦାପୂର୍ଣ୍ଣ ସଭ୍ୟ । ତାଙ୍କର ପ୍ରଖର ବୁଦ୍ଧିମତ୍ତା ଓ ଜ୍ୱାଳାମୁଖୀ ଭାଷଣଯୋଗୁଁ ବିତର୍କର ଝଡ଼ ସୃଷ୍ଟିହେଉଥିଲା । ଚିନ୍ତା ଓ ଚେତନାରେ ସେ ଥିଲେ ଜଣେ ଦୂରଦ୍ରଷ୍ଟା ଓ କ୍ରାନ୍ତିକାରୀ ଦିଗ୍‍ଦର୍ଶକ । ତାଙ୍କର କାର୍ଯ୍ୟଧାରାକୁ ଅନ୍ୟମାନେ ଆଗ୍ରହର ସହ ଅନୁସରଣ କରୁଥିଲେ ।
୧)ଭାଷା ସୂତ୍ରରେ ପ୍ରଦେଶ ଗଠନ କରିବାର ସେ ଥିଲେ ଆଦ୍ୟ ପ୍ରବର୍ତ୍ତକ । ଏହାକୁ ଆଧାର କରି ସ୍ୱାଧୀନ ଭାରତରେ ସୃଷ୍ଟି ହୋଇଥିଲା ଭାଷାଭିତ୍ତିକ ପ୍ରଦେଶ ଗଠନର ପରଂପରା ।
୨) ତାଙ୍କ ପ୍ରଚେଷ୍ଟା ଫଳରେ ଭାରତୀୟ ନାରୀମାନେ ପାଇଥିଲେ ଆଇନଜୀବୀ ବୃତ୍ତିଗ୍ରହଣର ଯୁଗାନ୍ତକାରୀ ଅଧିକାର ।
୩) ସେ ଥିଲେ ସାରାଦେଶର ସ୍ୱଦେଶୀ ଶିଳ୍ପ ଆନ୍ଦୋଳନର ପଥ ପ୍ରଦର୍ଶକ । ତାରକସି ଶିଳ୍ପର ପୁନଃପ୍ରତିଷ୍ଠା (୧୮୯୬), ଲଣ୍ଡନଠାରେ ସ୍ୱଦେଶୀ ଶିଳ୍ପ ପ୍ରଦର୍ଶନୀ (୧୮୯୭), ଉତ୍କଳ ଟ୍ୟାନେରି ପ୍ରତିଷ୍ଠା (୧୯୦୫ )ଆଦି ତାଙ୍କର ଅମର କୃତି ।
୪) ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକୁ ତାଙ୍କର ବହୁପୂର୍ବରୁ ଓଡ଼ିଶାର ମାଟିରେ ତାଙ୍କର ରୂପାୟନ । ସ୍ୱଦେଶୀ ଗ୍ରାମ୍ୟଶିଳ୍ପ ଆନ୍ଦୋଳନ (୧୮୯୬), ଲବଣ କର ହ୍ରାସ ଓ ଉତ୍ପାଦନର ସଂରକ୍ଷଣ (୧୮୯୬), ଅସ୍ପୃଶ୍ୟତା ନିବାରଣ, ହିନ୍ଦୁ ମୁସଲମାନ ଏକତା (୧୮୮୮), ତନ୍ତଶିଳ୍ପର ଉନ୍ନୟନ (୧୯୦୫), ଚରଖାର ପ୍ରଚଳନ ଓ ପ୍ରସାର