ପରିଦର୍ଶନରେ ପ୍ରଥମ ଓଡ଼ିଆ, ବଡ଼ଲାଟ ଆଉ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ
ସଭ୍ୟ, ପ୍ରଥମ ଓଡ଼ିଆ ମଂତ୍ରୀ ଓ ମଂତ୍ରିତ୍ୱ ତ୍ୟାଗ କରିବାରେ ପ୍ରଥମ ଭାରତୀୟ । ସେ ମଧ୍ୟ
ଥିଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଓଡ଼ିଆ ସଭ୍ୟ (୧୮୭୮୬-୧୯୦୧), ସବୁଥିରେ
ପ୍ରଥମ ଓଡ଼ିଆ, ମଧୁସୂଦନ ତାଙ୍କର ପ୍ରଚଣ୍ଡ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଘେନି ଭାରତର ରାଜନୈତିକ
ଆକାଶକୁ ଉଦ୍ଭାଷିତ କରିଥିଲେ ଏକ ଜ୍ୟୋତିଷ୍ମାନ୍ ତାରକା ପରି ।
ମଧୁସୂଦନଙ୍କର ଆବିର୍ଭାବ ହୋଇଥିଲା ଓଡ଼ିଶା ଇତିହାସର ଏକ ତିମିରାଚ୍ଛନ୍ନ ଅଧ୍ୟାୟରେ,
ଯେଉଁ ସମୟରେ ତୀବ୍ର ଶୋଷଣର ଜ୍ୱାଳା ଓ ପରିସ୍ଥିତିର ଦ୍ରୁତ ଅବକ୍ଷୟ ମଧ୍ୟରେ ଓଡ଼ିଶାର
ସମସ୍ତ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସବୁ ଭୁଶୁଡ଼ି ପଡିଥିଲା । ଏହାର ବିରୋଧରେ ଦୃଢ଼
ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ଯେପରି କ୍ଷମତା ହରାଇ ବସିଥିଲା ଏ ଜାତି । ଏହି ସମୟର ଦୃଶ୍ୟପଟ୍ଟରେ ଉଭାହେଲେ ମଧୁସୂଦନ ଓ ଆତ୍ମପ୍ରତ୍ୟୟହୀନ ସହସ୍ର ଭୁଜାଙ୍କର ବାହୁରେ
ଭରିଦେଇଥିଲେ ଅଫୁରନ୍ତ ଶକ୍ତି ଆଉ ଉଚ୍ଚସ୍ୱରରେ ପ୍ରତିବାଦ କରିବାର ଅଦ୍ଭୁତ କ୍ଷମତା । ତେଣୁ
ଉତ୍କଳ ସମ୍ମିଳନୀ, ଛାତ୍ର ସମ୍ମିଳନୀ ଆଦି ଜାଗରଣର ଯେଉଁ ମଂଚ ମଧୁସୂଦନ ସୃଷ୍ଟି କରିଥିଲେ,
ତାହାରି ଉପରୁ ସେନାନୀମାନେ ଲକ୍ଷ୍ୟ କରିଥିଲେ ଦେଶ ମିଶ୍ରଣ ଆନ୍ଦୋଳନର ସଂଗ୍ରାମ କ୍ଷେତ୍ରକୁ ଓ ପରବର୍ତ୍ତୀ କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ପରିଚାଳିତ କଂଗ୍ରେସର ଅସହଯୋଗ ଆନ୍ଦୋଳନକୁ । ତେଣୁ ଓଡ଼ିଆ ମଧୁସୂଦନଙ୍କ ନେତୃତ୍ୱରେ ପାଇଥିଲା ଏକ ସ୍ୱତନ୍ତ୍ର ସ୍ୱୀକୃତି । ପଣ୍ଡିତ ନେହେରୁ ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମଧୁସୂଦନ ଥିଲେ କେବଳ ଓଡ଼ିଶାର ନୁହେଁ, ଭାରତର ଜଣେ ବିଶାଳ ବ୍ୟକ୍ତିତ୍ୱ ।'
ଆଉ ଫକୀରମୋହନ ତାଙ୍କର ଅନ୍ତରର ଆବେଗରେ ମଧୁସୂଦନଙ୍କୁ ସମ୍ବୋଧିତ କରି
କହିଛନ୍ତି:-
"ତୁମ୍ଭର ଚରିତ୍ର ଓ ଇତିହାସ
ପାଉନାହିଁ ଭାଷା କରେ ପ୍ରକାଶ
ଯେତେଦିନ ଥିବ ଉତ୍କଳ ଜାତି
ଯାବତ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।"