ପୃଷ୍ଠା:Aama Madhusudan.pdf/୧୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଟି ଓଡ଼ିଆ ସ୍କୁଲ୍‍ର ଉଚ୍ଛେଦ ସଂପର୍କରେ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାର ଅନୁସନ୍ଧାନର ଭାର ସମ୍ବଲପୁରର ରାଜସ୍ୱ ଅଧିକାରୀ ବୈକୁଣ୍ଠ ନାଥ ପୂଜାରୀଙ୍କ ଉପରେ ନ୍ୟସ୍ତ ଥିଲା । ଶ୍ରୀ ପୂଜାରୀ ଏହାର ରିପୋର୍ଟ ପ୍ରଦାନ ସହିତ ସମ୍ବଲପୁରର ଜନସଂଖ୍ୟା ଗଣନାବେଳେ ଓଡ଼ିଆମାନଙ୍କର ସଂଖ୍ୟା ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂଜାରୀ ଥିଲେ ଦେଶସେବାର ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ , ଯାହାଙ୍କର ଅକାଳ ବିୟୋଗ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଥିଲା ।
ମଧୁସୂଦନ ଏହିଭଳି ସ୍ଥିତିରେ,ବଡ଼ଲାଟ ଲଡର଼୍ କର୍ଜନଙ୍କୁ ଭାଷା ଆନ୍ଦୋଳନର ସ୍ଥିତି ଜଣାଇବା ସକାଶେ, ସେ ଦାଖଲ କରିଥିବା ସ୍ମାରକପତ୍ରର ନକଲ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇ ସମସ୍ୟାର ଆଶୁ ସମାଧାନ ପାଇଁ ନିବେଦନ କରିଥିଲେ ।
ଏ ମଧ୍ୟରେ ୧୯୦୧ ସାଲର ଜୁଲାଇ ମାସରେ ବ୍ରଜମୋହନ ପଟ୍ଟନାୟକ ନାଗପୁରଠାରେ ଚିଫ୍‍ କମିଶନର (ମଧ୍ୟପ୍ରଦେଶ) ଏଣ୍ଡ୍ରୁ ଫେଜରଙ୍କୁ ଭେଟି ଭାଷା ସମସ୍ୟାର ମର୍ମନ୍ତୁଦ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ଏହାର ଏକ ମାସ ପରେ ମଧ୍ୟପ୍ରଦେଶର କମିଶନର ଏଣ୍ଡ୍ରୁ ଫେଜର ସେପ୍ଟେମ୍ବର ପହିଲା ବେଳକୁ ଶିକ୍ଷା ସମ୍ବନ୍ଧୀୟ ଏକ ଅଧିବେଶନରେ ଯୋଗଦେବା ପାଇଁ ସିମଳାରେ ପହଞ୍ଚିଲେ । ଏଭଳି ଏକ ସୁଯୋଗର ଅପେକ୍ଷାରେ ଥିଲେ ମଧୁସୂଦନ । ମଧ୍ୟପ୍ରଦେଶର ଚିଫ୍‍ କମିଶନର ସିମ୍‍ଲାଠାରେ ପହଞ୍ଚିବା ବିଷୟ ଅବଗତ ହେବା ପୂର୍ବରୁ ମଧୁସୂଦନ ତାଙ୍କର ପରମ ବନ୍ଧୁ ବଡ଼ଲାଟଙ୍କ ସେକ୍ରେଟେରୀ ଓ୍ୱାଲ୍‍ଟର୍‍ ଲରେନ୍‍ସଙ୍କ ନିକଟକୁ କ୍ରମାଗତ ଭାବେ ଚିଠି ଓ ଟେଲିଗ୍ରାମମାନ ପଠାଇ ବଡ଼ଲାଟ ଓ କମିଶନରଙ୍କ ମଧ୍ୟରେ ଏକ ସାକ୍ଷାତକାର ଆୟୋଜନ କରି ସମ୍ବଲପୁରର ଓଡ଼ିଆ ଭାଷା ସଂପର୍କୀୟ ସମାଧାନର ସୂତ୍ର ବାହାର କରିବାପାଇଁ ନିବେଦନ କରିଥିଲେ ।
ବଡ଼ଲାଟଙ୍କ ପ୍ରାଇଭେଟ ସେକ୍ରେଟେରୀ ଓ୍ୱାଲ୍‍ଟର ଲରେନ୍‍ସଙ୍କ ଉଦ୍ୟମରେ ବଡ଼ଲାଟ ଓ ଚିଫ୍‍ କମିଶନରଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ସମ୍ଭବ ହୋଇଥିଲା ।ଏଥିରେ ସମ୍ବଲପୁରର ଭାଷା ସମସ୍ୟା ମୁଖ୍ୟସ୍ଥାନ ଅଧିକାର କରିଥିଲା ।
୧୯୦୧ ସେପ୍ଟେମ୍ବର ୧୨ ତାରିଖରେ ମଧୁସୂଦନଙ୍କ ଚିଠିର ଉତ୍ତର ଦେଇ ଓ୍ୱାଲ୍‍ଟର ଲରେନ୍‍ସ ଲେଖିଥିଲେ-
"ମୁଁ ଆପଣଙ୍କଠାରୁ ଗତ ଚାରି ତାରିଖରେ ପାଇଥିବା ପତ୍ରଟି ସମସ୍ତ ଅନୁଲିପି ସହ ବଡ଼ଲାଟଙ୍କ ପାଖରେ ଉପସ୍ଥାପନ କରିଥିଲି । ଏହାଛଡ଼ା ଆପଣଙ୍କଠାରୁ ଆସିଥିବା ସମସ୍ତ ଟେଲିଗ୍ରାମ ମଧ୍ୟ ଉପସ୍ଥାପନ କରିଥିଲି । ଜଣାଯାଏ ମିଷ୍ଟର ଫ୍ରେଜରଙ୍କ ପାଖରେ ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ଏକ ଆବେଦନ ପତ୍ର ବିଚାରପାଇଁ ରହିଛି । ଯେତେବେଳେ ମିଷ୍ଟର ଫ୍ରେଜରଙ୍କ ପାଖରୁ ଏ ସଂପର୍କୀୟ ରିପୋର୍ଟ ଆସିବ, ତାହା ତାଙ୍କ ସରକାରଙ୍କ ପାଖରେ ଉପସ୍ଥାପିତ କରାଯିବ, ସେତେବେଳେ ମହାମାନ୍ୟ ବଡ଼ଲାଟ ଏ ସଂପର୍କରେ ଦୃଷ୍ଟି ଦେବେ ।"

ଆମ ମଧୁସୂଦନ ୧୩୯